Unknown

 

 

 

 

 

 

 

 

ଗୃହଶିଳ୍ପ

(ତୃତୀୟ ଖଣ୍ଡ)

ରାୟବାହାଦୁର ଭିକାରୀ ଚରଣ ପଟ୍ଟନାୟକ

 

ସୂଚୀପତ୍ର

 

୧.

ଦଉଡ଼ି ଏବଂ ତନ୍ତୁମୟ ପଦାର୍ଥ

୨.

ବାରବର୍ଷିଆ

୩.

ତନ୍ତୁ ବାହାର କରିବାର ପ୍ରଣାଳୀ

୪.

ଡଷ୍ଟର୍‌ (Duster) ବା ଝାଡ଼ଣ

୫.

ପାଁପୋଛ୍

୬.

ବୁରୁଶ୍ (Brush)

୭.

ବିଛଣା ବାନ୍ଧିବା ଫିତା

୮.

ଫ୍ଳୋରମାଟ୍ (Floor Mat)

୯.

କଦଳୀ ଗଛ

୧୦.

କଦଳୀ ପଟୁକାର ଚଟେଇ

୧୧.

ଦଉଡ଼ି ବଳିବା

୧୨.

ନଡ଼ିଆ

୧୩.

ନଡ଼ିଆ ଛପା

୧୪.

ନଡ଼ିଆ ଖଡ଼ିକ

୧୫.

ପହଁରା

୧୬.

ମୁଗୁରା

୧୭.

ଖଇଞ୍ଚି

୧୮.

ବଜା ବା ଅନ୍ଧୁଲି

୧୯.

ଡାଲା

୨୦.

ନଡ଼ିଆ କତା

୨୧.

ବୁରୁଶ୍ ପାଁପୋଛ୍‌

୨୨.

ନଡ଼ିଆର ପୁଷ୍ପ କୋଷ ବା ଖୋଷା

୨୩.

ବାଉଁଶ

୨୪.

ଘୋଡ଼ା

୨୫.

ଧନୁ

୨୬.

ବାଟୁଳିଖଡ଼ା

୨୭.

ବାଉଁଶର ମୋଡ଼ା

୨୮.

ମୋଡ଼ା ଚେଆର

୨୯.

ଚାରିକୋଣିଆ ଚେଆର

୩୦.

ମୋଡ଼ା ଏବଂ ଚଉକି ବୁଣା

୩୧.

ବାଉଁଶ ଟେବୁଲ୍ ବା ଟିପାଇ (Teapoy)

୩୨.

ବାଉଁଶ ପଙ୍ଖା

୩୩.

ପାନପତ୍ର ପଙ୍ଖା

୩୪.

ପାଛିଆ

୩୫.

ତନ୍ତର ପାନିଆ

୩୬.

ସୂତାକଟା

୩୭.

ଅନୁଶୀଳନ

•••

 

ଦଉଡ଼ି ଏବଂ ତନ୍ତୁମୟ ପଦାର୍ଥ

 

ଆମ୍ଭମାନଙ୍କ ଦେଶରେ ଯେତେପ୍ରକାର ତନ୍ତୁମୟ ପଦାର୍ଥ ଉତ୍ପନ୍ନ ହେଉଅଛି, ସେମାନଙ୍କର ଉପଯୁକ୍ତ ବ୍ୟବହାର ହେଉ ନ ଥିବାରୁ ଅଧିକାଂଶ ଅକାରଣ ନଷ୍ଟ ହେଉଅଛି । କେତେକ ପଦାର୍ଥ ବ୍ୟବହୃତ ହେଉଥିଲେହେଁ କେବଳ କେତେଗୋଟି ନିର୍ଦ୍ଦିଷ୍ଟ ସ୍ଥୂଳ ବ୍ୟବହାର ଛଡ଼ା ଅନ୍ୟ କୌଣସି ବ୍ୟବହାରରେ ଲଗାଯାଉ ନ ଥିବାରୁ ତହିଁରୁ ଯେତେ ଉପକାର ଓ ଧନ ମିଳି ପାରନ୍ତା, ତାହା ଆମ୍ଭେମାନେ ପାଇ ପାରୁ ନାହୁଁ ।

 

ଆମ୍ଭମାନଙ୍କ ଦେଶରେ ଯେତେ ପ୍ରକାର ତନ୍ତୁମୟ ପଦାର୍ଥ ଅଛି, ସେମାନଙ୍କ ମଧ୍ୟରେ ଝୋଟ ସର୍ବପ୍ରଧାନ । ତାହା ଛଡ଼ା ଛଣପଟ, ମୁର୍ଗା ବା ବାରବର୍ଷିଆ, ସପୁରିପତ୍ର, କଦଳୀ ଗଛ, ଭେଣ୍ଡି ଗଛର ଛେଲି, ଲେଉଆ ଗଛର ଛାଲ, ଦେବଦାରୁ ଗଛର ଛାଲ, କୁମ୍ଭୀ ଗଛର ଛାଲ, ବରଙ୍ଗା ପଟ ଓ ସିଆଡ଼ି ଲଇ ପଟ ଏବଂ ଅନ୍ୟାନ୍ୟ ଅନେକ ପ୍ରକାର ଗଛର ଛାଲ ଅଛି ଯାହାର ବ୍ୟବହାର ଅତି ଅଳ୍ପ ହେଉଅଛି ଏବଂ କେତେକଙ୍କର ଆଦୌ ବ୍ୟବହାର ହେଉ ନାହିଁ ।

 

ଝୋଟ କେବଳ ଭାରତବର୍ଷରେ ଉତ୍ପନ୍ନ ହୁଏ । ଉତ୍ତର ଗ୍ରୀଷ୍ମ କଟିବନ୍ଧ (Tropic of Cancer)ର ପୂର୍ବଭାଗ ଝୋଟ ଉତ୍ପନ୍ନ ହେବାର ଉପଯୁକ୍ତ ସ୍ଥାନ । ଏହି ରେଖାର ଉତ୍ତର ଦକ୍ଷିଣ ଦୁଇ ଶତ ମାଇଲ ମଧ୍ୟରେ ଝୋଟ ଜନ୍ମେ । ଏହି ରେଖା କଲକତାର ପ୍ରାୟ ଠିକ୍ ଉତ୍ତରରେ; ତେଣୁ ବଙ୍ଗଳାର କେତେକ ଅଂଶ ଏବଂ ଓଡ଼ିଶାର କେତେକ ଅଂଶ ଏହି ଦୁଇ ଶତ ମାଇଲର ଅନ୍ତର୍ଗତ । ବଙ୍ଗଳାରେ ଏବଂ ଓଡ଼ିଶାରେ ପ୍ରଚୁର ପରିମାଣରେ ଝୋଟ ଜନ୍ମେ ।

 

ଝୋଟନିର୍ମିତ ପଦାର୍ଥ ପ୍ରାୟ ସବୁ ଦେଶରେ ବହୁପରିମାଣରେ ବ୍ୟବହୃତ ହୁଏ । ଝୋଟର ଅଖା ଘରେ ଘରେ ଆବଶ୍ୟକ । ଛୋଟ ଛୋଟ ଦୋକାନଠାରୁ ବଡ଼ ବଡ଼ ଗୋଦାମ ପର୍ଯ୍ୟନ୍ତ ବିନା ଅଖାରେ କାରବାର ଚଳିବା କଠିନ । ଓଡ଼ିଶାକୁ ପ୍ରତିବର୍ଷ ପ୍ରାୟ ୭୦ ହଜାର ମହଣ ଖାଲି ଅଖା ଆମଦାନି ହୋଇ ଆସେ । ତାହା ଛଡ଼ା ସହରଠାରୁ ସଫସଲ ପର୍ଯ୍ୟନ୍ତ ଯେଉଁଠାରେ ଯେତେ ଦୋକାନ ଅଛି, ସେହି ଦୋକାନ ମାନଙ୍କରେ ସଉଦା ବାନ୍ଧିବା ପାଇଁ, ଅଖାର ମୁହଁ ସିଲାଇ କରିବା ପାଇଁ ଓ ଅନ୍ୟାନ୍ୟ ନାନା ପ୍ରକାର ବ୍ୟବହାର ଲାଗି ଯେତେ ଝୋଟର ସୂତୁଲି ଆସି ବିକ୍ରୟ ହେଉଅଛି, ତାହା କଳନା କରିବା କଠିନ ।

 

ଓଡ଼ିଶାରେ ଝୋଟର ଅଖା ଓ ସୂତୁଲି ତିଆରି କରିବା ପାଇଁ କଳକାରଖାନା ନ ଥିବାରୁ ଓଡ଼ିଶା ଏ ସବୁ ଜିନିଷ ଖରିଦ କରି ଅନ୍ୟ ପ୍ରଦେଶକୁ ବହୁ ଧନ ଦେଉଅଛି ଏବଂ ଓଡ଼ିଶାରେ ଯେତେ ଝୋଟ ଉତ୍ପନ୍ନ ହେଉଅଛି, ତାହାକୁ ଅଳ୍ପ ମୂଲ୍ୟରେ ଅନ୍ୟ ପ୍ରଦେଶମାନଙ୍କୁ ଦେଉଅଛି; ତେଣୁ ଝୋଟରେ ଯେତେ ଆୟ ପାଇ ପାରନ୍ତା, ଓଡ଼ିଶା ତାହା ପାଇ ପାରୁ ନାହିଁ । ଓଡ଼ିଶାରେ ଗୋଟିଏ ଝୋଟର କଳକାରଖାନା ବସିଲେ ଓଡ଼ିଶା ତାହାର ଉତ୍ପନ୍ନ ଝୋଟର ସମ୍ପୂର୍ଣ୍ଣ ମୂଲ୍ୟ ଉପଭୋଗ କରି ପାରନ୍ତା ।

 

ଓଡ଼ିଶାରୁ କେତେକ ବର୍ଷ ପୂର୍ବେ ପ୍ରାୟ ୩ ଲକ୍ଷ ମହଣ ଝୋଟ ବିଦେଶକୁ ରପ୍ତାନି ହୋଇ ଯାଉଥିଲା । ବର୍ତ୍ତମାନ ଝୋଟର ମୂଲ୍ୟ କମିଯିବାରୁ ଅନେକ ସ୍ଥାନରେ ଝୋଟର ଚାଷ କମିଗଲାଣି । ୨ ବର୍ଷ ପୂର୍ବେ ଏଠାରୁ ଝୋଟ ୧.୫ ଲକ୍ଷ ମହଣ ପର୍ଯ୍ୟନ୍ତ ରପ୍ତାନି ହୋଇଥିଲା । ସନ ୧୯୩୭।୩୮ରେ ପ୍ରାୟ ୧ ଲକ୍ଷ ମହଣ ଝୋଟ ଓଡ଼ିଶାରୁ ରପ୍ତାନି ହୋଇଅଛି । ତହିଁ ମଧ୍ୟରୁ କଟକ ଜିଲାର ଦାନପୁର ଓ କେନ୍ଦୁପାଟଣାରୁ ପ୍ରାୟ ୭୦ ହଜାର ମହଣ ଓ ଅବଶିଷ୍ଟ ବୈରୀ, ଯାଜପୁର ଓ ଅନ୍ୟାନ୍ୟ ସ୍ଥାନମାନଙ୍କରୁ ଯାଇଅଛି ।

 

ଅଖା ଓ ସୂତୁଲି ଛଡ଼ା ଝୋଟର ଚଟ ବା ପାଲ ମଧ୍ୟ ଓଡ଼ିଶାରେ କମ ଲୋଡ଼ା ହୁଏ ନାହିଁ-। ଓଡ଼ିଶା ଏହି ସମସ୍ତ ଜିନିଷ ବିଦେଶରୁ ବହୁ ମୂଲ୍ୟରେ ଖରିଦ କରେ ।

 

ଓଡ଼ିଶାର ସବୁ ଅଞ୍ଚଳରେ ସାଧାରଣ ଲୋକେ ପ୍ରାୟ ସମସ୍ତେ ଝୋଟର ବାଣି କାଟି ଜାଣନ୍ତି । ବାଣି କାଟିବା ପାଇଁ କେହି କେହି ଟାକୁଆ ବ୍ୟବହାର କରନ୍ତି ଏବଂ କେହି କେହି ଢିରା ବ୍ୟବହାର କରନ୍ତି । ସେହି ବାଣିରେ ହେଁସ, ମସିଣା ଓ ସପ ଆଦି ବୁଣନ୍ତି । ବାଲେଶ୍ୱର ଜିଲ୍ଲାର ସୋର, ପାର୍ବତୀପୁର ଓ ଭଦ୍ରଖ ଅନ୍ତର୍ଗତ ମରେଇ ଗାଁ ପ୍ରଭୃତି କେତେକ ଗ୍ରାମର ଓ କଟକ ଜିଲ୍ଲାର କେନ୍ଦ୍ରାପଡ଼ା ଅନ୍ତର୍ଗତ ଆରିପଦା, କୁମାର ଜହ୍ନୀମୂଳ ଓ ସଦର ସବଡିଭିଜନର ଚଉଦୁଆର, ପାଇକରାପୁର ଓ ଜଗତ୍‌ପୁର ଗଞ୍ଜାମର ମୁଣ୍ଡମରାଇ ପ୍ରଭୃତି ଗ୍ରାମର ଲୋକେ ବାଣି କାଟି ସେହି ବାଣିରେ ପ୍ରାୟ ୧ ଫୁଟ ଚଉଡ଼ାର ଖଣ୍ଡିଏ ଖଣ୍ଡିଏ ପଟି ବୁଣନ୍ତି । ସେହି ପଟିଗୁଡ଼ିକୁ ପରସ୍ପର ଯୋଡ଼ି ଗୋଟିଏ ଗୋଟିଏ ବଡ଼ ବଡ଼ ଚଟ ବା ଅଖାପାଲ ପ୍ରସ୍ତୁତ କରନ୍ତି । ତାହା ମଧ୍ୟ ସହଜରେ ବିକ୍ରୟ ହୋଇଯାଏ ।

 

ଯେବେ ଅଧିକ ଚଉଡ଼ାର ଓ ଆଧୁନିକ ରୁଚି ଅନୁସାରେ ବଡ଼ ବଡ଼ ପାଲ ସେହି ବାଣିରେ ବୁଣାଯିବ, ତେବେ ଲୋକେ ସେଥିନିମନ୍ତେ ଅଧିକ ମୂଲ୍ୟ ଦେବାକୁ କଦାଚ କୁଣ୍ଠିତ ହେବେ ନାହିଁ । ଏରୂପ ପାଲ ବୁଣିବାର ପ୍ରଣାଳୀ ଏହି ପୁସ୍ତକର ଚତୁର୍ଥ ଭାଗରେ ବୟନଶିଳ୍ପ ମଧ୍ୟରେ ବର୍ଣ୍ଣିତ ହେବ ।

 

ବାଲେଶ୍ୱର ଜିଲ୍ଲାର ଅଧିକ ସ୍ଥାନରେ ଏବଂ ଅନ୍ୟ ଜିଲ୍ଲାମାନଙ୍କର କୌଣସି କୌଣସି ସ୍ଥାନରେ ବଳଦଙ୍କ ପିଠିଉପରେ ପଟ ଏବଂ ଅନ୍ୟାନ୍ୟ ପଦାର୍ଥମାନ ଲଦି ନବା ଆଣିବା କରିବାର ପ୍ରଥା ଏପର୍ଯ୍ୟନ୍ତ ପ୍ରଚଳିତ ଅଛି । ଏହି ବଳଦଙ୍କ ପିଠି ଉପରେ ପକାଇବା କାରଣ ଯେଉଁ ପଲାଣ ବ୍ୟବହାର କରାଯାଏ ଏବଂ ବଳଦଙ୍କ ପିଠି ଉପରେ ଧାନ ଚାଉଳ ଆଦି ନେବା ଆଣିବା କାରଣ ଯେଉଁ ଅଖା ବ୍ୟବହାର କରାଯାଏ, ସେ ସମସ୍ତ ଏହି ହାତକଟା ବାଣିଦ୍ୱାରା ନିର୍ମିତ ହୁଏ । ଏ ଅଖା କଳବୁଣା ଅଖାଠାରୁ ଅଧିକ ଶକ୍ତ । କଳବୁଣା ଅଖାଦ୍ୱାରା ଏପରି ମାଲ ନେବା ଆଣିବା କାର୍ଯ୍ୟ ଚଳି ପାରିବ ନାହିଁ । ଏହି ଅଖା ଏବଂ ପଲାଣ ନିମନ୍ତେ ପ୍ରଥମେ ଅଳ୍ପ ଚଉଡ଼ାର ପଟି ବୁଣିବାକୁ ହୁଏ । ପରେ ସେହି ପଟିକୁ ଆବଶ୍ୟକୀୟ ଆକାରରେ ଯୋଡ଼ି ପଲାଣ ଏବଂ ଅଖା ପ୍ରସ୍ତୁତ କରାଯାଏ ।

 

ଏହି ସବୁ କେତେଗୋଟି କାର୍ଯ୍ୟ ନିମନ୍ତେ ଯେତେ ବାଣି ବ୍ୟବହୃତ ହେଉଅଛି, ତାହା ଅପେକ୍ଷା ଅଧିକ ବାଣି ଓଡ଼ିଶାରେ ଲୋଡ଼ା । ଯେଉଁମାନେ ଝୋଟ ଚାଷ କରି ଅଳ୍ପ ମୂଲ୍ୟରେ ବିକ୍ରୟ କରି ଦେଉଅଛନ୍ତି ସେମାନେ ଯେବେ କେବଳ ବାଣି କାଟନ୍ତେ ଏବଂ ନିଜ ନିଜ ଗ୍ରାମରେ ବସି ରହୁଥିବା ଲୋକମାନଙ୍କ ଦ୍ୱାରା ବାଣି କଟାଇ ନିଅନ୍ତେ, ତେବେ ମଧ୍ୟ ଝୋଟ ନିମନ୍ତେ ଯେତେ ମୂଲ୍ୟ ପାଉଅଛନ୍ତି, ତହିଁର ଅନେକ ଗୁଣ ଅଧିକ ମୂଲ୍ୟ ପାଇ ପାରନ୍ତେ ଏବଂ ଗ୍ରାମର କେତେ ଅକର୍ମା ଲୋକଙ୍କୁ କର୍ମ ଯୋଗାଇ ପାରନ୍ତେ । ଗ୍ରାମବାସୀ ସମସ୍ତେ ଏହାଦ୍ୱାରା ଲାଭବାନ୍ ହୁଅନ୍ତେ ।

 

ଯେଉଁ ମୂଲିଆମାନେ ଅନ୍ୟ କୌଣସି କଠିନ କାର୍ଯ୍ୟ କରିବାକୁ ଅକ୍ଷମ, ସେମାନେ ସହଜରେ ବାଣି କାଟି ପାରିବେ । ବଳୁଆ କୃଷକମାନେ ମଧ୍ୟ କର୍ମ ଅଭାବରେ ବର୍ଷ ମଧ୍ୟରେ ଅନେକ ସମୟ ବସି ରହିବାକୁ ବାଧ୍ୟ ହୁଅନ୍ତି । ବର୍ଷା ଅଧିକ ହେଉଥିବା ସମୟରେ ସେମାନଙ୍କୁ ବସି ବସି ଅନେକ ସମୟ କଟାଇବାକୁ ପଡ଼େ । ଏହି ସବୁ ସମୟରେ ବାଣି କାଟିବା କାର୍ଯ୍ୟ ସହଜରେ ହୋଇ ପାରିବ । ବୃଦ୍ଧ, ବାଳକ ଓ ସ୍ତ୍ରୀମାନେ ମଧ୍ୟ ଅକ୍ଳେଶରେ ବାଣି କାଟି ପାରିବେ । ଛୋଟା, କୁଜା ଓ ଅନ୍ଧମାନେ ମଧ୍ୟ ଏ କାର୍ଯ୍ୟ କରି ପାରିବେ । ଏହି ଶିଳ୍ପଟି ଅତି ସହଜ ଓ କ୍ଷୁଦ୍ର ବୋଲି ଏହାକୁ ଅବଜ୍ଞା ନ କରି ଏଥି ପ୍ରତି ମନୋଯୋଗୀ ହେଲେ ଏହା ଓଡ଼ିଶାର ଗୃହସ୍ଥମାନଙ୍କର ଗୋଟିଏ ବିଶେଷ ଲାଭଜନକ ପନ୍ଥା ହୋଇ ଉଠିବ ।

Image

(୧ ନମ୍ବର ଚିତ୍ର)

ଝୋଟର ବାଣି କାଟିବା ପ୍ରାୟ ସମସ୍ତେ ଦେଖି ଅଛନ୍ତି । ୧ ନମ୍ବର ଚିତ୍ରରେ ଟାକୁଆଦ୍ୱାରା ବାଣି କାଟିବାର ପ୍ରଣାଳୀ ଦେଖାଇ ଦିଆ ଯାଇଅଛି । ବେକାଏ ଝୋଟ ଗୋଟିଏ ଉଚ୍ଚ ସ୍ଥାନରେ ବନ୍ଧା ହୋଇ ଝୁଲୁଅଛି । ଜଣେ ଲୋକ ତାହାର ଡାହାଣ ହାତରେ ଟାକୁଆଟି ଧରି ଡାହାଣ ଜଙ୍ଘ ଉପରେ ତାକୁ ଗଡ଼ାଉ ଅଛି । ଟାକୁଆରୁ ଗୋଟିଏ ଖିଅ ଯାଇ ଝୁଲୁଥିବା ଝୋଟ ସଙ୍ଗେ ସଂଯୁକ୍ତ ହୋଇଅଛି । ଲୋକଟି ଝୁଲୁଥିବା ଝୋଟ ମଧ୍ୟରୁ କେବଳ କେରାଏ କେରାଏ ଝୋଟ ତାହାର ବାମ ହସ୍ତଦ୍ୱାରା ଟାଣି ବଳି ହେଉଥିବା ଖିଅ ସଙ୍ଗେ ମିଶାଇ ଦେଉଅଛି । ବାମ ହସ୍ତର ଟିପ ପର୍ଯ୍ୟନ୍ତ ଖିଅଟି ବଳି ହୋଇ ପାକଳ ହୋଇଗଲେ ତାହାକୁ ସେହି ଟାକୁଆର ନିମ୍ନଭାଗର ବେଣ୍ଟଟିରେ ଗୁଡ଼ାଇ ଦେଉଅଛି । ୨ ନମ୍ବର ଚିତ୍ର ଦେଖ ।

Image

(୨ ନମ୍ବର ଚିତ୍ର)

(୩ ନମ୍ବର ଚିତ୍ର)

 

୩ ନମ୍ବର ଚିତ୍ରଟିରେ ‘ଢିରା’ ଦ୍ୱାରା ବାଣି କାଟିବାର ପ୍ରଣାଳୀ ଦେଖାଇ ଦିଆ ଯାଇଅଛି-। ଏହା କେବଳ ଛୋଟ ଛୋଟ ଦୁଇଖଣ୍ଡି ପଟା ମଝିରେ ଛକ କରି ବସାଇ ଦିଆ ଯାଇଅଛି । ମଧ୍ୟଭାଗ ଅପେକ୍ଷା ପ୍ରାନ୍ତଭାଗ କିଞ୍ଚିତ୍ ସରୁ । ମଧ୍ୟଭାଗରେ ଛିଦ୍ର କରାଯାଇ ଦୁଇଖଣ୍ଡି ଯାକ ପଟା ଖଣ୍ଡିଏ କାଠିରେ ଗୁନ୍ଥା ହୋଇ କାଠି ଖଣ୍ଡିକର ଏକ ପ୍ରାନ୍ତରେ ଅଟକାଇ ରଖାଯାଇଅଛି-। କାଠି ଖଣ୍ଡିକର ଅନ୍ୟ ପ୍ରାନ୍ତରେ କିଞ୍ଚିତ୍ କଟାଯାଇ ଗୋଟିଏ ଖାପ କରି ଦିଆ ଯାଇଅଛି । ପଟା ଦୁଇଖଣ୍ଡିର ଛକରେ ଡାହାଣ ହାତର ଆଙ୍ଗୁଳି ଦେଇ ଢିରାଟିକୁ ବୁଲାଇ ଦେବାକୁ ହୁଏ ଏବଂ ବାମ ହସ୍ତରେ ଖିଅଟି ଧରି ଝୁଲାଇ ଦେଲେ ଢିରାଟି ବୁଲି ବୁଲି ଖିଅଟିକୁ ପାକଳ କରେ । ପାଖରେ ବେକାଏ ଝୋଟ ଝୁଲୁଥାଏ । ତହିଁରୁ କେରାଏ କେରାଏ ଝୋଟ ଆଣି ବାଣିର ଖିଅଟିରେ ଯୋଡ଼ି ଦିଆଯାଏ । ଖିଅଟି ପାକଳ ହୋଇଗଲେ ତାହାକୁ ସେହି ପଟାର ଛକରେ ଗୁଡ଼ାଇ ଦେବାକୁ ହୁଏ ।

 

ଢିରାଦ୍ୱାରା ବାଣି କାଟିବା ଟାକୁଆଦ୍ୱାରା ବାଣି କାଟିବାଠାରୁ ସହଜ । ଏହାଦ୍ୱାରା ବାଟ ଚାଲୁଁ ଚାଲୁଁ ମଧ୍ୟ ବାଣି କଟାଯାଇ ପାରିବ । ବେକାଏ ଝୋଟ ଖଣ୍ଡିଏ ଲମ୍ବ ବାଡ଼ି ଅଗରେ ଟାଙ୍ଗି ସଙ୍ଗରେ ରଖିଲେ ହେଲା । ମାତ୍ର ଟାକୁଆଦ୍ୱାରା ଯେତେ ବାଣି କଟାଯାଇ ପାରିବ ଏହାଦ୍ୱାରା ତେତେ ବାଣି କଟାଯାଇ ପାରିବ ନାହିଁ ।

 

ବାଣି କାଟିବାର ଏକରକମ ଚରଖା ବାହାରି ଅଛି । ତଦ୍ଦ୍ୱାରା ଅଳ୍ପ ସମୟ ମଧ୍ୟରେ ଅଧିକ ବାଣି କଟା ଯାଇ ପାରେ । ତାହା ଗୋଡ଼ଦ୍ୱାରା ଚଳାଇବାକୁ ପଡ଼େ । ମାତ୍ର ସର୍ବସାଧାରଣ ଗୃହସ୍ଥମାନଙ୍କ ପକ୍ଷରେ ଟାକୁଆ ବା ଢିରା ଅତି ସହଜ ଓ ସୂକ୍ଷ୍ମ ଯନ୍ତ୍ର ।

 

ଝୋଟଠାରୁ ଛଣପଟ ଅଧିକ ଶକ୍ତ ଏବଂ ମୂଲ୍ୟବାନ୍ । ଓଡ଼ିଶାରେ ଛଣପଟ ଉତ୍ପନ୍ନ ହୁଏ-। ମାତ୍ର ଏହାର ପରିମାଣ ଖୁବ୍ ଅଳ୍ପ । ଯାହା ଉତ୍ପନ୍ନ ହୁଏ, ତାହାର ମଧ୍ୟ ଉପଯୁକ୍ତ ବ୍ୟବହାର ହେଉ ନାହିଁ । ଗଞ୍ଜାମ ଓ କୋରାପୁଟ ଜିଲାମାନଙ୍କରେ ପ୍ରାୟ ୧୧ ହଜାର ମହଣ; ସମ୍ବଲପୁର, ଖଡ଼ିଆଳ,ବରଗଡ଼ ଓ ଝାରସୁଗୁଡ଼ାରେ ପ୍ରାୟ ୧୪ ହଜାର ମହଣ ଏବଂ ଅନ୍ୟାନ୍ୟ ସ୍ଥାନମାନଙ୍କରେ ଏହାଠାରୁ ଅଳ୍ପ ଅଳ୍ପ ପରିମାଣର ଛଣପଟ ଉତ୍ପନ୍ନ ହେବାର ଖବର ମିଳୁଅଛି ।

 

ଏହି ଛଣପଟଦ୍ୱାରା କାନ୍‌ଭାସ୍ ଓ ଆହୁରି କେତେକ ପ୍ରକାର ମୂଲ୍ୟବାନ୍ ପଦାର୍ଥ ଅନ୍ୟ ପ୍ରଦେଶରେ ତିଆରି ହୋଇ ଏଠାରେ ଆସି ବିକ୍ରୟ ହେଉଅଛି । ଆସ୍‌ବେସ୍‌ଟସ୍‌ ନାମକ ନିଆଁରେ ପୋଡ଼ି ନ ଯିବା ପଦାର୍ଥର ପ୍ରଧାନ ଉପକରଣ ଏହି ଛଣପଟ । ଏହିପରି ନାନା ପ୍ରକାର ମୂଲ୍ୟବାନ୍ ପଦାର୍ଥମାନ ଏହି ଛଣପଟଦ୍ୱାରା ନିର୍ମିତ ହୋଇ ବିଦେଶରୁ ଏଠାକୁ ଆସୁଅଛି । ଆମ୍ଭେମାନେ କେବଳ କେତେକ ଡୋର ଓ ଦଉଡ଼ି ଛଡ଼ା ଛଣପଟଦ୍ୱାରା ଆଉ କିଛି କରୁ ନାହୁଁ ।

 

ଝୋଟକୁ ଯେପରି ଟାକୁଆ ବା ଢିରାଦ୍ୱାରା ବାଣି କଟାଯାଏ, ଛଣପଟକୁ ମଧ୍ୟ ଠିକ୍ ସେହିପରି ବାଣି କଟାଯାଇ ପାରେ ।

 

ଛଣପଟର ବାଣିଦ୍ୱାରା ପାଲ ଆଦି ପ୍ରସ୍ତୁତ କଲେ ତାହା ଅଧିକ ଶକ୍ତ ଏବଂ ସୁନ୍ଦର ହେବ-

•••

 

ବାରବର୍ଷିଆ

 

ମୁର୍ଗା ବା ବାରବର୍ଷିଆର ପତ୍ରରୁ ଅତି ସୁନ୍ଦର ତନ୍ତୁ ବାହାରେ । କେହି କେହି ବାରବର୍ଷିଆ ଗଛ ବାଡ଼ରେ ଲଗାଇ ବାଡ଼ କରନ୍ତି । ମାତ୍ର ଅନେକ ସ୍ଥଳରେ ଏହା ପଡ଼ିଆ ଭୂମିରେ ଆପେ ଆପେ ଜନ୍ମିଥାଏ । ଏହାର ପତ୍ରଗୁଡ଼ିକ ସମ୍ପୂର୍ଣ୍ଣ ତନ୍ତୁମୟ । ତନ୍ତୁଗୁଡ଼ିକ ଖୁବ୍ ଶକ୍ତ । ମାତ୍ର ଅଳ୍ପ ଲୋକ ଏହାକୁ ବ୍ୟବହାର କରନ୍ତି । ଅଧିକାଂଶ ଅକାରଣ ନଷ୍ଟ ହୁଏ ।

 

କେସି ସାହେବ ନାମକ ଜଣେ ସାହେବ କେତେକ ବର୍ଷ ପୂର୍ବେ ଆସି ସମ୍ବଲପୁରରେ ବହୁପରିମାଣର ଜଙ୍ଗଲ ଓ ପତିତ ଜମି ପଟା ନେଇ, ତାହାକୁ ସଫା କରାଇ ସେଠାରେ ବାରବର୍ଷିଆର ଚାଷ ଆରମ୍ଭ କଲେ । ବର୍ତ୍ତମାନ ଏହି କେତେ ବର୍ଷ ମଧ୍ୟରେ ସେ ଏହାର ତନ୍ତୁ ବାହାର କରି ତଦ୍ଦ୍ୱାରା ଦଉଡ଼ି ପ୍ରସ୍ତୁତ କରାଉଅଛନ୍ତି । ତାଙ୍କର ଦଉଡ଼ିସବୁ ଅଧିକାଂଶ ବିଦେଶକୁ ରପ୍ତାନି ହୋଇ ଯାଉଅଛି । କେସି ସାହେବଙ୍କର ଏହି କାରଖାନା ଗୋଟିଏ ବୃହତ୍ କାରଖାନା ହୋଇ ଉଠିଲାଣି । ସେ ଏଥିରୁ ବହୁ ଧନ ଲାଭ କରନ୍ତି । ତାହାଙ୍କର ଏହି କାରଖାନାର କାର୍ଯ୍ୟ ଦେଖି ସୁଦ୍ଧା ଆମ ଦେଶର ଲୋକେ ବାରବର୍ଷିଆକୁ ବ୍ୟବହାରରେ ଲଗାଇବା ପ୍ରଣାଳୀ ଶିକ୍ଷା କରୁନାହାନ୍ତି । ବହୁ ସ୍ଥାନରେ ଏହି ପତ୍ରଗୁଡ଼ିକ ଅକାରଣ ନଷ୍ଟ ହେଉଅଛି । ସମ୍ବଲପୁରରେ ଜଣେ ଓଡ଼ିଆଙ୍କଦ୍ୱାରା ଆଉ ଗୋଟିଏ କାରଖାନାର ଉଦ୍ୟମ ଅନେକ ଦିନରୁ ହେଲାଣି, ଏହା ଅତି ସୁଖର ବିଷୟ ।

•••

 

ତନ୍ତୁ ବାହାର କରିବାର ପ୍ରଣାଳୀ

 

ସମ୍ବଲପୁରରେ କେସି ସାହେବଙ୍କ କାରଖାନାରେ କଳ ସାହାଯ୍ୟରେ ତନ୍ତୁ ବାହାର କରାଯାଏ ।

 

ଦଉଡ଼ି ବଳିବାପାଇଁ କୌଣସି କଳ ବ୍ୟବହାର କରାଯାଏ ନାହିଁ । ସେଥିନିମନ୍ତେ କେସି ସାହେବ ନିଜେ ନାନାପ୍ରକାର ସୂକ୍ଷ୍ମ ଉପାୟ ଉଦ୍ଭାବନ କରିଅଛନ୍ତି । ତଦ୍ଦ୍ୱାରା ବେଶ୍ ବଡ଼ ବଡ଼ ଦଉଡ଼ି ପ୍ରସ୍ତୁତ ହେଉଅଛି ।

 

କେତେକ ସ୍ଥଳରେ ବାରବର୍ଷିଆ ପତ୍ରକୁ କେହି କେହି ଅଳ୍ପ ଛେଚି ପାଣିରେ ପକାଇ ରଖନ୍ତି । ସଡ଼ିଗଲେ ତାହାକୁ କାଚି ତହିଁରୁ ତନ୍ତୁ ବାହାର କରନ୍ତି । ଏହି ପ୍ରଣାଳୀରେ ତନ୍ତୁ ଗୁଡ଼ିକର ସ୍ୱାଭାବିକ ରଙ୍ଗରେ କିଞ୍ଚିତ୍ ବିକୃତି ଘଟିଥାଏ । ଯେବେ ବାରବର୍ଷିଆ ପତ୍ରକୁ ଆଣି ତାହାକୁ ଅଳ୍ପ ପରିମାଣରେ ଛେଚି କୌଣସି ଉପାୟରେ ତହିଁର ଶାଗୁଆ ଅଂଶ ଗୁଡ଼ିକ କାଢ଼ିଦିଆଯାଏ, ତେବେ ତହିଁରୁ ଯେଉଁ ତନ୍ତୁଗୁଡ଼ିକ ବାହାରେ ତାହା ଖୁବ୍ ସୁନ୍ଦର ଓ ସଫା ହୋଇ ବାହାରେ । ଅଳ୍ପ ପରିମାଣରେ ସୂତା ବାହାର କରିବାକୁ ହେଲେ ପତ୍ର ଗୋଟି କେତେ ଆଣି ତାହାକୁ ଅଳ୍ପ ଛେଚି ଗୋଟିଏ ମୁଣ୍ଡା ଛୁରୀଦ୍ୱାରା ସହଜରେ ଏହି ଶାଗୁଆ ଅଂଶଗୁଡ଼ିକ ତାଞ୍ଛି କାଢ଼ି ଦେଇ ପାରିବ ।

 

୧ ନମ୍ବର ଚିତ୍ର ପରି ପତ୍ରଟି ଗୋଟିଏ ସମତଳ ସ୍ଥାନରେ ପକାଇ ମୁଣ୍ଡା ଛୁରୀକୁ ଦୁଇ ହାତରେ ଧରିବ ଏବଂ ତାହାକୁ ପତ୍ରଟି ଉପରେ ମାଡ଼ି ଧରି ତାଞ୍ଛି ଆଣିଲେ ପତ୍ରଟିରୁ ଶାଗୁଆ ଅଂଶଗୁଡ଼ିକ ସହଜରେ ବାହାରିଯିବ । ଶାଗୁଆ ଅଂଶଗୁଡ଼ିକ ବାହାରିଲେ କେବଳ ସଫା ସୂତା ଗୁଡ଼ିକ ରହିଯିବ । ସେହି ସୂତାଗୁଡ଼ିକୁ ଉତ୍ତମରୂପେ ପାଣିରେ ଧୋଇ ଖରାରେ ଶୁଖାଇ ଦେବ । ଶୁଖିଗଲେ ତାହାକୁ ଝାଡ଼ି ଦେଇ ରଖିଦେବ ।

Image

(୨ ନମ୍ବର ଚିତ୍ର)

ଏହି ତନ୍ତୁରେ ଅତି ସୁନ୍ଦର ଡଷ୍ଟର (Duster) ବା ଝାଡ଼ଣ, ପାଁପୋଛ, ବୁରୁଶ୍, ବାଟୁଳିଖଡ଼ାର ଡୋର, ବିଛଣା ବାନ୍ଧିବାର ଫିତା ଏବଂ ସେହିପରି ଅନ୍ୟାନ୍ୟ ଅନେକ ପଦାର୍ଥ କରାଯାଇ ପାରେ । ଏହି ସୂତାରେ ବାଣି କାଟି ବଡ଼ ବଡ଼ ପାଲ, ଘରର ତଳମାନଙ୍କରେ ବିଛାଇବା ପାଇଁ ଫ୍ଳୋର୍‌ ମାଟ୍ (Floor-mat) ବୁଣା ଯାଇ ପରେ । ଏହାର ଦଉଡ଼ି ଖୁବ୍‌ ଶକ୍ତ ଏବଂ ପାଣିରେ ଶୀଘ୍ର ନଷ୍ଟ ହୁଏ ନାହିଁ; ତେଣୁ ଏଥିରେ ବୋଟ ଓ ଜାହାଜ ବାନ୍ଧିବାର ବଡ଼ ବଡ଼ ଦଉଡ଼ିମାନ ପ୍ରସ୍ତୁତ କରାଯାଏ ।

•••

 

ଡଷ୍ଟର (Duster) ବା ଝାଡ଼ଣ

Image

(୨ ନମ୍ବର ଚିତ୍ର)

(୩ ନମ୍ବର ଚିତ୍ର)

କଅଁଳିଆ ଖଜୁରି ପତ୍ରର ଝାଡ଼ଣ ବା ଡଷ୍ଟର (Duster) ବାନ୍ଧିବାର ପ୍ରଣାଳୀ ଏହି ପୁସ୍ତକର ପ୍ରଥମ ଖଣ୍ଡର ୪ର୍ଥ ପୃଷ୍ଠାରେ ବର୍ଣ୍ଣିତ ହୋଇଅଛି । ବାରବର୍ଷିଆର ତନ୍ତୁରେ ଡଷ୍ଟର (Duster) କରିବାର ପ୍ରଣାଳୀ ତାହାଠାରୁ କିଞ୍ଚିତ୍ ପୃଥକ୍ । ୨ ନମ୍ବର ଚିତ୍ର ପରି ଗୋଟିଏ କାଠର ବେଣ୍ଟକୁ ବଢ଼େଇଦ୍ୱାରା କୁନ୍ଦାଇ ନେବ । ତହିଁରେ ଖଣ୍ଡିଏ ସୂତା ବାନ୍ଧିବ । ସୂତାଟି ପାଖରୁ ଆରମ୍ଭ କରି ୩ ନମ୍ବର ଚିତ୍ର ପରି ଅଳ୍ପ ବେକାଏ ବାରବର୍ଷିଆ ତନ୍ତୁ ନେଇ ବେଣ୍ଟରେ ଖଞ୍ଜିବ ଯେପରି ତନ୍ତୁର ମଧ୍ୟ ଭାଗ ସୂତା ନିକଟରେ ତାହା ସଙ୍ଗେ ଲାଗି ରହିବ । ତାପରେ ଥରେ ସୂତାଖଣ୍ଡିକ, ସେହି ତନ୍ତୁକୁ ମିଶାଇ ବେଣ୍ଟର ଅଗର ସରୁଆ ଅଂଶର ଚାରି ପାଖରେ ଗୁଡ଼ାଇ ଆଣିବ । ତାପରେ ପୁଣି ଆଉ ଅଳ୍ପ ବେକାଏ ବାରବର୍ଷିଆ ତନ୍ତୁ ନେଇ ଆଗରୁ ଲଗାଇଥିବା ତନ୍ତୁକୁ ଲଗାଇ ବେଣ୍ଟରେ ଖଞ୍ଜିବ । ଆଉଥରେ ସୂତାକୁ ପୂର୍ବଥର ପରି ବେଣ୍ଟର ଅଗ ଚାରିପାଖରେ ଗୁଡ଼ାଇ ଆଣିବ । ପୁଣି ସେହିପରି ଆଉ ବେକାଏ ତନ୍ତୁ ଖଞ୍ଜି ପୁଣି ସୂତା ଗୁଡ଼ାଇବ । ଏହିପରି କ୍ରମାଗତ ତନ୍ତୁ ବେକାଏ ଲେଖାଏଁ ଖଞ୍ଜି ଖଞ୍ଜି ଓ ସୂତା ଗୁଡ଼ାଇ ଗୁଡ଼ାଇ ବେଣ୍ଟର ଅଗ୍ରଭାଗର ସରୁଆ ଅଂଶକୁ ଅଧା ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ବାନ୍ଧିଯିବ । ଏଥର ବେଣ୍ଟର ମୂଳଆଡ଼କୁ ଥିବା ତନ୍ତୁଗୁଡ଼ିକର ଅଧା ଅଂଶକୁ ମୋଡ଼ି ଓଲଟାଇ ଆଣି ତାହାକୁ ତାହାର ଅନ୍ୟ ଅଧା ଅଂଶ ଉପରେ ତହିଁ ସଙ୍ଗେ ମିଳାଇଦେବ । ଏଥର ସୂତାକୁ ସେହିଠାରେ, ଅର୍ଥାତ୍ ସେହି ମୋଡ଼ା ଅଂଶର ମୂଳ ଉପରେ, ଉତ୍ତମ ରୂପେ ଗୁଡ଼ାଇ ଗୁଡ଼ାଇ ଭିଡ଼ି ଗଣ୍ଠି ପକାଇ ବାନ୍ଧି ଦେବ । ୪ ନମ୍ବର ଚିତ୍ର ଦେଖ । ସେହି ସୂତାଗୁଡ଼ା ହୋଇଥିବା ଅଂଶ ଉପରେ ଯେବେ ଚାରିପାଖରୁ ଚାରି ଗୋଟି କଣ୍ଟା ପିଟି ଦିଆଯାଏ ତେବେ ଡଷ୍ଟର (Duster) ଟିର ତନ୍ତୁଗୁଡ଼ିକ ଟାଣିଲେ ମଧ୍ୟ କୌଣସି ସମୟରେ ବାହାରିଯିବାର ଆଉ ଆଶଙ୍କା ରହିବ ନାହିଁ ।

Image

(୪ ନମ୍ବର ଚିତ୍ର)

(୫ ନମ୍ବର ଚିତ୍ର)

ଖଜୁରିପତ୍ରର ଏହିପରି ଡଷ୍ଟର (Duster) ରେ ଯେପରି କଣ୍ଟା ମରାଯାଏ, ଠିକ୍ ସେହିପରି କଣ୍ଟା ମାରିବ । ପ୍ରଥମ ଖଣ୍ଡ ୪ ପୃଷ୍ଠାରେ ୬ ନମ୍ବର ଚିତ୍ର ଦେଖ । ତା ପରେ ଉକ୍ତ ପୃଷ୍ଠାରେ ଡଷ୍ଟର (Duster) ଗୁଡ଼ିକ ମନୋରମ କରିବା ନିମନ୍ତେ ଯେଉଁ ସବୁ ପ୍ରଣାଳୀ ବର୍ଣ୍ଣିତ ହୋଇ ଅଛି, ସେହି ଅନୁସାରେ ତାହାକୁ ଚିତ୍ରିତ କରିବ ଓ ବେଣ୍ଟକୁ ରଙ୍ଗାଇବ । ୫ ନମ୍ବର ଚିତ୍ର ଦେଖ ।

•••

 

ପାଁପୋଛ୍‌

 

ବାରବର୍ଷିଆର ତନ୍ତୁର ସୁନ୍ଦର ଓ ସରୁ ପାଁପୋଛ୍‌ ହୋଇ ପାରିବ । ସେ ପ୍ରକାର ପାଁପୋଛ୍‌ ଗାଲିଚା ବୁଣିବାର ପ୍ରଣାଳୀରେ ବୁଣିଲେ ତାହାକୁ ନାନା ରଙ୍ଗରେ ଚିତ୍ର ବିଚିତ୍ର କରି ବୁଣାଯାଇ ପାରିବ । ଗାଲିଚା ବୁଣିବାର ପ୍ରଣାଳୀ ଏହି ପୁସ୍ତକର ୫ମ ଖଣ୍ଡରେ ବର୍ଣ୍ଣିତ ହୋଇଅଛି । ଏ ପାଁପୋଛ୍‌ ଗୃହ ମଧ୍ୟରେ ପଲଙ୍କ ନିକଟରେ ବ୍ୟବହାର କରିବାର ଉପଯୁକ୍ତ । ଏହାର ଟାଣି ଓ ଭରଣି ପାଇଁ ମଧ୍ୟ ଏହି ବାରବର୍ଷିଆର ଡୋର ବାଣି କାଟିଲା ପରି ବଳି ବ୍ୟବହାର କରିବାକୁ ହେବ-

Image

(୬ ନମ୍ବର ଚିତ୍ର)

ଘରର ଦୁଆର ମୁହଁରେ ପକାଇବା ପାଇଁ ମୋଟା ପାଁପୋଛ୍‌ କରିବାକୁ ହେଲେ ନଡ଼ିଆକତାର ବୁରୁଶ୍ ପାଁପୋଛ୍ କରିବା ପ୍ରଣାଳୀରେ ଏହି ପାଁପୋଛ୍‌ କରିବାକୁ ହେବ । ୬ ନମ୍ବର ଚିତ୍ର ଦେଖ । ନଡ଼ିଆ କତାରେ ବୁରୁଶ୍‌ ପାଁପୋଛ କରିବାର ପ୍ରଣାଳୀ ଏହି ପୁସ୍ତକରେ ଅନ୍ୟତ୍ର ବର୍ଣ୍ଣିତ ଅଛି ।

•••

 

ବୁରୁଶ୍ (Brush)

Image

(୭ ନମ୍ବର ଚିତ୍ର)

ବାରବର୍ଷିଆରେ ସୁନ୍ଦର ବୁରୁଶ୍ କରାଯାଇ ପାରେ । ବୁରୁଶ୍ କରିବା ନିମନ୍ତେ ପ୍ରଥମେ ଖଣ୍ଡିଏ ନରମ କାଠର ପଟା (କିରାସିନ୍ ବାକ୍ସର ପଟା ହେଲେ ଚଳିବ) ହତା ରଖି ବୁରୁଶ୍ ଆକାରରେ କାଟି ନେବ । ୭ ନମ୍ବର ଚିତ୍ର ପରି ତହିଁର ଏକ ପାର୍ଶ୍ୱରୁ ସାମାନ୍ୟ ଦାଢ଼ ଓ ହତା ଅଂଶ ବାଦ୍‌ଦେଇ ଅବଶିଷ୍ଟ ଅଂଶରୁ ଅଧଇଞ୍ଚ ପରିମାଣରେ ଖୋଳି ଖାଲ କରିଦେବ । ଖାଲୁଆ ଅଂଶଟି ସମାନ କରିଦେବ । ସେହି ଖାଲୁଆ ଅଂଶରେ ଗୋଟିଏ ସରୁ ଭଅଁର ଦ୍ୱାରା ଧାଡ଼ି ଧାଡ଼ି କରି ଗୁଡ଼ିଏ ଛିଦ୍ର କରିବ । ସେହି ଛିଦ୍ରଗୁଡ଼ିକରେ ଅପର ପାର୍ଶ୍ୱରୁ କେତେଗୁଡ଼ିଏ ବାରବର୍ଷିଆର ତନ୍ତୁକୁ ଏକତ୍ର ଧରି ତାହାକୁ ମଝିରୁ ଭାଙ୍ଗିଦେଇ ପୂରାଇ ଦେବ । ଏବଂ ଖଣ୍ଡିଏ ସରୁ ତାର ସେମାନଙ୍କର ଭାଙ୍ଗ ମଧ୍ୟରେ ପୂରାଇ ସେଗୁଡ଼ିକୁ ଗୁନ୍ଥିଯିବ, ଯେପରି କି ସେହି ତାର ଖଣ୍ଡିକ ଅନ୍ୟ ପାଖରୁ ବାହାରୁଥିବା ସମସ୍ତ ମୁଣ୍ଡଗୁଡ଼ିକୁ ଗୁନ୍ଥି ଅଟକାଇ ରଖି ପାରିବ । ଶେଷକୁ ତାର ଖଣ୍ଡିକର ଦୁଇ ମୁଣ୍ଡ ମୋଡ଼ି ଅଟକାଇ ଦେବ ।

 

ତହିଁରେ ଢାଙ୍କୁଣି ଦେବା ପାଇଁ ଆଉ ଖଣ୍ଡିଏ ଭଲ ପଟା ଠିକ୍ ବୁରୁଶ୍‌ର ମାପରେ କାଟି ତାହାକୁ ବୁରୁଶ୍‌ର ଖାଲୁଆ ଅଂଶ ଉପରେ ବସାଇ ଦାଢ଼େ ଦାଢ଼େ କଣ୍ଟା ମାରିଦେବ ଏବଂ ଶିରିଷ ଅଠାଦ୍ୱାରା ଦୁଇ ପଟାକୁ ଯୋଡ଼ି ମିଶାଇ ଦେବ, ଯେପରି ତାହା ଅନ୍ୟ ଅଂଶ ସଙ୍ଗେ ଉତ୍ତମରୂପେ ମିଶିଯିବ । ପଟା ଖଣ୍ଡିକ ବସାଇବା ପୂର୍ବରୁ ଦେଖିବ ଯେ, ଅନ୍ୟ ପାଖରୁ ବାହାରିଥିବା ମୁଣ୍ଡିଗୁଡ଼ିକ ସମାନ ହୋଇ ରହିଥିବ । ଯେବେ ଅସମାନ ହୋଇଥାଏ, ତାହାହେଲେ ଆଗେ ଖଣ୍ଡିଏ ପଟାରେ ପିଟି ସେଗୁଡ଼ିକ ସମାନ କରିଦେବ, ତା ପରେ ଢାଙ୍କୁଣି ବସାଇବ ।

 

ତନ୍ତୁଗୁଡ଼ିକର ଅଗକୁ କଇଞ୍ଚିରେ କାଟି ସମାନ କରିଦେବ । ଉପର ପଟା ଖଣ୍ଡିକର ଚାରିପାଖରେ ରନ୍ଦା ମାରି ତଳର ପଟା ସଙ୍ଗେ ତାକୁ ମିଶାଇ ଦେବ । ପଟାର ଦାଢ଼କୁ ଢାଲୁଆ କରିଦେବ । ପଟାକୁ ଶିରିଷ କାଗଜ ଘସି ପାଲିସ୍‌ କରିଦେବ । ପିଠିର କାଠ ଅଂଶ ଓ ହତାରେ ବାର୍ଣ୍ଣିସ୍‌ ବା ପାଲିସ୍‌ ରଙ୍ଗ ଦେଇ ବୁରୁଶ୍‌କୁ ସମ୍ପୂର୍ଣ୍ଣ କରିବ ।

 

ଠିକ୍ ଏହି ପ୍ରଣାଳୀରେ ଘୋଡ଼ାବାଳକୁ କାଟି ମଧ୍ୟ ବୁରୁଶ୍‌ କରାଯାଇ ପାରେ ।

•••

 

ବିଛଣା ବାନ୍ଧିବାର ଫିତା

Image

(୮ ନମ୍ବର ଚିତ୍ର)

ବାରବର୍ଷିଆର ତନ୍ତୁରେ ବିଛଣା ବାନ୍ଧିବାର ସୁନ୍ଦର ଫିତା ହୋଇ ପାରେ । ଏହା ଯେପରି ଶକ୍ତ ସେହିପରି ବ୍ୟବହାରର ଉପଯୋଗୀ । ଫିତା ମୁଣ୍ଡରେ ଗୋଟିଏ ଗୋଟିଏ ବକ୍‌ଲସ୍‌ (Buckles) ଲଗାଇବାକୁ ହୁଏ । ସେହି ବକ୍‌ଲସ୍‌ (Buckles) ଗୋଟିଏ ପ୍ରଥମେ ବଜାରରୁ ନେଇ ତହିଁର କଡ଼ା ମଧ୍ୟରେ ବେକାଏ ବାରବର୍ଷିଆ ତନ୍ତୁ ପୂରାଇ ତାହାକୁ ମଝିରୁ ଦୁଇ ଭାଙ୍ଗ କରି ମୋଡ଼ି ଆଣି ପଦାରେ ଏକାଠି ମିଶାଇ ଧରିବ । ତାପରେ ସେଗୁଡ଼ିକୁ ୬ କେରା ବା ୭ କେରାରେ ଭାଗ କରିବ । ତାଳପତ୍ରର ୬ ବା ୭ ଶାଖାରେ ପଟି ବୁଣିବାର ଯେଉଁ ପ୍ରଣାଳୀ ପ୍ରଥମ ଭାଗରେ ବର୍ଣ୍ଣିତ ଅଛି, ଠିକ୍ ସେହି ପ୍ରଣାଳୀରେ ଏହି ୬ ବା ୭ କେରାକୁ ବୁଣିଗଲେ ସୁନ୍ଦର ବାରବର୍ଷିଆର ପଟି ଗୋଟିଏ ଫିତା ପରି ହେବ । ୮ ନମ୍ବର ଚିତ୍ର ଦେଖ । ତନ୍ତୁଗୁଡ଼ିକ ଭିନ୍ନ ଭିନ୍ନ ରଙ୍ଗରେ ରଙ୍ଗାଇ ଭିନ୍ନ ଭିନ୍ନ କେରାଗୁଡ଼ିକ ରଙ୍ଗ ଅନୁସାରେ ଯେବେ ସଜାଇ ବୁଣିବ, ତେବେ ଫିତାଟି ଆହୁରି ମନୋରମ ହେବ ।

 

ପ୍ରଥମରୁ ଯେବେ ବକ୍‌ଲସ୍‌ (Buckles)ରେ ତନ୍ତୁ ଦେଇ ଫିତା ନ ବୁଣିଥାଅ, ତେବେ ଫିତାର ମୁଣ୍ଡ ବକ୍‌ଲସ୍‌ ମଧ୍ୟରେ ପୂରାଇ ତାହାକୁ ମୋଡ଼ିଆଣି ସିଲାଇ କରିଦେଲେ ଚଳିବ ।

Image

(୯ ନମ୍ବର ଚିତ୍ର)

୯ ନମ୍ବର ଚିତ୍ର ପରି ଡବଲ ଫିତା କରିବାକୁ ହେଲେ ପ୍ରଥମେ ଦୁଇଗୋଟି ଫିତା ଉପରେ ବର୍ଣ୍ଣିତ ପ୍ରଣାଳୀରେ ବୁଣି ତା ପରେ ଆଉ ଦୁଇଖଣ୍ଡି ଛୋଟ ଛୋଟ ଫିତା ବୁଣିବାକୁ ହେବ । ବଡ଼ ଫିତା ଦୁଇଟିକୁ ୯ ନମ୍ବର ଚିତ୍ର ପରି ସଂଯୁକ୍ତ କରି ତହିଁରେ ଗୋଟିଏ ହତା ଲଗାଇ ଦେଲେ ଧରିବା ନିମନ୍ତେ ସୁବିଧା ହେବ । ସୁଟ୍‌କେସ୍‌ ନିମନ୍ତେ ଯେଉଁ ପ୍ରଣାଳୀରେ ହତା ବୁଣିବା ବର୍ଣ୍ଣିତ ହୋଇଅଛି, ସେହି ପ୍ରଣାଳୀରେ ଏହି ହତା ବୁଣିବ ।

•••

 

ଫ୍ଲୋର୍‌ ମାଟ୍ (Floor Mat)

 

ଯେପରି ଝୋଟରେ ବାଣି କଟାଯାଏ, ଠିକ୍ ସେହିପରି ଏହି ବାରବର୍ଷିଆ ତନ୍ତୁରେ ସରୁ ବାଣି କାଟିବ । ସେହି ବାଣିକୁ ସତରଞ୍ଜି ବୁଣିବା ପ୍ରଣାଳୀରେ ବୁଣି ଇଚ୍ଛାମତେ ବଡ଼ ଫ୍ଲୋର ମାଟ୍‌ (Floor Mat) ପ୍ରସ୍ତୁତ କରି ପାରିବ । ବାଣିଗୁଡ଼ିକ ଭିନ୍ନ ଭିନ୍ନ ରଙ୍ଗରେ ରଙ୍ଗ କଲେ ନାନାପ୍ରକାର ଚିତ୍ର ବିଚିତ୍ର ମଧ୍ୟ କରାଯାଇ ପାରିବ । ଭୂମିରେ ବିସ୍ତାର କରି ବୁଣିଲେ ଏହା ଅଧିକ ବଡ଼ କରାଯାଇ ପାରେ । ଫ୍ଲୋର୍ ମାଟ୍ (Floor Mat) ବୁଣିବା ପ୍ରଣାଳୀ ବୟନଶିଳ୍ପ ମଧ୍ୟରେ ବର୍ଣ୍ଣିତ ହୋଇଥିବା ବଡ଼ ସତରଞ୍ଜି ବୁଣିବା ପ୍ରଣାଳୀ ପରି । ୫ମ ଖଣ୍ଡ ଦେଖ । କେବଳ ଏଥିର ଭରଣି ଅଳ୍ପ ଢିଲାରଖି ବୁଣିବ ।

•••

 

କଦଳୀ ଗଛ

 

କଦଳୀ ଗଛ ଗୋଟିଏ ସମ୍ପୂର୍ଣ୍ଣ ତନ୍ତୁମୟ ବୃକ୍ଷ । କେବଳ ଏହାର ଫଳ ଛଡ଼ା ଅନ୍ୟ ସମସ୍ତ ଅଂଶ ତନ୍ତୁରେ ପୂର୍ଣ୍ଣ । କଦଳୀ ଗଛର ତନ୍ତୁ ବେଶ୍ ଲମ୍ବା ଏବଂ ସରୁ । ଏଥିରୁ ରେସମଠାରୁ ଅଧିକ ସରୁ ତନ୍ତୁ ବାହାରି ପାରେ । ମାତ୍ର ରେସମ ପରି ଏହା ଶକ୍ତ ନୁହେଁ । ଅନୁଶୀଳନଦ୍ୱାରା ଏହାର ଏହି ଗୁଣର ଉନ୍ନତି କରାଯାଇ ପାରେ । ମାତ୍ର ଆମ ଦେଶର ଲୋକେ ଏହି ତନ୍ତୁର ପ୍ରାୟ କୌଣସି ବ୍ୟବହାର କରୁ ନାହାନ୍ତି । ଏହା ଅକାରଣରେ ନଷ୍ଟ ହେଉଅଛି । ପୂର୍ବେ ଧୋବାମାନେ ଏହି କଦଳୀ ଗଛର ବକଳ ବା ବାସୁଙ୍ଗାକୁ ଶୁଖାଇ ସେଗୁଡ଼ିକୁ ପୋଡ଼ି ତହିଁରୁ ଖାର ବାହାର କରୁଥିଲେ । ସେହି ଖାରରେ ଲୁଗା ସଫା କରୁଥିଲେ । ବର୍ତ୍ତମାନ ଅଳ୍ପ ମୂଲ୍ୟରେ ବିଦେଶରୁ ସୋଡ଼ା ଆମଦାନି ହେଉଥିବାରୁ ତାହାର ସେ ବ୍ୟବହାର ପ୍ରାୟ ଉଠିଗଲାଣି ।

 

ନଡ଼ିଆ ଏବଂ ଝୋଟ ଯେପରି ସବୁ ଦେଶରେ ଜନ୍ମି ପାରେ ନାହିଁ, କଦଳୀ ଗଛ ମଧ୍ୟ ସବୁ ଦେଶରେ ଜନ୍ମେ ନାହିଁ । ଏକା କେବଳ ଗ୍ରୀଷ୍ମପ୍ରଧାନ ଦେଶରେ ଜନ୍ମେ । ଭାରତବର୍ଷ, ଆଫ୍ରିକା ଏବଂ ଆମେରିକା ଛଡ଼ା ଅନ୍ୟ କୌଣସି ଦେଶରେ କଦଳୀ ଗଛ ଦେଖାଯାଏ ନାହିଁ ।

Image

(୧ ନମ୍ବର ଚିତ୍ର)

କଦଳୀ ଗଛର କାଣ୍ଡ ଉପରୁ ଫଡ଼ା ଫଡ଼ା ହୋଇ ଯେଉଁ ଲମ୍ବା ବକଳାମାନ ବାହାରେ ତାହା ଶୁଖିଯିବା ପୂର୍ବରୁ ତହିଁରୁ କୌଣସି ଉପାୟରେ ରସଗୁଡ଼ିକ ବାହାର କରିଦେଲେ କେବଳ ତନ୍ତୁଗୁଡ଼ିକ ରହିଯିବ । ସେହି ତନ୍ତୁଗୁଡ଼ିକୁ ତେତେବେଳେ ଛାଇରେ ଶୁଖାଇ ଦେବ । ଶୁଖିଗଲେ ସେଗୁଡ଼ିକୁ ଆସ୍ତେ ଆସ୍ତେ ଝାଡ଼ି ତହିଁର ତନ୍ତୁ ଗୁଡ଼ିକୁ ଅଲଗା ଅଲଗା କରିଦେବ । ମଇଳାଗୁଡ଼ିକ ସମ୍ପୂର୍ଣ୍ଣ ଝଡ଼ିଯାଇ ଯେଉଁ ତନ୍ତୁଗୁଡ଼ିକ ରହିବ, ସେ ତନ୍ତୁଗୁଡ଼ିକ ଉତ୍ତମରୂପେ ଶୁଖିଗଲେ ଅରଟରେ ସୂତାକାଟିଲା ପରି କେତେକଗୁଡ଼ିଏ ତନ୍ତୁକୁ ଏକାଠି ଧରି ସୂତା କାଟିଲେ ସେ ସୂତା ବ୍ୟବହାରର ଉପଯୋଗୀ ହେବ । ଏହି ସୂତାରେ ପିନ୍ଧିବାପାଇଁ ଲୁଗା ବୁଣିଲେ ବର୍ତ୍ତମାନ ସେ ସୂତା ସମ୍ବନ୍ଧେ ଯେଉଁ ଜ୍ଞାନ ଜନ୍ମିଅଛି, ସେହି ଅବସ୍ଥାରେ ତାହା ଅଧିକ ଶକ୍ତ ହୋଇ ନ ପାରେ । ଜାମା ଓ ଚାଦର ମଧ୍ୟ ଅଧିକ ଦିନ ଟେକି ନ ପାରେ । କିନ୍ତୁ ଟେବୁଲ୍‌ରେ ପକାଇବାର ଚାଦର (Table Cloth) ପରଦା (Screen) ଓ ତଦ୍ରୁପ ଅନ୍ୟାନ୍ୟ ନାନା ପ୍ରକାର ବ୍ୟବହାରର ଉପଯୋଗୀ ପଦାର୍ଥ ଏହି ସୂତାଦ୍ୱାରା ସହଜରେ କରାଯାଇ ପାରେ ।

Image

(୨ ନମ୍ବର ଚିତ୍ର)

ଏହାର ରସ ବାହାର କରିବା ପାଇଁ କପାଖାଇ ପରି ଗୋଟିଏ ଯନ୍ତ୍ର ବ୍ୟବହାର କରାଯାଇ ପାରେ । କେବଳ ତହିଁର ଖାଇ କାଠି ଦୁଇଟି ସାଧାରଣ କପାଖାଇର କାଠି ଅପେକ୍ଷା ମୋଟା ହେବା ଆବଶ୍ୟକ । ୨ ନମ୍ବର ଚିତ୍ର ଦେଖ ।

Image

(୩ ନମ୍ବର ଚିତ୍ର)

ଯେବେ ବହୁପରିମାଣରେ ଏହି ସୂତା ସଂଗ୍ରହ କରିବାର ସୁବିଧା କରି ପାରିବ ତେବେ ୩ ନମ୍ବର ଚିତ୍ର ପରି ୨ ଫୁଟ ବା ତତୋଽଧିକ ମୋଟା ଦୁଇଗୋଟି ଗୋଲ କାଠ ବା ରୋଲର୍ (Roller) କୁନ୍ଦାଇ ନେବ । ସେହି ଗୋଲ କାଠ (Roller) ଦୁଇଟିର ଦୁଇମୁଣ୍ଡ ୩ ନମ୍ବର ଚିତ୍ର ପରି ଏକ ପାଖରେ ୬ ଇଞ୍ଚ ଓ ଅନ୍ୟ ପାଖରେ ପ୍ରାୟ ୧ ଫୁଟ କରି ଅଂଶ ସରୁ କରିଦେବ । ଦୁଇଗୋଟି ମୋଟା ଚଉପାଟିଆ ଖୁଣ୍ଟରେ ଫୋଡ଼ କରି ରୋଲର ଦୁଇଟିକୁ ଚିତ୍ରରେ ଯେପରି ଖଞ୍ଜା ହୋଇଅଛି ସେହିପରି ସେ ଦୁଇ ଖୁଣ୍ଟରେ ଖଞ୍ଜି ଦେବ । ରୋଲରମାନଙ୍କର ବଢ଼ିଥିବା ସରୁ ମୁଣ୍ଡ ଦୁଇଟିରୁ ଗୋଟିଏ ବାମକୁ ଓ ଗୋଟିଏ ଡାହାଣକୁ ବାହାରି ରହିବ ଏବଂ ସେହି ଅଂଶର ଅଗକୁ ଚାରିକୋଣିଆ କରି ତହିଁରେ ଗୋଟିଏ ଗୋଟିଏ ବଡ଼ ହତା ଲଗାଇ ଦେବାକୁ ହେବ । ସେହି ହତାକୁ ଧରି ରୋଲରକୁ ଘୂରାଇବାକୁ ହେବ ।

 

ଯେବେ କେବଳ ମୋଟ ରୋଲର ଦୁଇଟି କୁନ୍ଦାଇ ତହିଁଭିତରେ ଲୁହାର ଅଖ ଭରତି କରି ଦିଆଯାଏ ଏବଂ ସେହି ଲୁହାର ଦଣ୍ଡା ଦୁହିଙ୍କ ଅଗରେ ବଡ଼ ରଖି ତାହାକୁ ବଙ୍କାଇ ଦେଇ ଦୁଇଟି ହତା କରାଯାଏ, ତାହାହେଲେ ଆହୁରି ଅଧିକ ସୁବିଧା ହେବ । ଲୁହା ଅଖର ଯେଉଁ ଅଂଶ ରୋଲର ଭିତରେ ରହିବ ତାହାକୁ ଚାରିକୋଣିଆ କଲେ ସୁବିଧା ହେବ ।

 

ଖୁଣ୍ଟ ଦୁଇଟିକୁ ଶକ୍ତ କରି ଭୂମିରେ ପୋତି ଛିଡ଼ା କରିଦେବ । ରୋଲର୍ ଦୁଇଟି ୩ ନମ୍ବର ଚିତ୍ରରେ ଯେପରି ଖଞ୍ଜା ଯାଇଅଛି, ସେହିପରି ଖଞ୍ଜିଦେବ ।

 

କଦଳୀଗଛରୁ ସେହି ଫଡ଼ା ଫଡ଼ା ଖୋଳପାଗୁଡ଼ିକ କଞ୍ଚା ଅବସ୍ଥାରେ ରୋଲର ଦୁଇଟିର ସଙ୍ଗମସ୍ଥଳରେ ଆଖୁକୁ ଖୋଇଲା ପରି ଲଗାଇ ଧରି ଦୁଇପାଖରୁ ଦୁଇ ଜଣ ହତା ଦୁଇଟିକୁ ଧରି ବିପରୀତ ଦିଗରେ ବୁଲାଇଲେ କଦଳୀ ଗଛର ସେହି ଫଡ଼ାଗୁଡ଼ିକରୁ ରସ ବାହାରିଯିବ ଏବଂ ଚୋପା ଲାଗିଥିବା ତନ୍ତୁଗୁଡ଼ିକ ଅନ୍ୟ ପାଖକୁ ବାହାରି ପଡ଼ିବ ।

•••

 

କଦଳୀ ପଟୁକାର ଚଟେଇ

 

କଦଳୀଗଛକୁ ଯେବେ ଅନ୍ୟ କିଛି ବ୍ୟବହାରରେ ଲଗାଇ ନ ପାରିବ, ତେବେ ତାହାର ପଟୁକାଗୁଡ଼ିକ ସମାନ ସମାନ କରି କାଟି ଓ ସମାନ ସମାନ କରି ଚିରି ଶୁଖାଇ ଦେବ । ଦୁଇଗୋଟି ଖୁଣ୍ଟ ପୋତି ସେ ଖୁଣ୍ଟରେ ଖଣ୍ଡିଏ ଆଡ଼ି କାଠ ବାନ୍ଧିବ । ତହିଁରେ ଝୋଟର ବାଣିଗୁଡ଼ିଏ ସମାନ ମାପରେ ଝୁଲାଇ ଦେବ । ସେହି ବାଣିଗୁଡ଼ିକର ଦୁଇ ମୁଣ୍ଡରେ ଦୁଇଖଣ୍ଡି ଲେଖାଏଁ ଡେଣୁଆ ଅର୍ଥାତ୍ ଗୋଡ଼ି ବା ଛୋଟ ଛୋଟ ଇଟା ୨ ଖଣ୍ଡ ବା ପଥର ୨ ଖଣ୍ଡ ବାନ୍ଧିଦେଲେ ବାଣିଗୁଡ଼ିକ ସରଳଭାବରେ ଝୁଲି ରହିବ । ତହିଁଉପରେ ଖଣ୍ଡିଏ ଲେଖାଏଁ ଶୁଖିଲା ପଟୁକା ରଖି ସାଧାରଣ ହେଁସ ବୁଣିଲା ପରି ବାଣିଗୁଡ଼ିକର ଏକ ପାଖର ଡେଣୁଆ ଅନ୍ୟପାଖକୁ ଓ ଅନ୍ୟ ପାଖର ଡେଣୁଆଟି ପ୍ରଥମ ପାଖକୁ ଆଣି ବୁଣିଗଲେ ବେଶ୍ ସୁନ୍ଦର ଖଣ୍ଡିଏ ବସିବାର ଆସନ ହୋଇ ପାରିବ-। ଆକାର ବଡ଼ କଲେ ଶୋଇବା ପାଇଁ ହେଁସ ପରି ମଧ୍ୟ ବ୍ୟବହାର କରାଯାଇ ପାରିବ । ୪ ନମ୍ବର ଓ ୫ ନମ୍ବର ଚିତ୍ର ଦେଖ ।

Image

(୪ ନମ୍ବର ଚିତ୍ର)

(୫ ନମ୍ବର ଚିତ୍ର)

ଖଣ୍ଡିଏ ପଟାରେ ପ୍ରଥମରୁ ସମାନ ଭାଗରେ ମାପ କରି ଛିଦ୍ରଗୁଡ଼ିଏ କରିବ । ତହିଁମଧ୍ୟରେ କେତେଗୁଡ଼ିଏ ବାଣି ଗଳାଇଦେବ । ଦୁଇପ୍ରାନ୍ତରେ ଏକାଠି ଯୋଡ଼ିଏ ଲେଖାଏଁ ବାଣି ଖଞ୍ଜିବ । ବାଣିଗୁଡ଼ିକର ଏକପ୍ରାନ୍ତ ଖଣ୍ଡିଏ ବାଉଁଶରେ ବାନ୍ଧି ତାହା ଦୁଇଖଣ୍ଡି ଖୁଣ୍ଟିରେ ଅଟକାଇ ଦେବ । ସେହିରୂପ ଅନ୍ୟ ପ୍ରାନ୍ତକୁ ମଧ୍ୟ ଆଉ ଖଣ୍ଡିଏ ବାଉଁଶରେ ବାନ୍ଧି ତଦ୍ରୂପ ଦୁଇଖଣ୍ଡି ଖୁଣ୍ଟିଦ୍ୱାରା ଅଟକାଇ ଦେବ । ଲୁଗା ବୁଣିବାର ଟାଣି ସୂତା ଯେପରି ସିଧା ଏବଂ କଷି ହୋଇ ରହିଥାଏ, ସେହିପରି ଏହି ବାଣିଗୁଡ଼ିକ ସରଳ ଭାବରେ କଷି ହୋଇ ରହିବା ପ୍ରତି ଦୃଷ୍ଟି ରଖିବ । ଏହି ବାଣିଗୁଡ଼ିକ ମଧ୍ୟରୁ ଦୁଇଟି ଉଠାଇ ଓ ଦୁଇଟି ପକାଇ ଏହି କ୍ରମରେ ଖଣ୍ଡିଏ ଖଣ୍ଡିଏ ଶୁଖିଲା ପଟୁକା ବୁଣିବ । ଥରେ ବାମ ପାଖକୁ ଓ ଥରେ ଡାହାଣ ପାଖକୁ ପଟୁକାର ଅଗ୍ରଭାଗଟି ରଖି, ସେହି ଅଗ୍ରଭାଗକୁ ତହିଁ ସଂଲଗ୍ନ ଶେଷ ପାଖ ବାଣି ଦୁଇଟିରେ ବୁଲାଇ ଆଣି ଅନ୍ୟ ପଟୁକାଟି ଉପରେ ଗୁଡ଼ାଇ ଛାଡ଼ି ଦେଉଥିବ । ୬ ନମ୍ବର ଚିତ୍ର ଦେଖିଲେ ଯେପରି ଗୁଡ଼ାଇବାକୁ ହେବ ସହଜରେ ବୁଝି ପାରିବ । ଫୋଡ଼ଯୁକ୍ତ ପଟାଖଣ୍ଡିକଦ୍ୱାରା ପ୍ରତିଥର ବୁଣିବା ପରେ ବୁଣା ହେଉଥିବା ପଟୁକାଟିକୁ ଉତ୍ତମରୂପେ ପିଟି ଦେଉଥିବ । ତାହାହେଲେ ଚଟେଇ ଖଣ୍ଡିକ ବରାବର ସମାନ ହୋଇ ବୁଣା ହୋଇଯିବ ।

Image

(୬ ନମ୍ବର ଚିତ୍ର)

ବାଣିଗୁଡ଼ିକ ପ୍ରତିଥର ହାତରେ ଉଠାଇବାକୁ ଓ ପକାଇବାକୁ ଅନେକ ସମୟ ଲାଗେ । ଅଳ୍ପ ସମୟ ମଧ୍ୟରେ ଅଧିକ ବୁଣିବା ପାଇଁ ୭ ନମ୍ବର ଚିତ୍ର ପରି ଖଣ୍ଡିଏ ତିନି କୋଣିଆ ପଟା ପ୍ରସ୍ତୁତ କରିବ । ତହିଁର ପ୍ରତି ପାଖକୁ ୨ ଇଞ୍ଚ ଲେଖାଏଁ ଚଉଡ଼ା ରଖିବ । ତହିଁର ଦୁଇଗୋଟି ପାଖରେ କରତଦ୍ୱାରା କେତେଗୁଡ଼ିଏ ଘାଇ କାଟିବାକୁ ହେବ । ଚଟେଇରେ ଯେତେ ଅନ୍ତରରେ ବାଣି ଖଞ୍ଜି ବୁଣିବାକୁ ସ୍ଥିର କରିବ ସେହି ଅନୁସାରେ ମାପ କରି ତହିଁରେ ଘାଇଗୁଡ଼ିକ କାଟିବ । ଘାଇଗୁଡ଼ିକ ମଧ୍ୟରୁ ଗୋଟିଏ ଘାଇ ପଟାଟିର ଏକ ପାଖରେ ୧.୫ ଇଞ୍ଚ ପର୍ଯ୍ୟନ୍ତ କଟା ହେଲେ ସେହି ଘାଇଟି ତହିଁର ଅନ୍ୟ ପାଖରେ କେବଳ ଅଧଇଞ୍ଚ ପର୍ଯ୍ୟନ୍ତ କାଟିବାକୁ ହେବ । ତହିଁର ପର ଘାଇଟି କାଟିବା ବେଳେ ଯେଉଁ ପାଖରେ ପ୍ରଥମ ଘାଇଟି ଅଧଇଞ୍ଚ ଗଭୀର ଯାକେ କଟା ହୋଇଥିବ, ସେପାଖରେ ଦ୍ୱିତୀୟ ଘାଇଟି ୧.୫ ଇଞ୍ଚ ଗଭୀର ପର୍ଯ୍ୟନ୍ତ କଟା ହେବ ଏବଂ ଅନ୍ୟ ପାଖରେ ଅର୍ଥାତ୍ ଯେଉଁ ପାଖରେ ପ୍ରଥମ ଘାଇଟି ୧.୫ ଇଞ୍ଚ କଟା ହୋଇଥିବ ସେ ପାଖରେ ଏହି ଘାଇଟି କେବଳ ଅଧ ଇଞ୍ଚ କଟା ହେବ । ତୃତୀୟ ଘାଇଟି ପୁଣି ଠିକ୍ ପ୍ରଥମ ଘାଇ ପରି ଚତୁର୍ଥ ଘାଇଟି ଠିକ୍ ଦ୍ୱିତୀୟ ଘାଇ ପରି କଟାଯିବ । ଏହି କ୍ରମରେ ପଟାଟିରେ ସମସ୍ତ ଘାଇଗୁଡ଼ିକ କଟା ହେବ ।

Image

(୭ ନମ୍ବର ଚିତ୍ର)

ସାଧାରଣତଃ ଚଟେଇ ବୁଣିବା ନିମନ୍ତେ ବାଣିଗୁଡ଼ିକ ଯୋଡ଼ା ଯୋଡ଼ା କରି ଖଞ୍ଜିବାକୁ ହୁଏ । ଯେବେ ସେହି ପ୍ରତ୍ୟେକ ଯୋଡ଼ି ବାଣିରୁ ଗୋଟିଏ ବାଣି ଉପରକୁ ଉଠି ରହେ ଏବଂ ଅନ୍ୟଟି ତଳକୁ ପଡ଼ିଯାଏ ତାହା ହେଲେ ବୁଣିବା କାର୍ଯ୍ୟ ସହଜ ହୋଇଯିବ । ୭ ନମ୍ବର ଚିତ୍ର ପରି ଘାଇ କରାଯାଇଥିବା ପଟା ଖଣ୍ଡିଏ ବ୍ୟବହାର କଲେ ବାଣିଗୁଡ଼ିକ ତହିଁର ଘାଇ ମଧ୍ୟରେ ପଡ଼ି ଗୋଟିଏ ପାଖରେ ଯେଉଁ ବାଣିଗୁଡ଼ିକ ଅଧଇଞ୍ଚ ଘାଇ ଭିତରେ ପଡ଼ିଥିବ ତହିଁର ପାଖର ବାଣିଗୁଡ଼ିକ ୧.୫ ଇଞ୍ଚ ଗଭୀରରେ ଥିବ ଅର୍ଥାତ୍ ଦୁଇ ଧାଡ଼ି ବାଣି ମଧ୍ୟରେ ଏକ ଇଞ୍ଚ ଲେଖାଏଁ ଫାଙ୍କ ହୋଇଯାଇଥିବ-। ସେହି ଫାଙ୍କରେ ଥରେ ବୁଣାଯାଇ ପାରିବ । ପଟାଖଣ୍ଡିକ ଖାଲି ଥରେ ବୁଲାଇ ଦେଲେ ଯେଉଁ ବାଣିଗୁଡ଼ିକ ୧.୫ ଇଞ୍ଚ ଗଭୀରରେ ଥିଲା ଏଥର ସେଗୁଡ଼ିକ ଅଧଇଞ୍ଚ ଘାଇରେ ପଡ଼ି ଉପରକୁ ଉଠି ରହିବ । ଯେଉଁ ବାଣିଗୁଡ଼ିକ ପୂର୍ବଥର ଅଧଇଞ୍ଚ ଗଭୀରରେ ପଡ଼ି ଉଠି ରହିଥିଲା, ସେଗୁଡ଼ିକ ଏଥର ୧.୫ ଇଞ୍ଚ ଗଭୀରକୁ ଯାଇ ଦୁଇଧାଡ଼ି ବାଣି ମଧ୍ୟରେ ଏକ ଇଞ୍ଚ ଫାଙ୍କ ହୋଇଯିବ । ଏହି ଫାଙ୍କରେ ଆଉଥରେ ବୁଣାଯାଇ ପାରିବ । ତାହାହେଲେ ବୁଣିବା କାର୍ଯ୍ୟ ସହଜରେ ଓ ଶୀଘ୍ର ଶୀଘ୍ର ସାଧିତ ହେବ ।

ସପ, କେଉଟି, କାଣ୍ଡକାଣ୍ଡିଆ ପ୍ରଭୃତି ଯେତେପ୍ରକାର ପଦାର୍ଥରେ ଚଟେଇ ବୁଣାଯାଏ, ଏହି ପ୍ରଣାଳୀରେ ସେ ସମସ୍ତ ବୁଣାଯାଇ ପାରିବ । ୭ ନମ୍ବର ଚିତ୍ର ପରି ଖଣ୍ଡିଏ ଖଣ୍ଡିଏ ପଟା ବ୍ୟବହାର କଲେ ଅତି ସହଜରେ ଖୁବ୍ ଶୀଘ୍ର ଶୀଘ୍ର ଚଟେଇଗୁଡ଼ିକ ବୁଣା ହୋଇ ପାରିବ ।

ଭେଣ୍ଡି ଗୋଟିଏ ପ୍ରଧାନ ବାର୍ଷିକ ପରିବା, ଭେଣ୍ଡି ପ୍ରାୟ ସମସ୍ତେ ଲଗାନ୍ତି । ଫଳ ଖାଇ ସାରିଲେ ଗଛଗୁଡ଼ିକ ଲୋକେ କାଟି ଫୋପାଡ଼ି ଦିଅନ୍ତି କିମ୍ବା ଜାଳ କରନ୍ତି । ଭେଣ୍ଡି ଗଛର ଛାଲରୁ ଯେ ଅତିସୁନ୍ଦର ତନ୍ତୁ ବାହାରି ପାରେ, ତାହା ପ୍ରତି କେହି କେବେ ଦୃଷ୍ଟି ଦିଅନ୍ତି ନାହିଁ ।

ଗୁଡ଼ ରାନ୍ଧିବା ସମୟରେ କେହି କେହି ଭେଣ୍ଡି ଗଛକୁ ଛେଚି ତହିଁର ରସ ସେହି ଗୁଡ଼ରେ ପକାନ୍ତି, ତଦ୍ଦ୍ୱାରା ଗୁଡ଼ ସଫା ହୁଏ । ତେତେବେଳେ ମଧ୍ୟ ଛାଲରୁ ତନ୍ତୁଗୁଡ଼ିକ ସହଜରେ ସଂଗ୍ରହ କରି ପାରନ୍ତେ । ମାତ୍ର ତାହା କେହି କରନ୍ତି ନାହିଁ ।

 

ଭେଣ୍ଡି ଗଛର ଫଳ ବନ୍ଦ ହୋଇଗଲେ, ଗଛଗୁଡ଼ିକ କାଟି ତହିଁର ଛାଲଗୁଡ଼ିକୁ ବିଡ଼ା ବିଡ଼ା କରି ବାନ୍ଧି ଚାରି ପାଞ୍ଚଦିନ ପାଣିରେ ବତୁରାଇ ରଖିଲେ ସେଗୁଡ଼ିକ ସଢ଼ିଯିବ । ତତ୍ପରେ ତାହାକୁ ପାଣିରୁ କାଢ଼ି ଉତ୍ତମରୂପେ କାଚିଦେଲେ ତହିଁରୁ ସୁନ୍ଦର ତନ୍ତୁଗୁଡ଼ିଏ ବାହାରିବ । ଝୋଟ ପରି ତାହାକୁ ନାନା କାର୍ଯ୍ୟରେ ବ୍ୟବହାର କରି ପାରିବ ।

 

ଲେଉଆ (ଆତ) ଗଛର ଛାଲି ବେଶ୍ ତନ୍ତୁମୟ । ଦେବଦାରୁ ଗଛର ଛାଲି ତନ୍ତୁମୟ ଓ ଖୁବ୍‌ ଶକ୍ତ । ଦେବଦାରୁ ଛାଲି ମୋଟା । ତାହାକୁ ଇଚ୍ଛାକ୍ରମେ ଅନେକ ଭାଗରେ ବିଭକ୍ତ କରି ତହିଁରୁ ପରସ୍ତକୁ ପରସ୍ତ କରି ଅନେକ ପରସ୍ତ ବାହାର କରି ହେବ । ପ୍ରତି ପରସ୍ତ ଖଣ୍ଡିଏ ଖଣ୍ଡିଏ ଫିତା ପରି ଶକ୍ତ ଓ ସୁନ୍ଦର ଏବଂ ସରଳ ହୋଇ ବାହାରି ପାରିବ । ସେଗୁଡ଼ିକ ସଫା କରି ନାନା କାର୍ଯ୍ୟରେ ଲଗାଇ ହେବ ।

 

ଆମ୍ଭମାନଙ୍କର ଏହି ଓଡ଼ିଶା ପ୍ରଦେଶର (କୋରାପୁଟ) ଜୟପୁର ମାଳ ଅଞ୍ଚଳରେ କେରମ୍ ନାମକ ଏକପ୍ରକାର ଗଛର ଛାଲରୁ ସେଠାର ଲୋକେ ତନ୍ତୁ ବାହାର କରି ତାହାକୁ କେବଳ ଧୋଇ ସଫା କରି ତହିଁରେ ଲୁଗା ବୁଣନ୍ତି । ସେହି ଲୁଗା ଖୁବ୍ ଶକ୍ତ ଓ ମୋଟା ହୁଏ । ସେହି ଅଞ୍ଚଳର ଅରଣ୍ୟବାସୀ ଲୋକେ ଅଦ୍ୟାପି କେହି କେହି ସେହି ଲୁଗା ବ୍ୟବହାର କରୁଅଛନ୍ତି । ଅନୁଶୀଳନ ହେଲେ ଏହାର ବିଶେଷ ଉନ୍ନତି ହୋଇ ପାରନ୍ତା; ମାତ୍ର କଳ ଲୁଗାର ସୁଲଭ ପ୍ରାପ୍ତି ଓ ସଭ୍ୟତାର କ୍ରମ ବୃଦ୍ଧି ହେତୁ ଏହି ଶିଳ୍ପ କ୍ରମେ ଲୋପ ହୋଇଯିବା ସମ୍ଭବ । ଏଥି ପ୍ରତି ଦୃଷ୍ଟି ଦେଲେ ଗୋଟିଏ ସୁନ୍ଦର ଶିଳ୍ପ ହୁଅନ୍ତା । କୁମ୍ଭୀଗଛର ଛାଲରେ ମଧ୍ୟ ତନ୍ତୁ ଅଛି । ଏ ଛାଲକୁ କୁମ୍ଭୀପଟୁଆ ବାବାଜିମାନେ ଏପର୍ଯ୍ୟନ୍ତ ପିନ୍ଧୁ ଅଛନ୍ତି । ଏହାର ମଧ୍ୟ ଅନୁଶୀଳନ କରାଗଲେ ଯଥେଷ୍ଟ ଉନ୍ନତି ହୋଇ ପାରନ୍ତା । ସେହିପରି ବରଙ୍ଗା ପଟ ଓ ସିଆଡ଼ି ଲଇ ପ୍ରଭୃତିର ଅନୁଶୀଳନ ଆବଶ୍ୟକ ।

 

ଏହିପରି ଆହୁରି କେତେ ପ୍ରକାର ଯେ ତନ୍ତୁମୟ ପଦାର୍ଥ ଆମ୍ଭମାନଙ୍କର ଏହି ଓଡ଼ିଶା ପ୍ରଦେଶରେ ରହିଅଛି, ତାହା କହି ହେଉ ନାହିଁ । ସେଗୁଡ଼ିକର ଅନୁସନ୍ଧାନ ଓ ଅନୁଶୀଳନ କରାଗଲେ ଅନେକ ମୂଲ୍ୟବାନ୍ ନୂତନ ସାମଗ୍ରୀ ତିଆରି ହୋଇ ପାରିବ, ଏଥିରେ ସନ୍ଦେହ ନାହିଁ ।

•••

 

ଦଉଡ଼ି ବଳିବା

Image

(୧ ନମ୍ବର ଚିତ୍ର)

(୨ ନମ୍ବର ଚିତ୍ର)

ଝୋଟ, ଛଣି, ବୋବେଇ, କିଆ, କତା ପ୍ରଭୃତିରୁ ଦୁଇ କେରା ଲେଖାଏଁ ଧରି ଦୁଇ ହାତରେ ମଳି ଦଉଡ଼ି ବଳାଯାଏ । ୧ ନମ୍ବର ଚିତ୍ର ଦେଖ । କୌଣସି ଦଉଡ଼ିକୁ ପାକଳ କରିବାକୁ ହେଲେ ଦଉଡ଼ି ଖଣ୍ଡିକ ଦୁଇ ଜଣଙ୍କୁ ଦୁଇ ମୁଣ୍ଡରେ ଧରି ପରସ୍ପର ବିପରୀତ ଦିଗରେ ବଳିବାକୁ ପଡ଼େ । ୨ ନମ୍ବର ଚିତ୍ର ଦେଖ । କିମ୍ବା ଦଉଡ଼ିର ଏକ ମୁଣ୍ଡ ଗୋଟିଏ ଖୁଣ୍ଟିରେ ବାନ୍ଧି ଅନ୍ୟ ମୁଣ୍ଡରୁ ଜଣେ ବଳି ତାହା ପାକଳ କରେ ।

 

ଏଠାରେ ୩ ନମ୍ବର ଚିତ୍ରରେ ଗୋଟିଏ ସୂକ୍ଷ୍ମ ଯନ୍ତ୍ରର ଛବି ଦିଆଗଲା । ସେହି ଯନ୍ତ୍ର ସାହାଯ୍ୟରେ ଜଣେ ଲୋକ ଏକ ସମୟରେ ୨ ଗୋଟି, ୩ ଗୋଟି, ୪ ଗୋଟି ବା ତତୋଧିକ ସଂଖ୍ୟାର ଦଉଡ଼ି ଅଳ୍ପ ସମୟ ମଧ୍ୟରେ ଏକାବେଳକେ ପାକଳ କରି ପାରିବ । ଗୋଟିଏ ଦଉଡ଼ିରେ ଅନେକ ଗୁଡ଼ିଏ ଖିଅ ଥାଏ । ଯେତେଗୋଟି ଖିଅରେ ଗୋଟିଏ ଦଉଡ଼ି କରିବାକୁ ଇଚ୍ଛା କର, ପ୍ରଥମେ ତେତେଗୋଟି ଖିଅ ଏକତ୍ର କରିବ । ଏହିରୂପେ ଏକତ୍ର କରିଥିବା ୪।୫ ଗୋଟି ଦଉଡ଼ିର ଖିଅଗୁଡ଼ିକ ପୃଥକ୍ ପୃଥକ୍ କରି ଏହି ଯନ୍ତ୍ରର ଏକ ପାଖରେ ବାହାରିଥିବା ଗୋଟିଏ ଗୋଟିଏ ଫଳିର ଏକ ମୁଣ୍ଡରେ ବାନ୍ଧିଦେବ । ତା ପରେ ୩ ନମ୍ବର ଚିତ୍ର ପରି ଖଣ୍ଡିଏ ଡୋର ଫଳି ଗୁଡ଼ିକରେ ଲଗାଇ ଡୋର ଖଣ୍ଡିକର ଦୁଇପ୍ରାନ୍ତ ଦୁଇ ହାତରେ ଧରି ଦହି ମୁହିଁଲାପରି ଟାଣିଲେ ସବୁ ଦଉଡ଼ିଗୁଡ଼ିକ ଏକାବେଳକେ ବୁଲି ପାକଳ ହୋଇ ଯିବ । ଏହି ଡୋର ଖଣ୍ଡିକ ଗୁଡ଼ାଇବାରେ କିଛି ବିଶେଷତ୍ୱ ଅଛି-। ୩ ନମ୍ବର ଚିତ୍ରକୁ ଉତ୍ତମରୂପେ ନିରୀକ୍ଷଣ କରି ଦେଖିଲେ ଏହା ସହଜରେ ବୁଝି ପାରିବ । ଡୋରଟି ଗୁଡ଼ାଇବାରେ ଭୁଲ ହୋଇଗଲେ ଡୋରଟି ଟାଣିବା ବେଳକୁ ଫଳିଗୁଡ଼ିକ ଏକଆଡ଼କୁ ନ ବୁଲି ବଣା ହୋଇ ବୁଲିବେ । ତାହାହେଲେ ଏକ ହାତରେ ଟାଣିବା ବେଳକୁ ଯେତିକି ବଳା ହୋଇ ଥିବ ଅନ୍ୟ ହାତରେ ଟାଣିବା ବେଳକୁ ସେଗୁଡ଼ିକ ଫିଟିଯାଇ ପାରେ; ତେଣୁ ଡୋରଟି ଫରମାର ସଭା ଉପର ଫଳିରେ ଆଦୌ ଗୁଡ଼ା ହେବ ନାହିଁ । କେବଳ ତାହା ଉପରେ ବୁଲି ଆସିବ । ଦ୍ୱିତୀୟ ଫଳିଠାରୁ ଶେଷ ଫଳି ପର୍ଯ୍ୟନ୍ତ କେବଳ ଗୋଟିଏ ଦିଗରେ ବୁଲାଇ ବୁଲାଇ ସବୁ ଫଳିରେ ଏକ ଦିଗରେ ଗୁଡ଼ାଇବାକୁ ହେବ । ୩ ନମ୍ବର ଚିତ୍ର ଦେଖ ।

Image

(୩ ନମ୍ବର ଚିତ୍ର)

ସେହି ଯନ୍ତ୍ରଟିର ଦୁଇଗୋଟି ବାହୁ କେବଳ ଦୁଇ ଖଣ୍ଡି ଦୁଇ ଇଞ୍ଚ ଚଉଡ଼ା ଓ ୧ ଇଞ୍ଚ ମୋଟା ବିଶିଷ୍ଟ ପଟା ଅଟେ । ତହିଁର ତଳେ ଏବଂ ଉପରେ ଆଉ ଦୁଇଖଣ୍ଡି ପଟା ଲାଗିଅଛି । ଉପର ପଟାର ଉପର ଆଁଶ ମାରି ଗୋଲ କରାଯାଇଅଛି । ସମସ୍ତ ଫରମାଟି ପ୍ରାୟ ୩ ଫୁଟ ଏବଂ ୧.୫ ଫୁଟ ଚଉଡ଼ା ଅଟେ । ବାହୁ ଦୁଇଟିରେ ୫ ଗୋଟି ଲେଖାଏଁ ଫୋଡ଼ କରାଯାଇ ତହିଁରେ ୫ ଗୋଟି ଫଳି ପ୍ରତ୍ୟେକ ପ୍ରାୟ ୬ ଇଞ୍ଚ ଅନ୍ତରରେ ଖଞ୍ଜାଯାଇଅଛି । ଫଳିଗୁଡ଼ିକ ଗୋଟିଏ ଗୋଟିଏ ବେଲଣାକାଠି ଆକାରରେ ଗଢ଼ା, କେବଳ ବେଲଣାକାଠିଠାରୁ କିଛି ଅଧିକ ଲମ୍ବା । ଫଳିଗୁଡ଼ିକ ଫୋଡ଼ଗୁଡ଼ିକରେ ଏପରି ଢିଲା ହୋଇ ରହିଅଛି, ଯେପରି ସେ ଗୁଡ଼ିକ ଖୁବ୍ ସରଳଭାବରେ ବୁଲି ପାରିବ । ଫଳିଗୁଡ଼ିକର ଏକ ପ୍ରାନ୍ତରେ ଗୋଟିଏ ଗୋଟିଏ ଛୋଟ କଣ୍ଟା ମରା ହୋଇଅଛି; ଦଉଡ଼ି ଗୋଟିଏ ବାନ୍ଧିଦେଲେ ସେହି କଣ୍ଟାରେ ଅଟକି ରହି ପାରିବ ।

 

ଦଉଡ଼ି ବଳିବା ସମୟରେ ଫରମାଟି କୌଣସି ଗୋଟିଏ ଉଚ୍ଚ ସ୍ଥାନରେ ରଖି ତାହାକୁ ଶକ୍ତ କରି ବସାଇ ଦେବାକୁ ହେବ କିମ୍ବା ଗୋଟିଏ ଖୁଣ୍ଟରେ ବା ଗଛରେ ଶକ୍ତ କରି ବାନ୍ଧି ଦେବାକୁ ପଡ଼ିବ । ଯେପରି ଦଉଡ଼ି ପାକଳ କଲାବେଳେ ତାହା ହଲଚଲ ହେବ ନାହିଁ । ୩ ନମ୍ବର ଚିତ୍ରରେ ଫରମାଟି ଗୋଟିଏ ଟୁଲ ଉପରେ ରଖାଯାଇ ତାହାକୁ ତାହାର ପଛଆଡ଼େ ଗୋଟିଏ ଖୁଣ୍ଟରେ ବାନ୍ଧି ଦିଆଯାଇଅଛି ।

 

ଦଉଡ଼ିଗୁଡ଼ିକ, ଯାହାକୁ କି ପାକଳ କରିବାକୁ ହେବ, ତାହାକୁ ସଜାଡ଼ି ସେଥିରୁ ଗୋଟିଏ ଲେଖାଏଁ ପ୍ରତ୍ୟେକ ଫଳିର ମୁଣ୍ଡରେ ଯନ୍ତ୍ରଟିର ବାହୁ ଓ ଫଳି ମୁଣ୍ଡର କଣ୍ଟାଟି ମଧ୍ୟରେ ବାନ୍ଧିଦେବ । ଦୁଇଟି ବା ତତୋଽଧିକ ଡୋର ଏକତ୍ର ବଳି ପାକଳ କରିବାକୁ ହେଲେ ପ୍ରଥମେ ସେହି ପ୍ରଣାଳୀରେ ଡୋରଗୁଡ଼ିକୁ ପାକଳ କରି ନେଲା ପର ଦୁଇଟି ବା ତତୋଽଧିକ ଡୋରକୁ ଏକତ୍ର କରି ଗୋଟିଏ ଲେଖାଏଁ ଦଉଡ଼ି ଗୋଟିଏ ଗୋଟିଏ ଫଳିର ଅଗ୍ରଭାଗରେ ବାନ୍ଧିଦେବ । ସେଗୁଡ଼ିକ ଏକଶତ ହାତ ବା ତହିଁରୁ ଅଧିକ ଲମ୍ବା ହେଲେ ମଧ୍ୟ ଏକପ୍ରାନ୍ତକୁ ଫଳିରେ ବାନ୍ଧି ଅନ୍ୟ ପ୍ରାନ୍ତ ଯେତେଦୂର ଯିବ ସେଠାରେ କୌଣସି ଖୁଣ୍ଟ ବା ଗଛର ଡାଳ ବା ଅନ୍ୟ କୌଣସି ସ୍ଥାନରେ ବାନ୍ଧିବାକୁ ହେବ ।

Image

(୪ ନମ୍ବର ଚିତ୍ର)

ତା ପରେ କସ ଦଉଡ଼ିଖଣ୍ଡିକଦ୍ୱାରା ୩ ଓ ୪ ନମ୍ବର ଚିତ୍ରପରି ଫଳିଗୁଡ଼ିକ ଛନ୍ଦି କସ ଦଉଡ଼ିର ଦୁଇମୁଣ୍ଡରେ ଧରିବା କାରଣ ଦୁଇଖଣ୍ଡି ଛୋଟକାଠି ବାନ୍ଧି ସେହି କାଠିକୁ ଦୁଇ ହାତରେ ଦୁଇଟି ଧରି ଦହି ମୁହିଁଲା ପରି ଟାଣିଲେ ଫଳିଗୁଡ଼ିକ ଏକଆଡ଼କୁ ବୁଲି ଦଉଡ଼ିଗୁଡ଼ିକ ପାକଳ ହୋଇଯିବ ।

 

ଯନ୍ତ୍ରଟି ୩ ନମ୍ବର ଚିତ୍ର ପରି ଗୋଟିଏ ଫରମା ପରିବର୍ତ୍ତରେ ଦୁଇଗୋଟି ଖୁଣ୍ଟରେ ଫୋଡ଼ କରି ସେହି ଫୋଡ଼ ମଧ୍ୟରେ ଫଳିଗୁଡ଼ିକ ଖଞ୍ଜି ଖୁଣ୍ଟ ଦୁଇଟି ଭୂମିରେ ଶକ୍ତ କରି ପୋତି ଦେଲେ ଅଧିକ ସୁବିଧା ହେବ । ଖୁଣ୍ଟ ଦୁଇଟିର ମୁଣ୍ଡ ଉପରେ କେବଳ ଖଣ୍ଡିଏ ପଟା କଣ୍ଟାମାରି ବସାଇ ଦେବ । ପଟାର ଉପରିଭାଗ ଗୋଲକରି ଖଣ୍ଡିଏ କସଦଉଡ଼ି ତାହାରି ଉପରେ ବୁଲାଇଆଣି ଫଳିଗୁଡ଼ିକରେ ଗୁଡ଼ାଇ ଆଣିବ । ଏହି ଖୁଣ୍ଟ ନିକଟରେ ତଳେ ବସିଲେ କସ ଦଉଡ଼ି ଟାଣିବାକୁ ଅଧିକ ସୁବିଧା ହେବ । ୪ ନମ୍ୱର ଚିତ୍ର ଦେଖ ।

•••

 

ନଡ଼ିଆ

 

ନଡ଼ିଆ ଗୋଟିଏ ଲାଭଜନକ ବୃକ୍ଷ । ନଡ଼ିଆଗଛ ସବୁ ଦେଶରେ ହୁଏ ନାହିଁ । ପୃଥିବୀର ଚତୁର୍ଦ୍ଦିଗରେ ଫିତା ଖଣ୍ଡିଏ ବୁଲାଇଆଣିଲା ପରି ଗୋଟିଏ ନିର୍ଦ୍ଦିଷ୍ଟ ସୀମାବଦ୍ଧ ଅଞ୍ଚଳ ଅଛି । କେବଳ ସେହି ସୀମା ଅନ୍ତର୍ଗତ ଅଞ୍ଚଳରେ ନଡ଼ିଆଗଛ ଜନ୍ମେ । ତହିଁର ବହିର୍ଭୂତ କୌଣସି ସ୍ଥାନରେ ନଡ଼ିଆ ଗଛ ଜନ୍ମେ ନାହିଁ । ଆମ୍ଭମାନଙ୍କର ଏହି ଓଡ଼ିଶା ପ୍ରଦେଶରେ କେତେକ ଅଞ୍ଚଳ ପୃଥିବୀର ସେହି ନଡ଼ିଆ ଜନ୍ମିବା ସୀମାର ଅନ୍ତର୍ଗତ ଅଟେ । ଓଡ଼ିଶାର ସମୁଦ୍ର ନିକଟବର୍ତ୍ତୀ ଅନେକ ସ୍ଥଳରେ ବହୁ ପରିମାଣରେ ନଡ଼ିଆଗଛ ଅଛି । ପୁରୀ ଜିଲ୍ଲାର ସଦର ସବ୍‌ଡିଭିଜନ୍‌ ମଧ୍ୟରେ ଓ ବିଶେଷତଃ ରାହାଙ୍ଗ ପ୍ରଗନାରେ ନଡ଼ିଆଗଛର ସଂଖ୍ୟା ସର୍ବାପେକ୍ଷା ଅଧିକ । ପୁରୀ ଜିଲ୍ଲାର ଅନ୍ୟାନ୍ୟ ସବ୍‌ଡିଭିଜନ୍‌, କଟକ ଜିଲ୍ଲା, ବାଲେଶ୍ୱର ଜିଲ୍ଲା ଓ ଗଞ୍ଜମ ଜିଲ୍ଲାର ଅନେକ ସ୍ଥାନରେ ମଧ୍ୟ ବହୁତ ନଡ଼ିଆଗଛ ଅଛି ।

 

ନଡ଼ିଆ ଗଛର ଫଳ ଗୋଟିଏ ଉପାଦେୟ, ପୃଷ୍ଟିକର ଏବଂ ଉତ୍କୃଷ୍ଟ ସାରଯୁକ୍ତ ଖାଦ୍ୟ । ତହିଁର ପତ୍ର, ଖଡ଼ିକା, ଫଳର ଚୋପା ବା କତା ପ୍ରଭୃତି ପ୍ରତ୍ୟେକ ଅଂଶ ଗୋଟିଏ ଗୋଟିଏ ମୂଲ୍ୟବାନ୍‌ ସାମଗ୍ରୀ । ଆମ୍ଭେମାନେ ସେମାନଙ୍କର ଉପଯୁକ୍ତ ବ୍ୟବହାର ନ ଜାଣି ସ୍ୱଭାବଦତ୍ତ ଗୋଟିଏ ଅତି ମୂଲ୍ୟବାନ୍‌ ଉପାଦାନ ପାଇ ସୁଦ୍ଧା ତହିଁରୁ ଉପଯୁକ୍ତ ପରିମାଣରେ ଉପକାର ଉପଭୋଗ କରି ପାରୁ ନାହୁଁ ।

 

ନଡ଼ିଆ ଭିତର ଶସରୁ ତେଲ ବାହାରେ । ଓଡ଼ିଶାରେ ଯେତେ ନଡ଼ିଆ ତେଲ ଖରଚ ହୁଏ ତାହା ଅନ୍ୟ ପ୍ରଦେଶରୁ ଆସି ଏଠାରେ ବିକ୍ରୀତ ହୁଏ । ଏପର୍ଯ୍ୟନ୍ତ ନଡ଼ିଆ ତେଲ ପ୍ରସ୍ତୁତ କରିବାର କୌଣସି ବଡ଼ କାରଖାନା ଓଡ଼ିଶାରେ ହୋଇ ନାହିଁ । ବର୍ଷ ମଧ୍ୟରେ ପ୍ରାୟ ୭୦ ହଜାରରୁ ୮୦ ହଜାର ମହଣ ନଡ଼ିଆ ତେଲ ଓଡ଼ିଶାରେ ଆସି ବିକ୍ରୟ ହେଉଅଛି । ପ୍ରାୟ ଏହି ସମସ୍ତ ତେଲ ମାନ୍ଦ୍ରାଜ ପ୍ରଦେଶରୁ ଏଠାକୁ ଆସୁଅଛି । କଲିକତାରୁ ମଧ୍ୟ କିଛି ଆସେ; ମାତ୍ର ତାହାର ପରିମାଣ ଅତି ଅଳ୍ପ ।

 

ଓଡ଼ିଶାରେ ପ୍ରତିବର୍ଷ ପ୍ରାୟ ୮ ଲକ୍ଷ ମହଣ ନଡ଼ିଆ ଉତ୍ପନ୍ନ ହୁଏ । ଓଡ଼ିଶାର ଗଡ଼ଜାତ ରାଜ୍ୟମାନଙ୍କରେ ନଡ଼ିଆ ଜନ୍ମେ ନାହିଁ । ଓଡ଼ିଶାର ନଡ଼ିଆ ଫଳୁଥିବା ଅଞ୍ଚଳମାନଙ୍କରୁ ପ୍ରାୟ ୨.୫ ଲକ୍ଷ ମହଣ ନଡ଼ିଆ ପ୍ରତିବର୍ଷ ବିଦେଶକୁ ରପ୍ତାନ୍ତି ହୋଇଯାଏ । ତହିଁ ମଧ୍ୟରୁ ପ୍ରାୟ ୭୦ ହଜାର ମହଣ ନଡ଼ିଆ ଗଡ଼ଜାତମାନଙ୍କୁ ଯାଏ ଓ ୧୮୦ ହଜାର ମହଣ ନଡ଼ିଆ ମଧ୍ୟପ୍ରଦେଶ ଆଦି ଅନ୍ୟ ପ୍ରଦେଶମାନଙ୍କୁ ଚାଲିଯାଏ । ଅବଶିଷ୍ଟ ନଡ଼ିଆ ଏହିଠାରେ ଖରଚ ହୁଏ ।

 

ନଡ଼ିଆ ତେଲ ଓଡ଼ିଶାରେ କେହି କେହି କରି ଜାଣନ୍ତି । ସେମାନେ କେବଳ ନଡ଼ିଆ ଶସକୁ ନିଜ ନିଜ ଘରେ ରାନ୍ଧି କିମ୍ୱା ଘଣାରେ ପେଡ଼ି ତେଲ କରନ୍ତି ମାତ୍ର ତହିଁର ପରିମାଣ ଅତ୍ୟନ୍ତ ଅଳ୍ପ ।

 

ନଡ଼ିଆ ଶସକୁ କୋରି ତହିଁରୁ ରସ ଚିପୁଡ଼ି ରସକୁ ନିଆଁରେ ବସାଇ ପାକକଲେ ଯେଉଁ ତେଲ ବାହାରେ, ତାକୁ କେହି କେହି ନଡ଼ିଆ ଘିଅ କହନ୍ତି । ନଡ଼ିଆ ଶସକୁ କାଟି, ଛେଚି, ଖରାରେ ଶୁଖାଇ, ଶୁଖିଲା ଶସକୁ ଘଣାରେ ପେଡ଼ି ଯେଉଁ ତେଲ ବାହାର କରାଯାଏ, ତାକୁ ନଡ଼ିଆ ତେଲ କହନ୍ତି । ନଡ଼ିଆ ଶସକୁ ପାଣିରେ ପକାଇ ତାକୁ ରାନ୍ଧି ଆଉ ଏକ ପ୍ରକାର ନଡ଼ିଆ ତେଲ ତିଆରି କରାଯାଏ ।

 

ନଡ଼ିଆ ଘିଅ ରାନ୍ଧିବା ନିମନ୍ତେ ସାଧାରଣତଃ ପାକଳ ନଡ଼ିଆକୁ କୋରଣାଦ୍ୱାରା କୋରି ତାହାକୁ ଉତ୍ତମରୂପେ ଚିପୁଡ଼ି ରସଗୁଡ଼ିକ ସଂଗ୍ରହ କରନ୍ତି । ଚିପୁଡ଼ି ରସ ବାହାର କରି ନେବାଦ୍ୱାରା ତୈଳ ଅଂଶ ସମ୍ପୂର୍ଣ୍ଣ ବାହାରିଯାଇ ପାରେ ନାହିଁ, ତେଣୁ ଚିପୁଡ଼ା ହୋଇଥିବା ନଡ଼ିଆ କୋରାଗୁଡ଼ିକ କିଛି ଗରମ ପାଣିରେ ପକାଇ ତାହାକୁ ଉତ୍ତମରୂପେ ଚକଟି ପୁନରାୟ ସେଗୁଡ଼ିକ ଚିପୁଡ଼ି ରସ ବାହାର କରି ନିଅନ୍ତି । ଏପରି କରିବାଦ୍ୱାରା କୋରା ନଡ଼ିଆରେ ଆଉ ଯାହା ତୈଳ ଅଂଶ ଥାଏ ତାହା ବାହାରି ଆସେ । ଏହି ଜଳକୁ ନଡ଼ିଆରସରେ ମିଶାଇ ଦିଅନ୍ତି ।

 

ତା ପରେ ସେହି ରସକୁ କରେଇରେ ବା ପଲମରେ ନିଆଁରେ ବସାଇ ରାନ୍ଧନ୍ତି । ରାନ୍ଧିଲା ବେଳେ ରସର କୋରୁଅ ପାତ୍ରର ତଳେ ଲାଗିଗଲେ ନଡ଼ିଆ ଘିଅ ପୋଡ଼ା ବାସିବ । ଏଥିପାଇଁ ତାକୁ ଲୁହା ଖଡ଼ିକାରେ ଘାଣ୍ଟୁ ଥାଆନ୍ତି । ରସଗୁଡ଼ିକ ଉତ୍ତରୂପେ ଫୁଟିଲେ ତହିଁରୁ କ୍ରମେ ଜଳୀୟ ଅଂଶ ବାଷ୍ପ ହୋଇ ଉଡ଼ିଯାଏ । ଜଳୀୟ ଅଂଶ ମରିଗଲେ କେବଳ ତୈଳ ଅଂଶ ରହିଯାଏ । ସେହି ତେଲକୁ ନଡ଼ିଆ ଘିଅ କହନ୍ତି ।

 

ନଡ଼ିଆ ଘିଅ ରାନ୍ଧିବା ସମୟରେ ଯେପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଜଳୀୟ ଅଂଶ ମରିଯାଇ ନ ଥାଏ, ସେପର୍ଯ୍ୟନ୍ତ ରସ ନିଆଁରେ ବସିଥିବା ବେଳେ ତାହା କଡ଼ କଡ଼ ଶବ୍ଦ କରି ଫୁଟୁଥାଏ । ଜଳୀୟ ଅଂଶ ସମ୍ପୂର୍ଣ୍ଣ ମରିଗଲେ କଡ଼ କଡ଼ ଶବ୍ଦ ବନ୍ଦ ହୋଇଯାଏ । ତହିଁରୁ ବୁଝାଯାଏ ଯେ, ଜଳୀୟ ଅଂଶ ମରିଯାଇ ଘିଅ ପ୍ରସ୍ତୁତ ହୋଇଗଲାଣି । ଏହିପରି ରନ୍ଧା ନଡ଼ିଆ ଘିଅର ସୁଗନ୍ଧ ଅତି ଲୋଭନୀୟ । ମାତ୍ର ଏ ଘିଅର ପରିମାଣ ଅଧିକ ନୁହେଁ । ରନ୍ଧା ନଡ଼ିଆ ଘିଅକୁ ଲୋକେ ଦେହରେ ଓ କେଶରେ ଲଗାନ୍ତି । କେହି କେହି ଏଥିରେ କର୍ପୂର ଆଦି ଅନ୍ୟ ସୁଗନ୍ଧ ଦ୍ରବ୍ୟ ମିଶାଇ ସୁବାସିତ କରନ୍ତି । ପୋଡ଼ା ଘାଆ ଓ ଫୋଟକାରେ ଲଗାଇଲେ ଏହାଦ୍ୱାରା ଖୁବ୍‌ ଉପକାର ହୁଏ । ନଡ଼ିଆଘିଅରେ କାକରା, ନାନମାନ, ଆରିଷା ଆଦି ପିଠା ଛଣାଯାଏ । କେହି କେହି ମଧ୍ୟ ଏ ଘିଅରେ ତିଅଣ ବଘାରନ୍ତି ଓ ଭଜା ଭାଜନ୍ତି ।

ସବୁ ଗଛର ନଡ଼ିଆ ପାକଳ ହେଲେ ମଧ୍ୟ ତହିଁରୁ ସମାନ ପରିମାଣରେ ଘିଅ ବାହାରେ ନାହିଁ । କେବଳ କେତେକ ବିଶିଷ୍ଟ ନଡ଼ିଆଗଛର ନଡ଼ିଆରୁ ଏହିପରି ଘିଅ ବାହାରି ଥାଏ । ଘିଅ କଲାବେଳେ ସେହି ଗଛର ନଡ଼ିଆ ବାଛି ତହିଁରୁ ଘିଅ ମାରନ୍ତି । ଅନ୍ୟ ନଡ଼ିଆରୁ ମଧ୍ୟ ଘିଅ ବାହାରି ପାରେ, ମାତ୍ର ତହିଁରୁ ଏତେ କମ୍‌ ବାହାରେ ଯେ ତାହାର ମୂଲ୍ୟ ଜାଳ ଓ ପରିଶ୍ରମର ମୂଲ୍ୟ ବିବେଚନାରେ ପୋଷାଏ ନାହିଁ ।

ନଡ଼ିଆ ଛପା

ନଡ଼ିଆ ପତ୍ରରେ ଛପା ବୁଣାଯାଏ । ଛପାକୁ କେହି କେହି ଚାଞ୍ଚ କହନ୍ତି । ଏହା ବୁଣିବା ଅତି ସହଜ । ନଡ଼ିଆ ଉତ୍ପନ୍ନ ହେଉଥିବା ଅଞ୍ଚଳମାନଙ୍କରେ ଏହାର ବହୁଳ ବ୍ୟବହାର ଅଛି । ଅନ୍ୟ ସ୍ଥାନମାନଙ୍କରେ ଯେପରି ତାଳପତ୍ରରେ ତାଟି ବାନ୍ଧି ନାନାପ୍ରକାର ବ୍ୟବହାରରେ ଲଗାନ୍ତି, ସେହିପରି ପୁରୀ ଜିଲ୍ଲାରେ ଏହି ନଡ଼ିଆ ପତ୍ରର ଚାଞ୍ଚରେ ଛାମୁଡ଼ିଆ, ବାଡ଼ ପ୍ରଭୃତି କରନ୍ତି ଏବଂ ଏହାକୁ ଅନ୍ୟାନ୍ୟ ଅନେକ ପ୍ରକାର କାର୍ଯ୍ୟରେ ଲଗାନ୍ତି ।

Image

(୧ ନମ୍ବର ଚିତ୍ର)

ନଡ଼ିଆ ଛପା ବୁଣିବା ପାଇଁ ଗୋଟିଏ ନଡ଼ିଆବାହୁଙ୍ଗା ଆଣି ତାହାକୁ ଦୁଇଫାଳ କରି ଚିରି ପକାଇବ । ୧ ନମ୍ୱର ଚିତ୍ର ପରି ସେହି ଦୁଇ ଫାଳର ପତ୍ରଗୁଡ଼ିକ ଗୋଟିକ ଉପରେ ଗୋଟିଏ ପକାଇ ଦେବ । ମୂଳରୁ ଦୁଇ ପାଖରୁ ୪।୬ ଗୋଟି ଲେଖାଏଁ ପତ୍ର ନେଇ ତହିଁରେ ଗୋଟିଏ ଗଣ୍ଠି ପକାଇ ଦେବ । ତା ପରେ ଅବଶିଷ୍ଟ ପତ୍ରଗୁଡ଼ିକରୁ ଥରକେ ଗୋଟିଏ ଲେଖାଏଁ ନେଇ ସାଧାରଣ ସରଳ ବୁଣା ପ୍ରଣାଳୀରେ ମୂଳରେ ବନ୍ଧା ହୋଇଥିବା ପତ୍ରଗୁଡ଼ିକରେ ଗୋଟିଏ ଛଡ଼ା ଗୋଟିକରେ ବୁଣିବାକୁ ଆରମ୍ଭ କରିବ । ପତ୍ରଗୁଡ଼ିକ ଥରେ ଡାହାଣ ପାଖରୁ ନେଇ ବାମ ପାଖରେ ଏବଂ ଥରେ ବାମ ପାଖରୁ ନେଇ ଡାହାଣ ପାଖରେ ଏହି କ୍ରମରେ ବୁଣିଗଲେ ଛପା ବା ଚାଞ୍ଚଟି ପୂର୍ଣ୍ଣ ହୋଇଯିବ-। ବୁଣିସାରି ଦୁଇ ପାଖରେ ବାହାରିଥିବା ପତ୍ରର ଅଗଗୁଡ଼ିକରେ ଦୁଇଗୋଟି ବେଣୀ କରି ଶେଷକୁ ଦୁଇ ବେଣୀର ମୁଣ୍ଡକୁ ଏକାଠି ଯୋଡ଼ି ଗୋଟିଏ ଗଣ୍ଠି ଦେଇ ଛାଡ଼ିଦେବ ।

 

ନଡ଼ିଆ ଖଡ଼ିକା

 

ନଡ଼ିଆଖଡ଼ିକାରେ ଅନେକପ୍ରକାର ପଦାର୍ଥ ନିର୍ମାଣ କରି ଲୋକେ ବ୍ୟବହାର କରୁଅଛନ୍ତି-। ତହିଁ ମଧ୍ୟରୁ କେତେକଟି ସାଧାରଣ ପଦାର୍ଥର ନିର୍ମାଣପ୍ରଣାଳୀ ଏଠାରେ ଦିଆଗଲା ।

 

ପହଁରା

 

ନଡ଼ିଆ ଖଡ଼ିକାର ପହଁରା ପ୍ରାୟ ସର୍ବତ୍ର ବ୍ୟବହୃତ ହୁଏ । ପହଁରାକୁ କେହି କେହି ବଢ଼ିଣା କହନ୍ତି । ପହଁରା ବାନ୍ଧିବା ପାଇଁ କେବଳ କେତେଗୁଡ଼ିଏ ନଡ଼ିଆ ଖଡ଼ିକା ନେଇ ହାତରେ ବେକା କରି ଧରିବ । ତହିଁର ମୂଳରୁ ଚାରି ଆଙ୍ଗୁଳ ଛାଡ଼ି ଖଣ୍ଡିଏ ଡୋର ଖୁବ୍‌ ଭିଡ଼ିକରି ବାନ୍ଧିଦେବ । ଡୋର ବଦଳରେ ଯେବେ ତାଳ କୋରଟ ବା ବେତ ଲଇରେ ୨ ଇଞ୍ଚ ବା ୨.୫ ଇଞ୍ଚ ପରିମାଣର ଗୋଟିଏ ମୁଠା ବାନ୍ଧି ଦିଆଯାଏ ତେବେ ଆହୁରି ଅଧିକ ଶକ୍ତ ଏବଂ ସୁବିଧାଜନକ ହେବ । ମୁଠା ବାନ୍ଧିସାରି ତହିଁର ମୂଳ ଅର୍ଥାତ୍‌ ମୁଠା ନିକଟସ୍ଥ ମୂଳରେ ଠିକ୍‌ ମଝିରେ ଖଣ୍ଡିଏ ବାଉଁଶ ବା କାଠର ଗୋଜିଆ ଖିଲ ପୂରାଇ ପିଟିଦେଲେ ମୁଠାଟି ଅଧିକ ଶକ୍ତ ହେବ ଏବଂ ପହଁରାର ଅଗ ପ୍ରସାରିତ ହୋଇଯିବ । ୨ ନମ୍ୱର ଚିତ୍ର ଦେଖ ।

Image

(୨ ନମ୍ବର ଚିତ୍ର)

•••

 

ମୁଗୁରା

 

ନଡ଼ିଆ ଖଡ଼ିକାଦ୍ୱାରା ମାଛ ଧରିବାର ମୁଗୁରା ପ୍ରସ୍ତୁତ ହୁଏ । ଖଡ଼ିକାଗୁଡ଼ିକ କେବଳ ହେଁସ ବୁଣିବା ପ୍ରଣାଳୀରେ ବୁଣିବାକୁ ହୁଏ । ହେଁସ ବୁଣିବାରେ ଗୋଟିଏ ବାଣି ବୁଣି ଗୋଟିଏ ବାଣି ଛାଡ଼ିବାକୁ ପଡ଼େ । ମାତ୍ର ମୁଗୁରା ବୁଣାରେ କୌଣସି ବାଣି ନ ଛାଡ଼ି ପ୍ରତ୍ୟେକ ବାଣି ବୁଣିବାକୁ ପଡ଼ିବ । ପ୍ରଥମରେ ଏବଂ ଶେଷରେ ଦୁଇଗୋଟି ମୋଟ ବାଉଁଶକାଠି ଲଗାଇ ବୁଣାଯିବ । ଏହି ବାଉଁଶକାଠି ଦୁଇଖଣ୍ଡକୁ ଶେଷରେ ଯୋଡ଼ି ବାନ୍ଧି ଦେବାକୁ ହେବ । ଆହୁରି ଟିକିଏ ବିଶେଷତ୍ୱ ଏତିକି ଯେ, ବୁଣିବା ସମୟରେ ବାମ ଦିଗରୁ ଆରମ୍ଭ କରି ମଝି ପର୍ଯ୍ୟନ୍ତ ଗୋଟିଏ ଗୋଟିଏ ଖଡ଼ିକା ବୁଣିବ । ତା ପରେ ସେହିଠାରୁ ଶେଷ ଆଡ଼କୁ ଦୁଇଗୋଟି ଲେଖାଏଁ ଖଡ଼ିକା ଏକାଠି ବୁଣିବ । ତାହାହେଲେ ସେହିଠାରୁ ଶେଷ ଆଡ଼କୁ ତାହା କ୍ରମେ ସରୁ ହୋଇଯିବ । ୩ ନମ୍ୱର ଚିତ୍ର ଦେଖ ।

Image

(୩ ନମ୍ବର ଚିତ୍ର)

ମୁଗୁରା ଭିତରେ ମଝିରୁ ଶେଷ ଆଡ଼କୁ ଆଉ ଗୋଟିଏ ଛୋଟ ଅଧା ମୁଗୁରା ଥାଏ । ତାହାକୁ କହନ୍ତି ପାଲ । ପାଲଖଣ୍ଡିକ ମୁଗୁରାର ଶେଷ ଅଧକ ପରି ବୁଣିବାକୁ ହୁଏ । ତହିଁର ଶେଷ ଅଂଶ ଆହୁରି ଅଧିକ ସରୁ କରିବାକୁ ପଡ଼େ ।

Image

(୪ ନମ୍ବର ଚିତ୍ର)

ମୁଗୁରା ନିମନ୍ତେ ଦୁଇଗୋଟି ମୁଣ୍ଡଳି ଆବଶ୍ୟକ । ଗୋଟିଏ ମୁଣ୍ଡଳିକୁ ଅନ୍ୟଟିଠାରୁ ଅଳ୍ପ ବଡ଼ ରଖିବାକୁ ହୁଏ । ବଡ଼ ମୁଣ୍ଡଳିଟି ମୁହଁରେ ବନ୍ଧାଯାଏ ଓ ଛୋଟଟି ମଝିରେ ଦେଇ ପାଲଟିର ପ୍ରତ୍ୟେକ ଖଡ଼ିକାକୁ ଖଣ୍ଡିଏ ଡୋରଦ୍ୱାରା ଏହା ସହିତ ଭିଡ଼ି ବାନ୍ଧି ଦେବାକୁ ପଡ଼େ । ପାଲଟିର ମୁହଁ ଦ୍ୱିତୀୟ ମୁଣ୍ଡଳିର ପ୍ରାୟ ଦୁଇ ଇଞ୍ଚ ଆଗକୁ ମଡ଼ାଇ ରଖିବାକୁ ହୁଏ ଅର୍ଥାତ୍‌ ତାହାକୁ ମୁଗୁରାର ମୁହଁ ଆଡ଼କୁ ଦୁଇ ଇଞ୍ଚ ମଡ଼ାଇ ରଖାଯାଏ । ସେହିଠାରେ ମୁଗୁରାର ଉପରୁ ଖଣ୍ଡିଏ ସରୁ ବତାର ମୁଣ୍ଡଳି ଖଞ୍ଜି ପାଲର ମୁଣ୍ଡକୁ ମୁଗୁରାର ଖଡ଼ିକା ସଙ୍ଗେ ମିଶାଇ ଭିଡ଼ି ବାନ୍ଧି ଦେବାକୁ ହୁଏ । ପାଲର ଅଗରେ ଖଣ୍ଡିଏ ଡୋର ଲଗାଇ ଦିଆଯାଏ । ତହିଁରେ ଆବଶ୍ୟକମତେ ପାଲର ସେହି ମୁହଁ ବାନ୍ଧି ବନ୍ଦ କରାଯାଏ ଏବଂ ଖୋଲି ଦିଆଯାଏ । ୪ ନମ୍ୱର ଚିତ୍ର ଦେଖ ।

•••

 

ଖଇଞ୍ଚି

 

ଖଇଞ୍ଚି ଠିକ୍‌ ମୁଗୁରା ପରି ବୁଣାଯାଏ, ମାତ୍ର ଏହାର ଶେଷ ଅଧକ ସରୁ କରିବାର ଆବଶ୍ୟକ ହୁଏ ନାହିଁ । ଏଥିରେ ମଧ୍ୟ ଦୁଇଗୋଟି ମୁଣ୍ଡଳି ଆବଶ୍ୟକ । କିନ୍ତୁ ଦୁଇଟିଯାକ ଏକ ସମାନ ଦରକାର ହୁଏ । ଗୋଟିଏ ମୁଣ୍ଡଳି ମୁହଁରେ ଓ ଗୋଟିଏ ମଝିରେ ଖଞ୍ଜାଯାଏ ।

Image

(୫ ନମ୍ବର ଚିତ୍ର)

ଖଇଞ୍ଚିର ଏକ ପ୍ରାନ୍ତକୁ ୫ ନମ୍ୱର ଚିତ୍ର ପରି ଖଡ଼ିକାର ଅଗଗୁଡ଼ିକୁ ମୋଡ଼ି ବଙ୍କା କରି ଖଣ୍ଡିଏ କୋରଟ ପାତିଆଦ୍ୱାରା ବାନ୍ଧି ଦେବାକୁ ହୁଏ । ଶେଷକୁ ଧରିବା ନିମନ୍ତେ ଗୋଟିଏ ମୁଠା ଖଇଞ୍ଚିର ଶେଷ ପ୍ରାନ୍ତରେ ବାନ୍ଧିବାକୁ ପଡ଼େ । ଖଇଞ୍ଚିର ମୁହଁର ମୁଣ୍ଡଳି ଓ ସେହି ମୁଠାକୁ ଖଣ୍ଡିଏ ଦଉଡ଼ିଦ୍ୱାରା ବାନ୍ଧି ୫ ନମ୍ୱର ଚିତ୍ର ପରି ସଂଯୁକ୍ତ କରିବାକୁ ହୁଏ ।

 

ମୁଗୁରା ଏବଂ ଖଇଞ୍ଚିର ମୁଣ୍ଡଳିଗୁଡ଼ିକ ସାଧାରଣତଃ କାନକୋଳି ଡାଳ, ମାଧବୀ ଲତା, ଅତଣ୍ଡି ଲତା ପ୍ରଭୃତି ଦ୍ୱାରା କରାଯାଏ । କାରଣ ଏହିଗୁଡ଼ିକ ଯେପରି ଇଚ୍ଛା ସେପରି ସହଜରେ ମୋଡ଼ି ବଙ୍କାଇ ଦିଆଯାଇ ପାରେ ଏବଂ ସେଗୁଡ଼ିକ ସହଜରେ ଭାଙ୍ଗେ ନାହିଁ ।

•••

 

ବଜା ବା ଅନ୍ଧୁଲି

Image

(୬ ନମ୍ବର ଚିତ୍ର)

(୭ ନମ୍ବର ଚିତ୍ର)

ବଜା ବା ଅନ୍ଧୁଲି କରିବାପାଇଁ ଖଡ଼ିକାଗୁଡ଼ିଏ ନେଇ ତାହାକୁ ସମାନ ଆକାରରେ କାଟି ପକାଇବ ଏବଂ ୪ ଗୋଟି ବାଣିଦ୍ୱାରା ମୁଗୁରାର ପ୍ରଥମ ଅଧକ ବୁଣିଲା ପରି ବୁଣି ଗୋଟିଏ ପଟି ପ୍ରସ୍ତୁତ କରିବ । ୬ ନମ୍ୱର ଚିତ୍ର ଦେଖ । ଗୋଟିଏ ବଜା କରିବା ପାଇଁ ଦୁଇଟି ପଟି ଆବଶ୍ୟକ । ଗୋଟିକଠାରୁ ଅନ୍ୟଟି କିଛି କମ୍‌ ଚଉଡ଼ା ଓ କମ୍‌ ଲମ୍ୱା ହେବା ଆବଶ୍ୟକ । ପଟି ଦୁଇଟି ବୁଣା ସରିଗଲେ ଅଧିକ ଚଉଡ଼ାର ପଟିଟିକୁ ଠିଆ ବାଗରେ ରଖି କମ୍‌ ଚଉଡ଼ାର ପଟିଟିକୁ ତଳେ ଓ ଉପରେ ଖଞ୍ଜିବ । ୭ ନମ୍ୱର ଚିତ୍ର ପରି ପ୍ରଥମେ ସଜାଇ ଖଞ୍ଜିବ । ଚାରିପାଖରେ ପ୍ରତି ପାଖର ବାହାରକୁ ଥିବା କଡ଼ିକା ସହିତ ଖଡ଼ିକାର ତିନି ଯୋଡ଼ ମୁହଁରେ ତିନି ଖଣ୍ଡି ଲେଖାଏଁ କାଠି ଦେଇ ତାହାକୁ ଶକ୍ତ କରି ବାନ୍ଧିବ । ବଡ଼ ପଟିଟି ଠିଆ କରି ଖଞ୍ଜିବାବେଳେ ୭ ନମ୍ୱର ଚିତ୍ର ପରି ତାହାକୁ ସ୍ଥାନେ ସ୍ଥାନେ ଭାଙ୍ଗ ଦେଇ ସଜାଇ ରଖିବ । ଏହି ଭାଙ୍ଗ ଅଂଶକୁ ପାଲ କହନ୍ତି । ପ୍ରତି ପାଲର ମଝିରୁ ଗୋଟିଏ ବା ଦୁଇଟି ଲେଖାଏଁ ଖଡ଼ିକା କାଟିଦେଇ ତହିଁରେ ପ୍ରାୟ ଅଧ ଇଞ୍ଚରୁ ଏକ ଇଞ୍ଚ ପର୍ଯ୍ୟନ୍ତ ବାଟ ରଖିବ । ଏହି ବାଟରେ ମାଛଗୁଡ଼ିକ ବଜା ଭିତରେ ପଶନ୍ତି । ବଜାଟି ଉପରେ ଗୋଟିଏ ପାଖରେ ମାଛ ଝାଡ଼ି ବାହାର କରି ନେବା ପାଇଁ ଦୁଇଇଞ୍ଚ ଲମ୍ୱା ଓ ଦୁଇ ଇଞ୍ଚ ବା ତତୋଽଧିକ ଚଉଡ଼ାର ଗୋଟିଏ ବାଟ ରଖିବ । ସେହି ବାଟ ଉପରେ ଢାଙ୍କୁଣି ନିମନ୍ତେ ଆଉ ଖଣ୍ଡିଏ ଛୋଟିଆ ପଟି ଲଗାଇବ ।

•••

 

ଡାଲା

 

ଖଡ଼ିକାର ସାଧାରଣ ଡାଲା କରିବା ପାଇଁ ପ୍ରଥମେ ଖଡ଼ିକାଗୁଡ଼ିଏ ବାଛି ଉପରୋକ୍ତ ମୁଗୁରାର ପ୍ରଥମ ଅଂଶ ବୁଣିବା ପ୍ରଣାଳୀରେ ପଟି ବୁଣିନେବ । ଖଣ୍ଡିଏ ଚାରିକୋଣିଆ କରି ପଟି ତହିଁରୁ କାଟିନେଇ ତାହାକୁ ତଳା କରିବାପାଇଁ ତଳେ ପକାଇବ । ତହିଁର ଚାରିପାଖରେ ପଟିଟି ଠିଆବାଗରେ ବୁଲାଇଲେ ଯେତେ ଲମ୍ୱାର ପଟି ଖାଇବ ତେତିକି ପଟି କାଟିନେଇ ତହିଁର ଦୁଇମୁଣ୍ଡକୁ ଯୋଡ଼ି ବାନ୍ଧିଦେବ । ଉପରେ ଗୋଟିଏ ଗୋଲ ମୁଣ୍ଡଳି ଖଞ୍ଜି ତହିଁ ସଙ୍ଗେ ଉପର ମୁହଁଟି ମିଳାଇ ଗୋଟିଏ ପାତିଆ ଯୋଡ଼ି ସ୍ଥାନେ ସ୍ଥାନେ ଗଣ୍ଠିଦେଇ ବାନ୍ଧିବ । ତଳମୁହଁ ଠିକ୍‌ ବଜାର ଚାରିଦାଢ଼ ବାନ୍ଧିଲା ପରି ଖଡ଼ିକାର ମୁହଁକୁ ମୁହଁ ଯୋଡ଼ି ତିନିଖଣ୍ଡ ଲେଖାଏଁ କାଠି ଖଞ୍ଜି ବାନ୍ଧିବାକୁ ପଡ଼ିବ । ୮ ନମ୍ୱର ଚିତ୍ର ଦେଖ । ଏହା ବିରିଚଲା ଓ ଖଇଚଲା ଡାଲା ହୋଇ ପାରେ । ଏଥିର ବାଡ଼ଗୁଡ଼ିକ ଉଚ୍ଚ କଲେ ରଦିକାଗଜ ଟୋକେଇ ମଧ୍ୟ ହୋଇ ପାରେ ।

Image

(୮ ନମ୍ବର ଚିତ୍ର)

ନଡ଼ିଆ ଖଡ଼ିକାରେ ଆଉ ଗୋଟିଏ ପ୍ରକାର ଡାଲା ପ୍ରସ୍ତୁତ କରିବାର ପ୍ରଣାଳୀ ଏଠାରେ ଦିଆଗଲା । ଏହି ଡାଲା ଦେଖିବାକୁ ଯେପରି ସୁନ୍ଦର, ସେହିପରି ଶକ୍ତ । ଏହା ପ୍ରସ୍ତୁତ କରିବା କାରଣ ପ୍ରଥମେ କଞ୍ଚା ନଡ଼ିଆଖଡ଼ିକାଗୁଡ଼ିଏ ଉତ୍ତମରୂପେ ତାଞ୍ଛି ପ୍ରସ୍ତୁତ କରି ରଖିବ ।

 

୧୧ ନମ୍ୱର ଚିତ୍ର ପରି ଗୋଟିଏ ଡାଲା ପ୍ରସ୍ତୁତ କରିବାକୁ ହେଲେ ୧୧୨ ଠାରୁ ୨୧୬ଟି ଖଡ଼ିକା ଆବଶ୍ୟକ । ଏଠାରେ ୧୧୨ଟି ଖଡ଼ିକା ନିଆଯାଇଅଛି । ସେହି ୧୧୨ଟି ଖଡ଼ିକାକୁ ୭ ଭାଗରେ ବିଭକ୍ତ କରାଯାଇଅଛି । ପ୍ରତି ଭାଗରେ ୧୬ଟି ଖଡ଼ିକା ରହୁଅଛି । ଏହି ୧୬ଟି ଖଡ଼ିକାକୁ ବୁଣିବା ସମୟରେ ପ୍ରତି ୪ଟି ଖଡ଼ିକାକୁ କେରାଏ ବୋଲି ଧରିବାକୁ ହେବ ।

Image

(୯ ନମ୍ବର ଚିତ୍ର)

ସେହି ୭ ଭାଗ ଖଡ଼ିକାକୁ ୯ ନମ୍ୱର ଚିତ୍ର ଅନୁସାରେ ସଜାଇ ରଖିବ ।

 

ଯେ କୌଣସି ଗୋଟିଏ ଭାଗରୁ ବୁଣିବାକୁ ଆରମ୍ଭ କରି ତହିଁର ପ୍ରଥମ କେରାର ଅଗ୍ରଭାଗ ସେହିଠାରୁ ଆରମ୍ଭ କରି ୪ର୍ଥ ଭାଗର ଶେଷ କେରା ଉପରକୁ ଚଢ଼ାଇ ବାହାର କରି ଦେବ । ୨ୟ, ୩ୟ ଓ ୪ର୍ଥ କେରାକୁ ଯଥାକ୍ରମେ ୪ର୍ଥ ଭାଗର ୩ୟ, ୨ୟ ଓ ୧ମ କେରା ଉପରକୁ ଚଢ଼ାଇ ଦେବ । ଏହିପରି ସମସ୍ତ ଖଡ଼ିକାଗୁଡ଼ିକ ଖଞ୍ଜା ହୋଇଗଲେ ସମସ୍ତ ଖଡ଼ିକାଗୁଡ଼ିକର ଅଗ୍ରଭାଗ ଉପରକୁ ଏବଂ ମୂଳ ନିମ୍ନକୁ ରହିଯିବ । ଏହିଠାରେ ଖଣ୍ଡିଏ ଡୋର ଶକ୍ତ କରି ବାନ୍ଧି ସମସ୍ତ ମୂଳଗୁଡ଼ିକୁ ଅଟକାଇ ଦେବ ।

Image

(୧୦ ନମ୍ବର ଚିତ୍ର)

ତା ପରେ ବାହାରିଥିବା ଖଡ଼ିକାର ଅଗ୍ରଭାଗ ଗୁଡ଼ିକରୁ ଗୋଟିଏ ଲେଖାଏଁ କେରା ଧରି ତାହାକୁ ମୋଡ଼ିନେଇ ତହିଁର ପାର୍ଶ୍ୱରୁ ଆରମ୍ଭ କରି ଦୁଇ କେରା ଛାଡ଼ି ଦୁଇ କେରାରେ ବା ତିନି କେରା ଛାଡ଼ି ତିନି କେରାରେ ୧୦ ନମ୍ୱର ଚିତ୍ର ଅନୁକରଣରେ ବୁଣିଯିବ । ତଳକୁ ବାହାରି ଥିବା ଅଗ୍ରଭାଗ ଗୁଡ଼ିକୁ ଟାଣି ଘନ କରି ବସାଇ ଦେବ । ଦୃଷ୍ଟି ରଖିବ, ଯେପରି ଡାଲାଟିର ଫନ୍ଦଟି ବରାବର ସମାନ ଓ ଗୋଲ ରହିବ ।

 

ବର୍ତ୍ତମାନ ତଳକୁ ବାହାରି ଥିବା କେରାଗୁଡ଼ିକୁ ପୁନରାୟ ଉପର ଆଡ଼କୁ ଓଲଟାଇ ଠିକ୍‌ ଉପରେ ଯେପରି ବୁଣିଥିବ, ସେହିପରି ବୁଣି ଡାଲାଟିର ତଳାର ବୈଠକ ପ୍ରସ୍ତୁତ କରିଦେବ ।

 

ଶେଷକୁ ଯେଉଁ ଅଂଶଗୁଡ଼ିକ ବାହାରି ଥିବ, ତାହାକୁ ପୁନରାୟ ମୋଡ଼ି ଆଉ ଥରେ ବୁଣିଦେଲେ ଡାଲାଟିର ଚାରିପାଖରେ ଗୋଟିଏ ପଟି ପ୍ରସ୍ତୁତ ହୋଇଯିବ ଏବଂ ବନ୍ଧା ହୋଇଥିବା ଦଉଡ଼ି ଖଣ୍ଡିକୁ ଢାଙ୍କି ରଖିବ । ଏହାପରେ ଯେଉଁ ସବୁଖଡ଼ିକାର ଅଗ୍ରଭାଗ ବାହାରି ରହିଥିବ, ତାହାକୁ କାଟି ମିଶାଇ ଦେଲେ ୧୧ ନମ୍ୱର ଚିତ୍ରର ଡାଲା ପରି ଗୋଟିଏ ସୁନ୍ଦର ଡାଲା ପ୍ରସ୍ତୁତ ହୋଇଯିବ ।

Image

(୧୧ ନମ୍ବର ଚିତ୍ର)

ଅଧିକ ଖଡ଼ିକା ନେଇ ତାହାକୁ ୯ ଭାଗରେ ବିଭକ୍ତ କରି ପ୍ରତି ଭାଗରେ ୬ କେରା କରି ଧରି ମଧ୍ୟ ଏହି ପ୍ରଣାଳୀରେ ଡାଲା ବୁଣି ପାରିବ ।

•••

 

ନଡ଼ିଆ କତା

 

ପୁରୀ ଜିଲାର ସାକ୍ଷୀଗୋପାଳ ନଡ଼ିଆର ଗୋଟିଏ ପ୍ରଧାନ କେନ୍ଦ୍ରସ୍ଥଳ । ସାକ୍ଷୀଗୋପାଳ ଏବଂ ତନ୍ନିକଟବର୍ତ୍ତୀ ଗ୍ରାମମାନଙ୍କରେ ହାରାହାରି ମାସକୁ ପ୍ରାୟ ୯ ଲକ୍ଷ ନଡ଼ିଆ ଫଳ ଉତ୍ପନ୍ନ ହୁଏ । ଓଡ଼ିଶାରେ ଉତ୍ପନ୍ନ ନଡ଼ିଆର ପରିମାଣ ଓଜନରେ ପୂର୍ବେ ଦିଆ ଯାଇଅଛି । ତାହା ମଧ୍ୟ ଅଧା ଛଡ଼ା ଅବସ୍ଥାରେ । ତହିଁର ଅଧେ ଚୋପାର ଓଜନ ଧରାଯାଇ ନାହିଁ ।

 

ଏଠା ନଡ଼ିଆରୁ ହାରାହାରି ପ୍ରାୟ ୧୧୦ ଗୋଟି ନଡ଼ିଆରୁ ୧ ମହଣ କତା ବାହାରେ । ୧ ମହଣ କତାରୁ ହାରାହାରି ୮ ସେର ପରିଷ୍କାର ତନ୍ତୁ ମିଳେ । ଏହି ଅନୁପାତରେ କେବଳ ସାକ୍ଷୀଗୋପାଳ ଓ ତାହାର ନିକଟବର୍ତ୍ତୀ ଗ୍ରାମମାନଙ୍କର ନଡ଼ିଆରୁ କିଛି ଊଣା ୨୦ ହଜାର ମହଣ ସଫା ତନ୍ତୁ ମିଳି ପାରେ । ଏଥିରୁ ସମସ୍ତ ଓଡ଼ିଶାର ତନ୍ତୁର ପରିମାଣ ସହଜରେ ଅନୁମାନ କରାଯାଇ ପାରିବ ।

 

ଏହି ତନ୍ତୁର ଅତି ଅଳ୍ପ ଅଂଶ କେହି କେହି ଦଉଡ଼ି ବଳନ୍ତି । କତା ଦଉଡ଼ି ସାଧାରଣତଃ କୁଅରୁ ପାଣି କାଢ଼ିବାପାଇଁ ବ୍ୟବହୃତ ହୁଏ । ସରୁ ଡୋରଗୁଡ଼ିକ ଘରବନ୍ଧା, ବାଡ଼ବୁଜା ଓ ଅନ୍ୟାନ୍ୟ ସାଧାରଣ ବନ୍ଧାବନ୍ଧି କାର୍ଯ୍ୟରେ ଲାଗିଥାଏ । ମାତ୍ର ଉତ୍ପନ୍ନର ପରିମାଣ ତୁଳନାରେ ଏହାର ପରିମାଣ ଅତ୍ୟନ୍ତ ଅଳ୍ପ । ଅଧିକାଂଶ କତା ନଷ୍ଟ ହୁଏ । ଲୋକେ ଜାଳି ଦିଅନ୍ତି ।

 

ମାଲବାର ଉପକୂଳ ଓ ତ୍ରିବାଙ୍କୁଡ଼ର ଲୋକେ ସେଠାର ନଡ଼ିଆକତାରୁ ବହୁ ଅର୍ଥ ଆୟ କରନ୍ତି । ଆମ ଦେଶର ବଡ଼ ବଡ଼ ଲୋକେ ମାଲବାର ଓ ତ୍ରିବାଙ୍କୁଡ଼ ଅଞ୍ଚଳରୁ ଆସୁଥିବା ନଡ଼ିଆକତାର ପାଁପୋଛ ଓ ଘରତଳିରେ ପାରିବାର ବଡ଼ ବଡ଼ ଚଟେଇସବୁ ବହୁମୂଲ୍ୟରେ ଖରିଦ କରନ୍ତି ।

 

ଆମ ଦେଶରେ ଯେତେ କତା ନଷ୍ଟ ହେଉଅଛି, ତହିଁରୁ କେବଳ ତନ୍ତୁ ବାହାର କରି ପାରିଲେ କେତେପ୍ରକାର କାର୍ଯ୍ୟରେ ଲାଗନ୍ତା । କେବଳ ତନ୍ତୁଗୁଡ଼ିକ ବିକ୍ରୟ କଲେ ମଧ୍ୟ ବିଦେଶରୁ ଅନେକ ଅର୍ଥ ଆମ ଦେଶକୁ ଆସନ୍ତା ।

 

ଆମ ଦେଶରେ ନଡ଼ିଆ କତାକୁ କେହି କେବେ ମନେ କରନ୍ତି ନାହିଁ ଯେ, ଏହା ଗୋଟିଏ ମୂଲ୍ୟବାନ୍‌ ପଦାର୍ଥ । ଅନେକେ ଜାଣନ୍ତି ନାହିଁ ଯେ, କେବେ ଓ କେଉଁ ଅବସ୍ଥାରେ ନଡ଼ିଆ ତୋଳିଲେ ତହିଁର କତାରୁ ଭଲ ତନ୍ତୁ ବାହାରି ପାରିବ । ନଡ଼ିଆ କତାର ତନ୍ତୁ ପ୍ରତି ଦୃଷ୍ଟି ରଖି କେହି କେବେ ନଡ଼ିଆ ତୋଳନ୍ତି ନାହିଁ ।

 

ନଡ଼ିଆ କତାର ବ୍ୟବହାର ପ୍ରତି ଦୃଷ୍ଟି ଦେଲେ ଏବଂ ଉତ୍ତମ ତନ୍ତୁ ପାଇବାକୁ ଇଚ୍ଛା କଲେ କେତେଗୁଡ଼ିଏ ବିଷୟ ପ୍ରତି ଦୃଷ୍ଟି ଦେବାକୁ ପଡ଼ିବ । ନଡ଼ିଆ ପୂର୍ଣ୍ଣ ପାକଳ ନ ହୋଇ ତିନି ପାଆ ହୋଇଥିବା ଅବସ୍ଥାରେ ତୋଳିଲେ ତହିଁର କତାରୁ ଭଲ ତନ୍ତୁ ବାହାରିବ ଓ ତନ୍ତୁଗୁଡ଼ିକର ରଙ୍ଗ ମଧ୍ୟ ସୁନ୍ଦର ରହିବ । କତାଗୁଡ଼ିକ ଉତ୍ତମରୂପେ ପାଣିରେ ନ ବତୁରିଲେ ତନ୍ତୁରୁ ତୁଷ ଛାଡ଼ିବ ନାହିଁ । ଏଦେଶରେ ୮।୧୦ ଦିନ ମାତ୍ର କତାଗୁଡ଼ିକ ତିନ୍ତାଇ ରଖି ତାପରେ ତାହାକୁ ଛେଚି ତହିଁରୁ ତନ୍ତୁ ବାହାର କରନ୍ତି । ସେହି ତନ୍ତୁରୁ କେତେକ ତୁଷ ଛାଡ଼ିଥାଏ ଏବଂ କେତେକ ଛାଡ଼ି ନ ଥାଏ । ସେହିପରି ଅବସ୍ଥାରେ ଦଉଡ଼ି ବଳନ୍ତି; ତେଣୁ ଦଉଡ଼ିଗୁଡ଼ିକ ଦେଖିବାକୁ ଅସୁନ୍ଦର ହୁଏ ମଧ୍ୟ ଶକ୍ତ ହୁଏ ନାହିଁ । ସେହି ତନ୍ତୁ ବାହାର କରିବାକୁ ମଧ୍ୟ ଯଥେଷ୍ଟ ପରିଶ୍ରମ ଲାଗେ ।

 

ମାଲବାର ଏବଂ ତ୍ରିବାଙ୍କୁଡ଼ ଅଞ୍ଚଳରେ ନଡ଼ିଆ ଫଳ ସମ୍ପୂର୍ଣ୍ଣ ପାକଳ ହେବା ପୂର୍ବରୁ ତିନିପାଆ ହୋଇଥିବା ଅବସ୍ଥାରେ ଫଳଗୁଡ଼ିକ ତୋଳିପକାନ୍ତି । କତାଗୁଡ଼ିକ ବହୁକାଳ ପର୍ଯ୍ୟନ୍ତ ପାଣିରେ ବତୁରାଇ ରଖନ୍ତି । ସମୟ ସମୟରେ ଏକ ବର୍ଷ ପର୍ଯ୍ୟନ୍ତ ମଧ୍ୟ ବତୁରାଇ ରଖିବାକୁ ପଡ଼େ-। ଲୁଣା ପାଣିରେ ତିନ୍ତାଇଲେ ଅଧିକ ସୁବିଧା ହୁଏ ।

 

ଏ ଦେଶରେ ଏତେଦିନ ତିନ୍ତାଇବାର ଆବଶ୍ୟକ ହୋଇ ନ ପାରେ । ନଡ଼ିଆଗୁଡ଼ିକ ଉପଯୁକ୍ତ ସମୟରେ ତୋଳିଲେ ଏକ ବର୍ଷରୁ ଅନେକ କମ ସମୟ ମଧ୍ୟରେ ଭଲ ତନ୍ତୁ ବାହାରି ପାରେ । ମାତ୍ର ତାହା ଏପର୍ଯ୍ୟନ୍ତ କେହି ଏଠାରେ ପରୀକ୍ଷା କରି ନାହାନ୍ତି । ଏହା ପରୀକ୍ଷା ହେବା ବିଶେଷ ଦରକାର ।

 

କତାଗୁଡ଼ିକ ଉତ୍ତମରୂପେ ତିନ୍ତିଗଲେ ତାହାକୁ କେବଳ ପିଟି ସେଗୁଡ଼ିକ ଝାଡ଼ିଦେଲେ ତହିଁରୁ ତୁଷ ଗୁଡ଼ିକ ବାହାରିଯିବ । ତୁଷଗୁଡ଼ିକ ସମ୍ପୂର୍ଣ୍ଣ ବାହାରିଗଲେ ତନ୍ତୁଗୁଡ଼ିକ ପରିଷ୍କାର ହୋଇ ବାହାରିବ । ତନ୍ତୁକୁ ଦଳି ଯେତେ ସମାନ ଓ ସରଳ ଡୋର କରି ପାରିବ, ତଦ୍ଦ୍ୱାରା ଯାହା ପ୍ରସ୍ତୁତ କରିବ, ତାହା ସୁନ୍ଦର ଏବଂ ଶକ୍ତ ହେବ । ସେହିପରି ଡୋରଦ୍ୱାରା ଭଲ ପାଲ ବୁଣାଯାଇ ପାରିବ । ମାଲବାର ଓ ତ୍ରିବାଙ୍କୁଡ଼ ପ୍ରଭୃତି ଅଞ୍ଚଳରେ ନଡ଼ିଆ କତାର ପାଲ ଓ ଅନ୍ୟାନ୍ୟ ପଦାର୍ଥମାନ ତନ୍ତଦ୍ୱାରା ବୁଣନ୍ତି । କତାରୁ ତୁଷ ବାହାର କରିବା ଓ ତାହାକୁ ବୁଣିବା ଆଦି ନିମନ୍ତେ ବର୍ତ୍ତମାନ ନାନାପ୍ରକାର ଯନ୍ତ୍ର ବାହାରିଲାଣି । ବଡ଼ ବଡ଼ କାରଖାନାମାନଙ୍କରେ ସେହି ସବୁ ଯନ୍ତ୍ର ବ୍ୟବହୃତ ହେଉଅଛି । ଏହାର ତନ୍ତ ଲୁଗାବୁଣା ତନ୍ତଠାରୁ ଆକାରରେ ବଡ଼ ଏବଂ ଅଧିକ ଓଜନ ।

 

ତୁଷ ଛଡ଼ାଇବା ପାଇଁ ଏବଂ ଡୋର ବଳିବା ପାଇଁ ମଧ୍ୟ କେତେକ କଳ ବାହାରିଲାଣି । ସାଧାରଣ ଲୋକଙ୍କ ପକ୍ଷରେ ସେ ସମସ୍ତ କଳ ଓ ଯନ୍ତ୍ର ଖରିଦ କରିବା ସମ୍ଭବପର ନୁହେ; କିନ୍ତୁ ସାଧାରଣ ଗୃହସ୍ଥମାନେ ସହଜରେ ନଡ଼ିଆଗୁଡ଼ିକ ତୋଳିଲା ପରେ ସେଗୁଡ଼ିକ ଛଡ଼ାଇ ତହିଁର କତାଗୁଡ଼ିକ କଞ୍ଚା ଥାଉଁ ଥାଉଁ ଦରପିଟା କରି ପାଣିରେ ତିନ୍ତାଇଦେଇ ପାରନ୍ତି । ଉତ୍ତମରୂପେ ତିନ୍ତିଗଲେ ଯେ କୌଣସି ସମୟରେ ବସିଥିବାବେଳେ ଅଳ୍ପ ଅଳ୍ପ ବାହାର କରି ତାହାକୁ ପିଟି ତହିଁରୁ ତୁଷଗୁଡ଼ିକ ଝାଡ଼ି ତନ୍ତୁଗୁଡ଼ିକ ବାହାର କରି ରଖି ଦେଇ ପାରନ୍ତି । ନଡ଼ିଆଗୁଡ଼ିକ ସମ୍ପୂର୍ଣ୍ଣ ପାକଳ ହେବା ପୂର୍ବେ ତୋଳିବା ପକ୍ଷରେ ଏଠାରେ କେତେକ ଅସୁବିଧା ଅଛି । ନଡ଼ିଆଗୁଡ଼ିକ ତୋଳିବାମାତ୍ରେ ତାହା ବ୍ୟବହାର କରିବାର ସୁବିଧା ନ ହେବା ପର୍ଯ୍ୟନ୍ତ ପାକଳ ହେବା ପୂର୍ବରୁ ନଡ଼ିଆ ତୋଳି ରଖିଦେଲେ ସେଗୁଡ଼ିକ ପଚିଯାଇ ପାରେ । ଯେବେ ତେଲ ପେଡ଼ିବାର ବ୍ୟବସ୍ଥା ହୁଅନ୍ତା, ତେବେ ସଙ୍ଗେ ସଙ୍ଗେ ତୋଳି ବ୍ୟବହାର କରାଯାଇ ପାରନ୍ତା । ସେ ବ୍ୟବସ୍ଥା ନ ହେବା ପର୍ଯ୍ୟନ୍ତ ପୂର୍ଣ୍ଣ ପାକଳ ହେବା ପୂର୍ବରୁ ନଡ଼ିଆ ତୋଳିବା ଆଶା କରାଯାଇ ନ ପାରେ ।

 

ମାତ୍ର ଅନେକ ସମୟରେ ଲୋକେ ନିଜ ନିଜର ବ୍ୟବହାର ନିମନ୍ତେ କେତେକ ନଡ଼ିଆ ପୂର୍ଣ୍ଣ ପାକଳ ନ ହେଉଣୁ ତୋଳିଥାନ୍ତି । ନିତାନ୍ତ ପକ୍ଷରେ ସେହି ନଡ଼ିଆ ଗୁଡ଼ିକର କତାଗୁଡ଼ିକ ଯେବେ ଛଡ଼ାଇବା ମାତ୍ରେ ସଙ୍ଗେ ସଙ୍ଗେ ଦରଛେଚା କରି ପାଣିରେ ତିନ୍ତାଇ ଦିଅନ୍ତେ, ତେବେ ଅଳ୍ପ ପରିଶ୍ରମରେ ଓ ଅଳ୍ପ କାଳ ମଧ୍ୟରେ ଅତି ସୁନ୍ଦର ତନ୍ତୁ ପାଇ ପାରନ୍ତେ । ସେ ତନ୍ତୁ ଅଧିକ ନରମ ଏବଂ ତାହାର ରଙ୍ଗ ଆହୁରି ଉତ୍‌କୃଷ୍ଟ; ସେହି ତନ୍ତୁଦ୍ୱାରା ଯେଉଁ ପଦାର୍ଥ ନିର୍ମାଣ କରନ୍ତେ, ତାହା ଅଧିକ ମନୋରମ ହୁଅନ୍ତା ।

 

ନଡ଼ିଆ କତାକୁ ନାନାପ୍ରକାର ରଙ୍ଗରେ ରଙ୍ଗ କରାଯାଇ ପାରେ । ତାଳପତ୍ର ଓ କୋରଟ ଆଦି ଯେଉଁ ପ୍ରଣାଳୀରେ ରଙ୍ଗ କରିବାର ବିବରଣ ପୂର୍ବେ ବର୍ଣ୍ଣିତ ହୋଇଅଛି, ସେହି ପ୍ରଣାଳୀରେ ରଙ୍ଗାଇଲେ ଏହା ରଙ୍ଗ ହୋଇ ପାରିବ ।

 

ବର୍ତ୍ତମାନ ଏଠାରେ କେବଳ ନଡ଼ିଆ କତାର ପାଁପୋଛ୍‌ କେହି କେହି କରନ୍ତି । ତାହାମଧ୍ୟ ଉତ୍ତମରୂପେ କରି ପାରନ୍ତି ନାହିଁ । ଏଠାରେ ସେହି ପାଁପୋଛ୍‌ ତିଆରି କରିବାର ପ୍ରଣାଳୀ ବର୍ଣ୍ଣିତ ହେଲା । ପାଁପୋଛ୍‌ ସାଧାରଣତଃ ଦୁଇ ପ୍ରକାର ଏଠାରେ କରନ୍ତି । ଗୋଟିଏ ବେଣୀ ଦ୍ୱାରା ବେଣୀ ପାଁପୋଛ୍‌ ଆଉ ଗୋଟିଏ ତନ୍ତୁ ଗୁଡ଼ିକ ବୁରୁସ୍‌ ପରି ଉପରକୁ ରଖି ବୁରୁସ୍‌ ପାଁପୋଛ୍‌ ।

 

ବେଣୀର ପାଁପୋଛ୍‌ କରିବା ନିମନ୍ତେ ପ୍ରଥମେ ଉତ୍ତମ ତନ୍ତୁ ଗୁଡ଼ିଏ ବାଛି ତଦ୍ଦ୍ୱାରା ଗୋଟିଏ ସୁନ୍ଦର ବେଣୀ ତିଆରି କରିବ । ବେଣୀଟି ସବୁ ସ୍ଥାନରେ ସମାନ ହେଲେ ପଦାର୍ଥଟି ସୁନ୍ଦର ହେବ ।

Image

(୯ ନମ୍ବର ଚିତ୍ର)

ପାଁପୋଛ୍‌ଟି ଯେଉଁ ଆକାରରେ ଏବଂ ଯେଉଁ ନକ୍‌ସାରେ କରିବାକୁ ଇଚ୍ଛା କରିବ, ପ୍ରଥମେ ତହିଁର ମାପ ଅନୁସାରେ ଗୋଟିଏ ସମତଳ ସ୍ଥାନରେ କେତେଗୁଡ଼ିଏ ଖିଲ ପୋତି ଦେବ । ଚାରିକୋଣିଆ କରିବାକୁ ହେଲେ ୪ ଖଣ୍ଡି ଖିଲ ପୋତିଲେ ହେବ । ଅର୍ଦ୍ଧବୃତ୍ତ, ବାଦାମି ବା ଅନ୍ୟ ଆକୃତିର କରିବାକୁ ହେଲେ ଆକାର ଅନୁସାରେ ଯେତେଗୁଡ଼ିଏ ଖିଲ ଯେପରି ଭାବରେ ପୋତିବା ଆବଶ୍ୟକ ହେବ, ସେହିପରି ଖିଲ ପୋତିବ । ବେଣୀଟିର ଏକ ପ୍ରାନ୍ତ ଗୋଟିଏ ଖିଲରେ ବାନ୍ଧି ଅଟକାଇ ଦେଇ ତାହାକୁ ଅନ୍ୟ ଖିଲମାନଙ୍କରେ ବୁଲାଇ ଆଣିବ । ତା ପରେ କୁଟାର ପାଁପୋଛର ନିର୍ମାଣ ପ୍ରଣାଳୀ ୧ମ ଖଣ୍ଡ ୫୬ ପୃଷ୍ଠାରେ ଯେପରି ବର୍ଣ୍ଣିତ ଅଛି, ସେହିପରି ଦୁଇଖଣ୍ଡି ପଟା ରଖି ତହିଁ ମଧ୍ୟରେ ବେଣିଟି ଭାଙ୍ଗି ଭାଙ୍ଗି ବସାଇ ଦେଇ ତାହାକୁ ଠିକ୍‌ ସେହି ପ୍ରଣାଳୀରେ ଡାମ୍ଫଣଦ୍ୱାରା ଫୋଡ଼ି ସିଲାଇ କରି ବସାଇ ଦେବ । ଏଥିରେ ସିଲାଇ କରିବାପାଇଁ ମଧ୍ୟ କତାର ଡୋର ବ୍ୟବହାର କରିବ ।

 

ଭୂମିରେ ଖିଲ ପୋତିବା ପରିବର୍ତ୍ତେ ଯେବେ ଗୋଟିଏ ପଟା ପ୍ରସ୍ତୁତ କରି ତହିଁ ଉପରେ ଖିଲଗୁଡ଼ିଏ ମାରି ରଖି ପାର, ତେବେ ଆହୁରି ସୁବିଧା ହେବ ।

•••

 

ବୁରୁଶ୍‌ ପାଁପୋଛ୍‌

 

କତାର ତନ୍ତୁଗୁଡ଼ିକ ଉତ୍ତମରୂପେ ଉଞ୍ଛି କେରା କେରା କରି ରଖିବ । କେରାଗୁଡ଼ିକ ସମାନ ହେବା ଆବଶ୍ୟକ । ସେଗୁଡ଼ିକୁ ବ୍ୟବହାର କରିବା ପୂର୍ବେ ଅଳ୍ପ ବତୁରାଇ ଦେବାକୁ ପଡ଼ିବ ।

 

ଗୋଟିଏ ପଟାର ତକ୍ତା ଉପରେ ବୁରୁଶ୍‌ ପାଁପୋଛ୍‌ ବୁଣିଲେ ସୁବିଧା ହେବ । ତକ୍ତାଖଣ୍ଡି ୫ ଫୁଟ ଲମ୍ୱା ଓ ୪ ଫୁଟ ଚଉଡ଼ାର ହେଲେ ଚଳିବ । ତକ୍ତା ଖଣ୍ଡିକର ଦୁଇ ମୁଣ୍ଡରେ ଦୁଇଗୋଟି ଲେଖାଏଁ ୪ ଗୋଟି ହୁକ୍‌ ବା ୪ ଗୋଟି କଡ଼ା ଲଗାଇବେଦ । ସେହି ହୁକ୍‌ ବା କଡ଼ାରେ ପଟାର ଦୁଇ ମୁଣ୍ଡରେ ଦୁଇଖଣ୍ଡି ସିଧା ଓ ଶକ୍ତ ବାଉଁଶ ବା କାଠର ରୁଲ୍‌ ଖଞ୍ଜି ଦେବ । ସେହି ବାଉଁଶ ବା କାଠର ରୁଲ୍‌ ଦୁଇଟିରେ ନଡ଼ିଆକତାର ଡୋର ଗୋଟିଏ ଗୁଡ଼ାଇ ଗୁଡ଼ାଇ ଯେପରି ଲୁଗା ବୁଣିବା ପାଇଁ ଟାଣି କରାଯାଏ, ସେହିପରି ଗୋଟିଏ ଟାଣି ପ୍ରସ୍ତୁତ କରିବ । ଏହି ଟାଣିର ଗୋଟିଏ ଖିଅ ଉପରକୁ ଓ ଗୋଟିଏ ଖିଅ ତଳକୁ ରଖି ଦୁଇଗୋଟି ଫାନ୍ଦ ବାହାର କରିବ । ଫାନ୍ଦ ଦୁଇଟିରେ ଦୁଇଟି ସରଳ ଏବଂ ଚଉଡ଼ା ବତା ଖଞ୍ଜିଦେବ ।

 

ଟାଣିରୁ ଦୁଇଟି ଲେଖାଏଁ ଖିଅ ଧରିବ । ଆଗରୁ ଉଞ୍ଛା ହୋଇ ଓ ତିନ୍ତା ହୋଇ ରହିଥିବା ତନ୍ତୁରୁ କେରାଏ ଲେଖାଏଁ ନେଇ ୩ ନମ୍ୱର ଚିତ୍ରରେ ଯେପରି ଦେଖୁଅଛ ସେହିପରି ତାହାକୁ ଟାଣିର ସେହି ସେହି ଖିଅର ତଳେ ପୂରାଇ ଦୁଇଭାଙ୍ଗ କରି ମୋଡ଼ିଆଣି ଛାଡ଼ିଦେବ । ଏହିପରି ଧାଡ଼ିଟି ପୂର୍ଣ୍ଣ କରିଦେବ । ତା ପରେ ଗୋଟିଏ ହାତୁଡ଼ିଦ୍ୱାରା ସେହି ତନ୍ତୁଗୁଡ଼ିକର ଧାଡ଼ିଟିକୁ ପିଟି ଭଲ କରି ବସାଇଦେବ । ଫାନ୍ଦରେ ଥିବା ବତା ଖଣ୍ଡିକୁ ଭିଡ଼ି ଆଣି ବସାଇଦେବ ଏବଂ ସେହି ବତା ଖଣ୍ଡିକରେ ମଧ୍ୟ ଥରକେତେ ପିଟିଦେବ ।

Image

(୩ ନମ୍ବର ଚିତ୍ର)

ତତ୍ପରେ ବୁଣିଥିବା କତାର ପ୍ରତିକେରାରୁ ଅଧକେରା ଲେଖାଏଁ ଧରି ଗୋଟିଏ ତୀକ୍ଷ୍ଣ କଇଞ୍ଚିଦ୍ୱାରା ତାହାକୁ କାଟିଦେବ । ସବୁଗୁଡ଼ିକ କଟା ସରିଗଲେ ଯେବେ କୌଣସି ଅଂଶ ଅମେଳ ଦେଖାଯାଏ, ତେବେ ତାହାକୁ ଉତ୍ତମ ରୂପେ କାଟି ମିଳାଇ ସମାନ କରିଦେବ । ଧାଡ଼ିଏ ବୁଣିଲେ ଗୋଟିଏ ଫାନ୍ଦ ଭିଡ଼ି ହୋଇଯିବ । ଏହି ସମୟରେ ଦୁଇଟି ଫାନ୍ଦରେ ଲାଗିଥିବା ବତା ଦୁଇଖଣ୍ଡି ମଧ୍ୟରୁ ଖଣ୍ଡିଏ ବତା ମୁକ୍ତ ହୋଇଯିବ । ସେହି ବତା ଖଣ୍ଡିକ ଆଗକୁ ମଡ଼ାଇ ଆଉ ଗୋଟିଏ ଫାନ୍ଦ ଉଠାଇ ସେହି ଫାନ୍ଦରେ ବତାଟି ଲଗାଇ ଦେଇ ରଖିବ ।

Image

(୩ ନମ୍ବର ଚିତ୍ର)

ଏହିପରି କ୍ରମାଗତ ବୁଣି ଆବଶ୍ୟକ ଆକାରର ପାଁପୋଛ୍‌ଟି ବୁଣା ହୋଇଗଲେ ତାହାକୁ କାଟି ନେଇ ତହିଁରୁ ବାହାରିଥିବା ଦଉଡ଼ି ଚାରି ପାଖରେ ଗୋଟିଏ ବେଣି ବସାଇଦେବ ।

•••

 

ନଡ଼ିଆର ପୁଷ୍ପକୋଷ ବା ଖୋଷା

 

ନଡ଼ିଆର ଚଅଁର ଯେଉଁ କୋଷ ମଧ୍ୟରେ ଥାଏ, ଚଅଁର ବାହାରିଯିବା ପରେ ସେ କୋଷ ଖଣ୍ଡାର ଖୋଳ ପରି ଗଛରେ ଲାଗିଥାଏ । ନଡ଼ିଆଗଛକୁ ସଫା କରିବାବେଳେ ସେଗୁଡ଼ିକ ଶୁଖି ଯାଇଥାଏ ଓ ତାକୁ ଟାଣି ବା କାଟି ଗଛରୁ ବାହାର କରି ଦେବାକୁ ହୁଏ । ଆମ ଦେଶର ଲୋକେ ଶୁଖିଗଲେ ତାକୁ ଜାଳରୂପେ ବ୍ୟବହାର କରନ୍ତି । ସେ ଖୋଷାଗୁଡ଼ିକୁ ୧/୪ ଇଞ୍ଚ ଚଉଡ଼ାରେ ଲମ୍ବ ଲମ୍ୱ କରି ଚିରି ସେଗୁଡ଼ିକ ହାତମୁଠାରେ ସମ୍ଭାଇବା ଭଳି କଷି କରି ବାନ୍ଧି ତହିଁରେ ନିଆଁ ଲଗାଇ ଦେଲେ ତହିଁରୁ ଯେଉଁ ଧୂଆଁ ହୁଏ, ସେ ଧୂଆଁର ଦାଉରେ ମଶାଙ୍କ ପ୍ରକୋପ କମିଯାଏ । ସେଗୁଡ଼ିକ ଜାଳ ନ କରି ନିଆଁବଡ଼ିଆ ବା ଅଟାରୂପେ ବଜାରରେ ବିକ୍ରି କଲେ ସେଥିରୁ ମଧ୍ୟ ଗୃହସ୍ଥମାନେ ଦୁଇ ପଇସା ଆୟ କରି ପାରନ୍ତେ ।

 

ନଡ଼ିଆଗଛର କୌଣସି ଅଂଶ ନଷ୍ଟ ହେବାର ନୁହେଁ । ନଡ଼ିଆଗଛର ଗଣ୍ଡି ଖୁଣ୍ଟ ଓ ଶେଣୀରୂପେ ବ୍ୟବହୃତ ହୁଏ । ନଡ଼ିଆ ସଢ଼ାଇରେ ଆମ ଦେଶର ଚିତ୍ରକାରମାନେ ରଙ୍ଗ ଗୋଳାଇ ତାହାକୁ ରଙ୍ଗ ସଡ଼ାଇ କରନ୍ତି । ଆମ ଦେଶର ଅଧିକାଂଶ ଲୋକଙ୍କ ଘରେ ରୋଷାଇଶାଳ ପାଇଁ ନଡ଼ିଆ ସଡ଼େଇର ଡଙ୍କା ଆବଶ୍ୟକ ହୁଏ । ଗ୍ରାମମାନଙ୍କରେ ଯେ କୌଣସି ନିମିତ୍ତ ପର୍ବରେ ଚଟୁ, ଡଙ୍କା ତାଲିକାର ପ୍ରଥମ ସ୍ଥାନ ଅଧିକାର କରେ । କଲିକତା ଓ ବଙ୍ଗଳାର ଅଧିକାଂଶ ସ୍ଥାନରେ ବହୁପରିମାଣରେ ନଡ଼ିଆ ହୁକା ପ୍ରୟୋଜନ ହୁଏ । ଓଡ଼ିଶାରେ ହୁକା ତିଆରି ହେଲେ ତାହା ସହଜରେ ବିକ୍ରୟ ହୋଇ ପାରନ୍ତା । ନଡ଼ିଆ ସଡ଼ାଇରେ ବୋତାମ ମଧ୍ୟ କରାଯାଇ ପାରେ ।

 

ଓଡ଼ିଶାରେ ଯେବେ ବହୁପରିମାଣରେ ନଡ଼ିଆତେଲ ହେବାର ବ୍ୟବସ୍ଥା ହୁଅନ୍ତା, ତେବେ ତେଲ ବାହାର କରି ନେଲା ପରେ ଯେଉଁ ପିଡ଼ିଆ ବା ଭୁଷିଗୁଡ଼ିକ ରହିଯାନ୍ତା, ତାହା ଗୋରୁଙ୍କର ଖାଦ୍ୟ ପାଇଁ ବ୍ୟବହୃତ ହୁଅନ୍ତା ଏବଂ ଖତରୂପେ ମଧ୍ୟ ବ୍ୟବହୃତ ହୁଅନ୍ତା । ନଡ଼ିଆ କତାର ତନ୍ତୁଗୁଡ଼ିକ କାଢ଼ି ନେଲେ ଯେଉଁ ତୁଷଗୁଡ଼ିକ ରହେ, ତାକୁ ଏବଂ ନଡ଼ିଆ ସଡ଼ାଇର ଯେଉଁ ଅଂଶ ଅନ୍ୟ କୌଣସି ପ୍ରକାର ବ୍ୟବହାରରେ ଲାଗି ନ ପାରେ, ସେଗୁଡ଼ିକୁ ପୋଡ଼ି ତହିଁର ପାଉଁଶକୁ ଖତରୂପେ ବ୍ୟବହାର କଲେ ଜମିର ଉତ୍ପାଦିକା ଶକ୍ତି ବୃଦ୍ଧି ହୁଏ । ଜମି ବଳିଷ୍ଠ ହୁଏ, କାରଣ ଏଥିରେ ଯଥେଷ୍ଟ ପରିମାଣରେ ବଳକାରକ ଖାର (Potash) ଅଛି ।

•••

 

ବାଉଁଶ

 

ବାଉଁଶ ଆମ୍ଭମାନଙ୍କର ଗୋଟିଏ ସର୍ବାପେକ୍ଷା ଅଧିକ ବ୍ୟବହାର୍ଯ୍ୟ ପଦାର୍ଥ । ବାଉଁଶ ପ୍ରାୟ ସବୁ ଅଞ୍ଚଳରେ ମିଳେ । ବାଉଁଶ ନାନା ଜାତିର ହୁଏ । ଯଥା-ବାଡ଼ିଆ କଣ୍ଟା ବାଉଁଶ, ଶାଳିଆ, ବେଲାଙ୍ଗୀ, ପାହାଡ଼ୀ, ଢବା, ସୁନାରଘାଇ ଇତ୍ୟାଦି । ବାଉଁଶର ଗୋଟିଏ ସ୍ୱାଭାବିକ ମିଠାଗୁଣ ଅଛି; ତେଣୁ ବାଉଁଶରେ ଆପେ ଆପେ ପୋକ ଜନ୍ମି ଶୀଘ୍ର ତାହାକୁ ନଷ୍ଟ କରି ଦିଅନ୍ତି । ବାଉଁଶକୁ କାଟି କିଛିକାଳ ପାଣିରେ ପକାଇ ରଖିଲେ ତାହାର ସେହି ମିଠା ଗୁଣ ନଷ୍ଟ ହୋଇଯାଏ । ତା ପରେ ବାଉଁଶକୁ କାର୍ଯ୍ୟରେ ଲଗାଇଲେ ଆଉ ପୋକ ଲାଗନ୍ତି ନାହିଁ ।

 

ଶୁକ୍ଳ ପକ୍ଷରେ ବାଉଁଶର ମିଠାଗୁଣ ବୃଦ୍ଧି ହୁଏ । କୃଷ୍ଣ ପକ୍ଷରେ ଏହା କିଛି କମ୍‌ ଥାଏ । ତେଣୁ ଶୁକ୍ଳ ପକ୍ଷରେ ବାଉଁଶ କାଟିଲେ ଶୀଘ୍ର ପୋକ ଲାଗିବାର ଅଧିକ ଆଶଙ୍କା ହୁଏ ।

 

ଘରର ରୁଅ, କାମଡ଼ା, ବତାରିବାର ବତା ଇତ୍ୟାଦି ଏବଂ ଗରିବ ଲୋକଙ୍କ ଘରର ଖୁଣ୍ଟ, ଶେଣୀ, କାଣ୍ଡ ଓ କବାଟ ପ୍ରଭୃତି ଏହି ବାଉଁଶରେ ହୁଏ । କେହି କେହି ବାଉଁଶ ପୋତି ତହିଁଉପରେ ମାଟି ଛାଟି ଘରର କାନ୍ଥ କରନ୍ତି । କୌଣସି କୌଣସି ଅଞ୍ଚଳରେ ମୋଟ ବାଉଁଶକୁ ଫାଳ କରି ତାକୁ ଉତ୍ତମରୂପେ ଛେଚି ପଟାପରି ଚଟକା କରି ସେହି ଚଟକା ବାଉଁଶମାନଙ୍କୁ ବାଡ଼ ଭଳି ବସାଇ ତହିଁରେ ମାଟି ନ ଛାଟି ଘରର କାନ୍ଥ କରନ୍ତି । କେତେ ଅଞ୍ଚଳରେ ବାଉଁଶର ମୋଟ ପାତିଆକୁ ତାଟିପରି ବୁଣି ଘରର କାନ୍ଥ କରନ୍ତି । ବାଉଁଶରେ ବାଡ଼ି, ବାହୁଙ୍ଗି, କୋଡ଼ି ଓ କୁରାଢ଼ି ଆଦିର ବେଣ୍ଟ, ଯୁଆଳି, ଶଗଡ଼ଦଣ୍ଡାଠାରୁ ଆରମ୍ଭ କରି ପାଛିଆ, ଟୋକେଇ, ଡାଲା, ଚାଙ୍ଗୁଡ଼ି, ପେଡ଼ି, ତାଟି, ତଲେଇ, ଛାମୁଣ୍ଡିଆ ଲତା ମଡ଼ାଇବା ରଞ୍ଜା, ଜାଲିବାଡ଼, ଝାଡ଼ୁ, ଟାହିଆ, ରଙ୍ଗିନ କାଗଜ ଫାଟକର ଫରମା, ଓଦର, କହିରି (ଡୋଲି), ପାଞ୍ଚଣ, ଦାନ୍ତକାଠି ଏବଂ ଦାନ୍ତଖୁଣ୍ଟା ପର୍ଯ୍ୟନ୍ତ ନାନା ପ୍ରକାର ବ୍ୟବହାର୍ଯ୍ୟ ପଦାର୍ଥ ହୁଏ । ସେହି ବାଉଁଶର ପାତିଆରେ ଓ ସରୁ କାଡ଼ିରେ ମୋଡ଼ା, ଚଉକି, ଛୋଟ ଟେବୁଲ୍‌, ଚିକ, କୁଲା, ବିଞ୍ଚଣା, ନିଶୁଣି, ଘୋଡ଼ଚି, କାଣ୍ଡବାଉଁଶ, ବାଟୁଳିଖଡ଼ା, ପିଞ୍ଜରା ଆଦି ମଧ୍ୟ ନିର୍ମିତ ହୁଏ । ପୁଣି ବାଉଁଶକୁ କଳଦ୍ୱାରା ପେଷି ତାକୁ କାଦୁଅ ପରି କରି ତହିଁରୁ କାଗଜ ପ୍ରସ୍ତୁତ କରାଯାଏ । ବାଉଁଶ ଯେ କେତେ ପ୍ରକାର ବ୍ୟବହାରରେ ଲାଗେ, ତାହାର ସୀମା ନାହିଁ ।

 

ବାଉଁଶର ଗୋଟିକେତେ କ୍ଷୁଦ୍ର ଶିଳ୍ପର ନିର୍ମାଣପ୍ରଣାଳୀ ଏଠାରେ ପ୍ରଦତ୍ତ ହେଲା । ବାଉଁଶର ଶିଳ୍ପ ନିମନ୍ତେ ବିଶେଷ କୌଣସି ଦାମି ହତିଆର ଲୋଡ଼ା ନାହିଁ । ଟାଙ୍ଗିଆ, କଟୁରୀ ଓ ଛୁରୀଦ୍ୱାରା ବାଉଁଶରୁ ନାନାପ୍ରକାର ପଦାର୍ଥ ପ୍ରସ୍ତୁତ ହୋଇ ପାରେ । କେବଳ ହାତର କୌଶଳ, ଦୃଷ୍ଟି ଓ ବିବେଚନାର ବିଶେଷ ଆବଶ୍ୟକ ।

•••

 

ଘୋଡ଼ା

 

ବାଉଁଶଟି ସମ୍ପୂର୍ଣ୍ଣ ତନ୍ତୁମୟ ପଦାର୍ଥ । ଏହାର ତନ୍ତୁଗୁଡ଼ିକ ଶକ୍ତ; ତେଣୁ ବ୍ୟବହାର କଲାବେଳେ ଅସାବଧାନ ହେଲେ ହାତରେ ଫୋଡ଼ିଯିବା ବା ହାତ କାଟି ହୋଇଯିବାର ଯଥେଷ୍ଟ ସମ୍ଭାବନା ଥାଏ । ବାଉଁଶକୁ ଚିରି ବତା, ପାତିଆ ବା କାଠି ପ୍ରସ୍ତୁତ କରି ସେଗୁଡ଼ିକ ଚାଞ୍ଛିବା ଲାଗି ଆଉ ଖଣ୍ଡିଏ ଛୋଟ ବାଉଁଶ ଉପରେ ରଖି ତାଞ୍ଛିବାକୁ ହୁଏ । ସେହି ଛୋଟ ବାଉଁଶ ଖଣ୍ଡିକୁ ଘୋଡ଼ା କହନ୍ତି ।

Image

(୧ ନମ୍ବର ଚିତ୍ର)

ଘୋଡ଼ାଟି ପ୍ରାୟ ୪ ଫୁଟ ଲମ୍ୱାର ଖଣ୍ଡିଏ ଅଗ ବାଉଁଶ । ଏହାର ଏକପ୍ରାନ୍ତରୁ ପ୍ରାୟ ୭।୮ଇଞ୍ଚ ପର୍ଯ୍ୟନ୍ତ ଚାରିଫାଳ କରି ଚିରା ହୋଇଥାଏ ଏବଂ ତହିଁରେ ଦୁଇଖଣ୍ଡି କରି ବତା ପିନ୍ଧାଇ ଦିଆଯାଇଥାଏ ଓ ବତା ପିନ୍ଧାଇବା ସ୍ଥାନକୁ କୋରଟ ବା ବେତ ପାତିଆ କିମ୍ୱା ବାଣିଦ୍ୱାରା ଉତ୍ତମରୂପେ ବାନ୍ଧି ଦିଆ ଯାଇଥାଏ । ୧ନମ୍ୱର ଚିତ୍ର ଦେଖ । ବାମ ହାତରେ ବତା, ପାତିଆ ବା କାଠି ଖଣ୍ଡିକ ଧରି ଏହି ଘୋଡ଼ା ଉପରେ ରଖି ଦେବାକୁ ହୁଏ । ଡାହାଣ ହାତରେ ଛୁରୀ ବା କଟୁରୀ ଧରି ତହିଁର ଧାରଟି ଘୋଡ଼ା ଉପରେ ସେହି ବତା, ପାତିଆ ବା କାଠି ଉପରେ ବସାଇ ବାମ ହାତଦ୍ୱାରା ବତା, ପାତିଆ ବା କାଠିଖଣ୍ଡକୁ ଟାଣି ନେବାକୁ ହୁଏ । ଡାହାଣ ହାତରେ ଛୁରୀ ବା କଟୁରୀଦ୍ୱାରା ଆବଶ୍ୟକ ଅନୁସାରେ ଚିପି ଧରିବାକୁ ପଡ଼େ । ତାହାହେଲେ ସେହି ବତା, ପାତିଆ ବା କାଠି ଖଣ୍ଡିକ ସହଜରେ ତାଞ୍ଛି ହୋଇଯାଏ ।

 

ଘୋଡ଼ାଟି ଦେହରେ କରତଦ୍ୱାରା ଛୋଟ ବଡ଼ କେତେକଗୁଡ଼ିଏ ଘାଇ କରାଯାଇ ଥାଏ; ସେହି ଘାଇ ସାହାଯ୍ୟରେ କାଠିଗୁଡ଼ିକ ଏକ ସମାନ ମୋଟ ବା ପାତଳ କରାଯାଇ ପାରେ । ଏହି ବାଉଁଶ ଘୋଡ଼ା ସାହାଯ୍ୟରେ ବାଉଁଶ କାଠିକୁ ଖୁବ୍‌ ସୂକ୍ଷ୍ମ କରାଯାଇ ପାରେ ଏବଂ ଖୁବ୍‌ ପାତଳ ପାତିଆ ମଧ୍ୟ କରାଯାଇ ପାରେ ।

•••

 

ଧନୁ

Image

(୨ ନମ୍ବର ଚିତ୍ର)

ପୂର୍ବକାଳରେ ଯେତେ ପ୍ରକାର ଅସ୍ତ୍ରଶସ୍ତ୍ରର ବ୍ୟବହାର ଥିଲା, ତହିଁ ମଧ୍ୟରେ ବାଉଁଶର ଧନୁ ସର୍ବପ୍ରଧାନ । ବର୍ତ୍ତମାନ ଯୁଦ୍ଧର ଅସ୍ତ୍ର ଶସ୍ତ୍ର ସବୁ ଏକା ବେଳକେ ବଦଳି ଗଲାଣି; ତେଣୁ ଲୋକେ ଧନୁର୍ବିଦ୍ୟା ପ୍ରାୟ ଏକାବେଳକେ ଭୁଲି ଗଲେଣି । କେବଳ ହିଂସ୍ରଜନ୍ତୁଙ୍କଠାରୁ ଆତ୍ମରକ୍ଷା ନିମନ୍ତେ ପାର୍ବତୀୟ ପ୍ରଦେଶମାନଙ୍କରେ କେହି କେହି ଜଙ୍ଗଲି ଲୋକେ ଧନୁ ଓ ଶର ବ୍ୟବହାର କରିଥାଆନ୍ତି । ସାଧାରଣତଃ ଖଣ୍ଡିଏ ବତାର ଦୁଇମୁଣ୍ଡ ସରୁ କରି ତାଞ୍ଛି ତହିଁରେ ଗୁଣ ଲଗାଇ ତାକୁ ବଙ୍କା କରି ଧନୁ କରାଯାଏ । ୨ ନମ୍ୱର ଚିତ୍ର ଦେଖ । ବତା ଖଣ୍ଡିକୁ ଯେଉଁ ସୂକ୍ଷ୍ମ ଡୋର ପରି ପଦାର୍ଥଟି ଟାଣି ବଙ୍କା କରି ରଖିଅଛି, ତାହାକୁ ‘ଗୁଣ’ କୁହାଯାଏ । ଧନୁରେ ‘ଗୁଣ’ ବସାଇ ତଦ୍ଦ୍ୱାରା ଯେଉଁ ଶର ପ୍ରୟୋଗ କରନ୍ତି, ସେହି ଶରର ଅଗ୍ରଭାଗରେ ଗୋଟିଏ ଲୁହାର ଦାଢ଼ୁଆ ଫଳକ ବା ଫଳା ଥାଏ । ଫଳାକୁ ନାନା ଆକୃତିର କରନ୍ତି । ଫଳାର ଅଗ୍ରଭାଗ ଖୁବ୍‌ ତୀକ୍ଷ୍ଣ । ଶରକୁ ଗୁଣରେ ବସାଇ ଗୁଣକୁ ଟାଣି ଶରକୁ ଛାଡ଼ିଦେଲେ ତାହା ବହୁ ଦୂରକୁ ଚମକିଯାଇ ଲକ୍ଷ୍ୟ ଭେଦ କରି ପାରେ-। ସମତଳ ପ୍ରଦେଶରେ ଲୋକଙ୍କ ହସ୍ତରେ ବର୍ତ୍ତମାନ ହାତ ହତିଆର ପ୍ରାୟ କିଛି ନାହିଁ କିମ୍ୱା ହତିଆରର ତେତେ ପ୍ରୟୋଜନ ମଧ୍ୟ ହେଉ ନାହିଁ ।

 

ଏଣିକି ମାଙ୍କଡ଼ମାନଙ୍କର ସଂଖ୍ୟା ଓ ସେମାନଙ୍କ ଦୌରାତ୍ମ୍ୟ ଯେପରି ବୃଦ୍ଧି ହେଉଅଛି, ସେମାନଙ୍କୁ ତଡ଼ିବ । କାରଣ ଉପାୟ ନ କଲେ ସମତଳ କ୍ଷେତ୍ରରେ ଲୋକଙ୍କ ବସବାସ କରି ରହିବା କଠିନ ହୋଇପଡ଼ିବ । ଲୋକେ ବାଡ଼ି ବଗିଚାରେ ଫସଲ ଲଗାଇବା କଥା ଛାଡ଼ି ଦେବାକୁ ବସିଲେଣି ଓ କେତେକ ସ୍ଥାନରେ ଛାଡ଼ିଦେଲେଣି । ଫସଲ କଲେ ମଧ୍ୟ ତହିଁର ଉତ୍ପନ୍ନ ଫଳଭୋଗ କରି ପାରୁ ନାହାନ୍ତି । ଘରର ଚାଳକୁ ମଧ୍ୟ ମାଙ୍କଡ଼ମାନେ ଡେଇଁ କୁଦି ଶୀଘ୍ର ନଷ୍ଟ କରି ଦେଉଅଛନ୍ତି-। ଏଥିଯୋଗୁଁ ଲୋକେ ବିଶେଷ ହଇରାଣ ହେଉଅଛନ୍ତି । କିନ୍ତୁ ମାଙ୍କଡ଼ଙ୍କୁ ପ୍ରାଣରେ ମାରି ଦେବାର ପ୍ରବୃତ୍ତି ହିନ୍ଦୁମାନଙ୍କର ନାହିଁ । ପ୍ରାଣରେ ନ ମାରି କେବଳ ସେମାନଙ୍କୁ ତଡ଼ି ଦେବାପାଇଁ ଉପଯୁକ୍ତ ଅସ୍ତ୍ର ବାଟୁଳିଖଡ଼ା । ବାଟୁଳିଖଡ଼ା ପ୍ରୟୋଗ କଲେ ମାଙ୍କଡ଼ଙ୍କର ପ୍ରାଣରେ ମରିବାର ଆଶଙ୍କା ଖୁବ୍‌ କମ୍‌ । କିନ୍ତୁ ବାଟୁଳିମାଡ଼ ଖାଇଲେ ତହିଁର ଭୟରେ ମାଙ୍କଡ଼ ଗ୍ରାମ ଛାଡ଼ି ପଳାଇଯିବେ ।

•••

 

ବାଟୁଳିଖଡ଼ା

 

ସାଧାରଣ ବାଟୁଳିକଡ଼ା ଧନୁ ପରି ଖଣ୍ଡିଏ ବତା । ଏହାର ଗୁଣଟି କେବଳ ଦୁଇ ସରି ଡୋରଦ୍ୱାରା ନିର୍ମିତ । ତାହା ଏକ ମୁଣ୍ଡରେ ଖଣ୍ଡିଏ ଛୋଟ କାଠିଦ୍ୱାରା ବିଭକ୍ତ କରି ରଖା ଯାଇଥାଏ ଏବଂ ବ୍ୟବହାର କଲାବେଳେ ବାଟୁଳି ଖଞ୍ଜିବା ପାଇଁ ଗୁଣରେ ସେହି ଦୁଇ ସରି ଡୋର ମଧ୍ୟରେ ବାଣି ବା ସୂତାଦ୍ୱାରା ବୁଣା ଗୋଟିଏ ଛୋଟ ପଟ୍ଟୀ ଲଗା ଯାଇଥାଏ । ବାଟୁଳିଖଡ଼ାଦ୍ୱାରା ବାଟୁଳିକୁ ଗୁଣରୁତେର୍ଚ୍ଛା କରି ବକ୍ରଭାବରେ ଛାଡ଼ିବାକୁ ପଡ଼େ । ଏହି ପ୍ରକାର ବାଟୁଳିଖଡ଼ାରେ ବାଟୁଳି ମାରିବାକୁ ନୂଆ ଶିଖୁଥିବା ବ୍ୟକ୍ତିମାନଙ୍କର ବାଟୁଳିଟି ଗୁଣରୁ ଛିଟିକି କରି ଯିବାବେଳେ ବତାରେ କିମ୍ୱା ବାଟୁଳିଖଡ଼ାକୁ ମୁଠାଇଥିବା ବାଆଁ ହାତର ବୁଢ଼ା ଆଙ୍ଗୁଠିରେ ବାଜିବାର ଭୟ ଥାଏ ।

Image

(୩ ନମ୍ବର ଚିତ୍ର)

(୪ ନମ୍ବର ଚିତ୍ର)

ଆଉ ଗୋଟିଏ ପ୍ରକାରର ବାଟୁଳିଖଡ଼ା ଏଠାରେ ବର୍ଣ୍ଣିତ ହେଲା । ତହିଁରେ ସେରୂପ ଆଶଙ୍କା କମ୍ । ଏହାର ଧନୁଟି ସାଧାରଣତଃ ୪.୫ ଫୁଟ କିମ୍ୱା ୫ ଫୁଟ ଲମ୍ୱା କରାଯାଏ । ଏଥି ନିମନ୍ତେ ଖଣ୍ଡିଏ ମୋଟା ବତା ବାଛି ନେବ । ତହିଁର ଦୁଇ ପ୍ରାନ୍ତରେ ଦୁଇଟି ଗଣ୍ଠି ଥିବା ଆବଶ୍ୟକ । ଗଣ୍ଠି ପରେ ଦୁଇ ତିନି ଇଞ୍ଚ ଜାଗା ରଖି ବତାଟି କାଟିବ । ସେହି ବତା ଖଣ୍ଡିକର ଦୁଇ ପ୍ରାନ୍ତକୁ କ୍ରମେ ସରୁ କରିବାକୁ ହେବ । ବତାଟିର ଦୁଇ ପ୍ରାନ୍ତର ଦୁଇ ଗଣ୍ଠିର ମଧ୍ୟଭାଗରୁ ପ୍ରାୟ ଗଣ୍ଠିଠାରୁ ୧ ଇଞ୍ଚ କରି ଛାଡ଼ି ଏବଂ ଦୁଇ ପାଖରେ ପ୍ରାୟ ୩/୪ ଇଞ୍ଚ ପରିମିତ ଦୁଇଟି ଅଂଶ ଛାଡ଼ିଦେଇ ଅବଶିଷ୍ଟ ଅଂଶକୁ କାଟି ବାହାର କରି ଦେବ । ୪ ନମ୍ୱର ଚିତ୍ର ଦେଖ । ଦୁଇ ପ୍ରାନ୍ତରେ ଗୁଣ ଦେବା କାରଣ ଦୁଇଟି ଘାଇ କରିବ । ଧରିବା କାରଣ ବତାଟିର ଏକ ପାଖକୁ କିଛି ବେଶି ଓ ଅନ୍ୟ ପାଖକୁ କିଛି କମ୍‌ ଜାଗା ରଖି ପରସ୍ପର ୫ ଇଞ୍ଚ ବ୍ୟବଧାନରେ ଦୁଇଖଣ୍ଡି ବତା ବାନ୍ଧି ତହିଁର ମଧ୍ୟ ଭାଗରେ ଗୋଟିଏ ହତା ବାନ୍ଧି ଦେବ । ଏହାର ଗୁଣଟି ବାଟୁଳିଖଡ଼ାର ଲମ୍ୱାଠାରୁ ପ୍ରାୟ ୮ ଇଞ୍ଚ କମ୍‌ ହେବା ଆବଶ୍ୟକ । ଗୁଣଟି ମଧ୍ୟ ଖଣ୍ଡିଏ ବାଉଁଶ ପାତିଆ । ତହିଁର ଦୁଇ ପ୍ରାନ୍ତରେ ଦୁଇଗୋଟି ଗଣ୍ଠି ଅଛି । ଦୁଇ ପ୍ରାନ୍ତରେ ପ୍ରାୟ ୩ ଇଞ୍ଚ ଲେଖାଏଁ ଛାଡ଼ି ମଧ୍ୟଭାଗରୁ ଅନ୍ତି ବାହାର କରି ତାହାକୁ ପାତଳ କରି ଦିଆ ଯାଇଅଛି । ଏବଂ ସେହି ପାତଳ ଅଂଶକୁ ଦୁଇ ସମାନ ଭାଗରେ ଚିରି ଦିଆଯାଇଅଛି । ଗୁଣର ଏକପ୍ରାନ୍ତରେ ୧୦।୧୧ ଇଞ୍ଚ ପରେ ଗୁଣର ଦୁଇ ଅଂଶକୁ ପୃଥକ୍‌ ରଖିବା କାରଣ ୧.୫ ଇଞ୍ଚ ଲମ୍ୱ ଖଣ୍ଡିଏ କାଠିର ଦୁଇ ପ୍ରାନ୍ତରେ ଘାଇ କରି କାଟି ଲଗାଇ ଦିଆଯାଇଅଛି ଏବଂ ତାହାକୁ ଖଣ୍ଡିଏ ସରୁ ଡୋରରେ ବାନ୍ଧି ଦିଆଯାଇଅଛି । ତହିଁର କିଛି ତଳକୁ ଗୁଣର ଦୁଇ ଅଂଶକୁ ସଂଯୁକ୍ତ କରି ବାଟୁଳି ଖଞ୍ଜିବା କାରଣ ପ୍ରାୟ ୧ଇଞ୍ଚ ପରିମିତ ଛଣି ବା ସୂତାରେ ଗୋଟିଏ ଜାଲି ବୁଣାଯାଇଅଛି । ଗୁଣଟିର ଦୁଇ ପ୍ରାନ୍ତରେ ଛଣିରେ ଦୁଇଟି ଫାଶ ଲଗାଇ ରଖା ଯାଇଅଛି-। ବ୍ୟବହାର କଲାବେଳେ ତାହାକୁ ଧନୁର ଦୁଇ ପ୍ରାନ୍ତର ଘାଇରେ ଅଟକାଇ ଦେଲେ ଧନୁଟି ଭିଡ଼ି ହୋଇଯିବ ଏବଂ ତହିଁରେ ବାଟୁଳି ଖଞ୍ଜି ନିକ୍ଷେପ କଲେ ବାଟୁଳିଟି ମୁଠାର ଠିକ୍‌ ଉପରେ ଯାଇଁ ଲକ୍ଷ୍ୟ ସ୍ଥାନକୁ ଆଘାତ କରିବ-। ବ୍ୟବହାର କରି ସାରିବା ପରେ ଧନୁର ଏକ ପ୍ରାନ୍ତରୁ ଗୁଣର ଏକ ପ୍ରାନ୍ତର ଫାଶଟି କାଢ଼ି ରଖିଦେବ ।

•••

 

ବାଉଁଶର ମୋଡ଼ା

 

ଆଧୁନିକ ସଭ୍ୟତା ସଙ୍ଗେ ସଙ୍ଗେ ଉଚ୍ଚାସନରେ ବସିବାର ପ୍ରବୃତ୍ତି କ୍ରମେ ବୃଦ୍ଧି ହେଉଅଛି-। ପଲ୍ଲୀ ଗ୍ରାମରେ ମଧ୍ୟ ସପ, ସତରଞ୍ଜି ବା ଗାଲିଚାରେ ବସିବାଠାରୁ ଚୌକି, ବେଞ୍ଚ୍‌ ବା ଯେ କୌଣସି ପ୍ରକାର ଉଚ୍ଚାସନରେ ବସିବାକୁ ଲୋକେ ଅଧିକ ସମ୍ମାନିତ ମନେ କଲେଣି । କାଠର ଚେଆର୍‌, ଟେବ୍ଲ ପ୍ରଭୃତି ଦାମିକା ପଦାର୍ଥ ସମସ୍ତେ ଖରିଦ କରି ପାରନ୍ତି ନାହିଁ । ସାଧାରଣତଃ ମଫସଲର ବଢ଼େଇମାନେ ଆଧୁନିକ ରୁଚି ଅନୁସାରେ ଉଚ୍ଚାସନ କରିବାକୁ ଅକ୍ଷମ; ତେଣୁ ମଫସଲରେ ଏ ସବୁ ପଦାର୍ଥର ମୂଲ୍ୟ ଆହୁରି ଅଧିକ ପଡ଼ିଯାଏ ।

 

ବାଉଁଶ ସବୁଠାରେ ମିଳେ । ବାଉଁଶରେ ନାନା ପ୍ରକାର ଉଚ୍ଚାସନ କରାଯାଇ ପାରେ । ବାଉଁଶର ମୋଡ଼ା, ମୋଡ଼ା ଚେଆର୍‌, ଅନ୍ୟାନ୍ୟ ପ୍ରକାରର ବସିବାର ଆସନ, ଛୋଟ ଛୋଟ ଟେବୁଲ୍‌ ପ୍ରଭୃତି ଯେ କୌଣସି ବ୍ୟକ୍ତି ଆପଣା ଆପଣାର ଘରେ ତିଆରି କରି ନିଜେ ନିଜେ ବ୍ୟବହାର କରି ପାରିବେ । କେହି କେହି ଆପଣା ଦରକାର ଅପେକ୍ଷା ବେଶି ତିଆରି କଲେ ତାହା ବିକ୍ରୟ କରି ଲାଭ କରି ପାରିବେ । ତିଆରି କରିବାର ପ୍ରଣାଳୀ ଯେପରି ସହଜ, ତାହା ଅନାୟାସରେ ଯେ କୌଣସି ଲୋକ ଶିକ୍ଷା କରି ପାରିବେ ଏବଂ ଅବସର ସମୟରେ ବା ଅନ୍ୟ କାର୍ଯ୍ୟ ନ ଥିବା ସମୟରେ ଅକ୍ଳେଶରେ ଏ ସବୁ କରି ପାରିବେ ।

•••

 

ମୋଡ଼ା

 

ମୋଡ଼ା କରିବା ପାଇଁ ଗୋଟିଏ ବାଉଁଶ ନେଇ ତାହାକୁ ୧ ଫୁଟ, ୧୫ ଇଞ୍ଚ ବା ଦେଢ଼ ଫୁଟ ଅଥବା ଯେ କୌଣସି ଗୋଟିଏ ଲମ୍ୱରେ ଗଡ଼ ଗଡ଼ କରି କାଟି ପକାଇବ । ତା ପରେ ପ୍ରତି ବାଉଁଶ ଗଡ଼କୁ ଚିରି କେବଳ ଗୁଡ଼ିଏ ଗୋଲ କାଠି କରି ପକାଇବ । କାଠିଗୁଡ଼ିକ ଉତ୍ତମରୂପେ ତାଞ୍ଚି ସଫା କରିଦେବ ଏବଂ ସେଗୁଡ଼ିକ ସମାନ ମୋଟରେ ତାଞ୍ଚି ପାରିଲେ ତହିଁରେ ଯେଉଁ ମୋଡ଼ାଟି କରିବ, ତାହା ଦେଖିବାକୁ ସୁନ୍ଦର ହେବ । କାଠିଗୁଡ଼ିକ ସମ୍ପୂର୍ଣ୍ଣ ଗୋଲ ନ କରି ସାମାନ୍ୟ ଚେପ୍ଟା କଲେ ଆହୁରି ସୁନ୍ଦର ହେବ । ଆସନ ଜମାଇ ବସିବା ପାଇଁ ଯେତିକି ସ୍ଥାନ ଦରକାର, ସେଥି ପ୍ରତି ଲକ୍ଷ୍ୟ ରଖି ୧୦ ଇଞ୍ଚ, ୧୨ ଇଞ୍ଚ ବା ୧୫ ଇଞ୍ଚ ବ୍ୟାସର ଦୁଇଗୋଟି ବତାର ମୁଣ୍ଡଳି ପ୍ରସ୍ତୁତ କରିବ-। କାଠିଗୁଡ଼ିକର ଦୁଇ ପ୍ରାନ୍ତ ଦୁଇ ମୁଣ୍ଡଳି ଉପରେ ଖଞ୍ଜିବ । କାଠିଗୁଡ଼ିକ ପ୍ରତ୍ୟେକ ଅଧଇଞ୍ଚ କରି ଅନ୍ତରରେ ରହିବ । ଦୁଇ ମୁଣ୍ଡଳିରେ ଦୁଇଖଣ୍ଡ ଡୋର ଲଗାଇ କାଠିଗୁଡ଼ିକର ଦୁଇ ମୁଣ୍ଡକୁ ଦୁଇ ମୁଣ୍ଡଳି ଉପରେ ବସାଇ ତହିଁରେ ଡୋର ଗୁଡ଼ାଇ ଗୁଡ଼ାଇ କାଠି ବସାଇବ । ୧ ନମ୍ୱର ଚିତ୍ର ଦେଖ ।

Image

(୧ ନମ୍ବର ଚିତ୍ର)

(୨ ନମ୍ବର ଚିତ୍ର)

ତା ପରେ ଗୋଟିଏ ପାଖର ମୁଣ୍ଡଳିକୁ ଦୁଇଗୋଡ଼ରେ ଖୁବ୍‌ ଶକ୍ତ କରି ଚିପି ଧରିବ । ଅନ୍ୟ ମୁଣ୍ଡଳିଟିକୁ ଦୁଇ ହାତରେ ଧରି ୨ ନମ୍ୱର ଚିତ୍ର ପରି ମୋଡ଼ିଦେଇ କୌଣସି ମତେ ଆଉ ଖଣ୍ଡିକେତେ କାଠି ନେଇ ମୋଡ଼ାର କାଠିଗୁଡ଼ିକ ଯେଉଁ ଆଡ଼କୁ ମୋଡ଼ି ହୋଇଥିବ, ତହିଁର ବିପରୀତ ଦିଗରେ ଖଞ୍ଜି ଦୁଇ ମୁଣ୍ଡଳିରେ ଶକ୍ତ କରି ବାନ୍ଧିଦେବ । ତାହାହେଲେ ମୋଡ଼ାର କାଠିଗୁଡ଼ିକ ଯେପରି ମୋଡ଼ି ହୋଇଥିବ, ଠିକ୍‌ ସେହିପରି ରହିଯିବ । ଏକ ପରସ୍ତ କାଠି ସେହିପରି ଉପରେ ଚାରିଆଡ଼େ ବସିଗଲେ ମୋଡ଼ାଟି ଶକ୍ତ ହୋଇ ରହିଯିବ ।

Image

(୩ ନମ୍ବର ଚିତ୍ର)

ଯେବେ ଦୁଇଜଣ ଲୋକ ମୁଣ୍ଡଳି ଦୁଇଟିକୁ ଦୁଇ ପାଖରୁ ଧରି ଏକ ସମୟରେ ତହିଁରେ କାଠି ଖଞ୍ଜି ଡୋର ଗୁଡ଼ାନ୍ତି ଏବଂ ଏକପରସ୍ତ କାଠି ବସିଗଲା ପର ଦୁଇ ମୁଣ୍ଡଳିକୁ ଦୁଇ ପାଖରୁ ଦୁହେଁ ଧରି ମୋଡ଼ି ଅନ୍ୟ ପରସ୍ତ କାଠି ଦୁହେଁ ବିପରୀତ ଦିଗରୁ ବସାଇ ବାନ୍ଧନ୍ତି, ତେବେ କାର୍ଯ୍ୟଟି ଆହୁରି ସହଜ ହେବ ଏବଂ ଶୀଘ୍ର ହୋଇ ପାରିବ । ୩ ନମ୍ୱର ଚିତ୍ର ଦେଖ ।

 

ପ୍ରଥମ ପରସ୍ତ କାଠି ମୋଡ଼ି ହୋଇ ରହିଥିବା ବେଳେ ଦ୍ୱିତୀୟ ପରସ୍ତ କାଠି ନିମନ୍ତେ ପ୍ରଥମେ ଖଣ୍ଡିଏ କାଠି ବିପରୀତ ଦିଗରେ ଯେଉଁ ପରିମାଣରେ ବଙ୍କା କରି ବସାଇବା ଆବଶ୍ୟକ, ସେହି ପରିମାଣରେ ବଙ୍କା କରି ବସାଇଦେବ । ତା ପରେ କାଠିକୁ କାଠି ଗୋଟି ଗୋଟି କରି ଜଗି ଶେଷ ପର୍ଯ୍ୟନ୍ତ କାଠି ବସାଇ ଦେବ । କୌଣସି ଠାରେ ଗୋଟିଏ ଘରଛାଡ଼ିଗଲେ କିମ୍ୱା ଗୋଟିଏ କାଠି ଅଧିକ ମାଡ଼ିଗଲେ ଶେଷକୁ ଅମେଳ ପଡ଼ିଯିବ ।

 

ଦୁଇପରସ୍ତ କାଠି ଛନ୍ଦା ହୋଇଗଲା ପରେ ମୋଡ଼ାଟିର ଠିକ୍‌ ମଝିରେ ଫାଳିକିଆ ବେତ ଖଣ୍ଡେ ଚାରିଆଡ଼େ ବୁଲାଇ ଖଞ୍ଜିଦେବ । ମୋଡ଼ାଟିର ଦେହଯାକ ଆଗରୁ କାଠି ଛନ୍ଦା ହୋଇ ସବୁଠାରେ ଛକ ପଡ଼ି ଯାଇଥିବ । ଏଥର ଖଣ୍ଡିଏ ସରୁ ବେତପାତିଆ ନେଇ ତାହାର ଗୋଟିଏ ମୁଣ୍ଡ ଫାଳିକିଆ ବେତ ତଳେ କୌଣସିଠାରେ ବାନ୍ଧିଦେଇ ତାହାର ଅନ୍ୟ ମୁଣ୍ଡଟି ସେହି ଫାଳିକିଆ ବେତର ଦୁଇ ପାଖରୁ ଦୁଇଧାଡ଼ି ଛକକୁ ଓ ସେହି ଫାଳିକିଆ ବେତକୁ ଏକାଠି ସଂଯୁକ୍ତ କରି ଚାରି ପାଖରେ ଗୋଟିଏ ଧାଡ଼ି ଗଣ୍ଠି ବୁଲାଇ ଆଣିବ । ସେହି ଧାଡ଼ିର ଗଣ୍ଠି ଗୁଡ଼ିକର ଆକାର ‘୫’ ଅଙ୍କ ପରି ହେବ । ‘୫’ ଅଙ୍କର ଦୁଇ ପାଖର ଦୁଇ ମୁଣ୍ଡଳା ମଧ୍ୟରେ ଫାଳ ବେତର ଦୁଇ ପାଖର ଦୁଇଟି କାଠିର ଛକ ରହିଯିବ ଏବଂ ‘୫’ ଅଙ୍କର ଛକଟି ଫାଳିକିଆ ବେତ ଉପରେ ପଡ଼ିବ । ୪ ନମ୍ୱର ଚିତ୍ର ଦେଖ । ତାହାହେଲେ ଏହି ଧାଡ଼ିକ ଗଣ୍ଠି ଚାରି ପାଖରେ ବନ୍ଧା ହୋଇ ବୁଲିଆସି ସମସ୍ତ କାଠିଗୁଡ଼ିକୁ ଖୁବ୍‌ ଶକ୍ତ କରି ବାନ୍ଧି ରଖିବ ।

Image

(୪ ନମ୍ବର ଚିତ୍ର)

(୫ ନମ୍ବର ଚିତ୍ର)

ତା ପରେ ତହିଁର ଉପରକୁ ଗୋଟିଏ ଏବଂ ତଳକୁ ଗୋଟିଏ, ଏରୂପ ଆଉ ଦୁଇଗୋଟି ଫାଳ ବେତ ଖଞ୍ଜି ଠିକ ମଝିରେ ଗଣ୍ଠିପରି ଗଣ୍ଠି ଦେଇ ଦୁଇଧାଡ଼ି ଗଣ୍ଠି ବାନ୍ଧିବ । ୫ ନମ୍ୱର ଚିତ୍ର ଦେଖ । ମୋଡ଼ାଟିର ଦୁଇ ମୁଣ୍ଡରେ କୌଣସି କାଠି ବଳକା ହୋଇ ବାହାରିଥିଲେ, ତାହାକୁ ସମାନ କରି କାଟିଦେବ । ତହିଁ ଉପରେ ଗୋଟିଏ ପାଖରେ ବସିବା ପାଇଁ ବେତ ପାତିଆ ବୁଣିଦେବ । ବୁଣିବା ପ୍ରଣାଳୀ ଏହା ପରେ ବର୍ଣ୍ଣିତ ହୋଇଅଛି । ବୁଣିସାରି ଦୁଇ ମୁଣ୍ଡଳିକୁ ମିଶାଇ କାଠିଗୁଡ଼ିକର ଅଗ୍ରଭାଗ ଉପରେ ବେତ ଅନ୍ତି, ବାଉଁଶ ଅନ୍ତି, ଜୁଣ ବା ନଡ଼ା ଖଞ୍ଜି ୩।୪ ଇଞ୍ଚ ମୋଟରେ ସମାନ କରି ଗୋଲ କରିଦେବ ଏବଂ ତହିଁ ଉପରେ ଖଣ୍ଡିଏ ସୂତୁଲି ଆଦି ଗୁଡ଼ାଇ ପ୍ରଥମେ ଅଟକାଇ ଦେବ-। ତା ପରେ ବେତ ପାତିଆ ଖଞ୍ଜି ଆଉ ଗୋଟିଏ ବେତ ପାତିଆରେ ତାହାକୁ ବୁଣିଦେବ । ଏହା ବୁଣିବାର ପ୍ରଣାଳୀ ପ୍ରଥମ ଖଣ୍ଡର ୫୩ ପୃଷ୍ଠାରେ କୋରଟ ପାତିଆଦ୍ୱାରା ହତା ବୁଣିବାର ଓ ୫୪ ପୃଷ୍ଠାରେ ଅଫିସ୍‌ ଟ୍ରେ ବା ଡାଲାର ମୁହଁ ବାନ୍ଧିବାର ପ୍ରଣାଳୀ ସଙ୍ଗେ ସମାନ ।

•••

 

ମୋଡ଼ା ଚେଆର

 

ବାଉଁଶକାଠିରେ ମୋଡ଼ା ଚେଆର୍‌ ବାନ୍ଧିବାର ପ୍ରଣାଳୀ ମୋଡ଼ା ବାନ୍ଧିବାର ପ୍ରଣାଳୀ ସଙ୍ଗେ ବହୁପରିମାଣରେ ସମାନ । ମାତ୍ର ଚେଆରର୍‌ ତଳ ମୁଣ୍ଡଳିଟି ତହିଁର ଉପର ମୁଣ୍ଡଳିଠାରୁ କିଛି ବଡ଼ ହେବ ଏବଂ କାଠି ତାଞ୍ଛିବାବେଳେ ଅଧିକାଂଶ କାଠିକୁ ବଡ଼ ବଡ଼ ରଖିବାକୁ ହେବ । ମୋଡ଼ା ପରି ଏଥିରେ ମଧ୍ୟ ମୁଣ୍ଡଳି ଦୁଇଟି ମଧ୍ୟରୁ ବଡ଼ ମୁଣ୍ଡଳିଟି ତଳକୁ ଓ ସାନ ମୁଣ୍ଡଳିଟି ଉପରକୁ ରଖି ତହିଁ ଉପରେ ଖଣ୍ଡିଏ ଖଣ୍ଡିଏ ଡୋର ବାନ୍ଧି ମୁଣ୍ଡଳି ଦୁଇଟିର ଉପରେ କାଠିଗୁଡ଼ିକ ବାନ୍ଧିବାକୁ ହେବ । କାଠିଗୁଡ଼ିକ ପ୍ରତ୍ୟେକ ଅଧଇଞ୍ଚ ଅନ୍ତରରେ ବନ୍ଧାଯିବ । କିନ୍ତୁ ଏଥିରେ ବଡ଼ ମୁଣ୍ଡଳିଟିରେ ସବୁ କାଠିଗୁଡ଼ିକର ଗୋଟିଏ ମୁଣ୍ଡ ଛନ୍ଦା ହେବ । ଛୋଟ ମୁଣ୍ଡଳିଟି ଉପରେ ଛନ୍ଦିବା ଆଗରୁ ବଡ଼ ମୁଣ୍ଡଳିଠାରୁ ୧୫ ଇଞ୍ଚ, ୧୭ ଇଞ୍ଚ ବା ଯେତେ ଉଚ୍ଚ କରିବାକୁ ଇଚ୍ଛା କରିବ, ସେହି ଉଚ୍ଚରେ ସବୁ କାଠିଗୁଡ଼ିକରେ ଗୋଟିଏ ଚିହ୍ନ ଦେଇ ସେହି ଚିହ୍ନ ଜାଗାଟି ସାନ ମୁଣ୍ଡଳି ଉପରେ ରଖି ତାହାକୁ ଗୋଟିଏ ଡୋରଦ୍ୱାରା ସାନ ମୁଣ୍ଡଳି ସଙ୍ଗେ ଛନ୍ଦି ବାନ୍ଧିଦେବ । ବଡ଼ ମୁଣ୍ଡଳି ଉପରେ କାଠିଗୁଡ଼ିକ ପ୍ରତ୍ୟେକ ଅଧଇଞ୍ଚ ଅନ୍ତରରେ ରହିଲେ ଛୋଟ ମୁଣ୍ଡଳି ଉପରେ ଏହା ଆବଶ୍ୟ ଅଧଇଞ୍ଚରୁ କିଛି କମ୍‌ ଅନ୍ତରରେ ରହିବ । ବଳକା କାଠିଗୁଡ଼ିକ ଉପରକୁ ବାହାରି ରହିଥିବ ।

 

କାଠିଗୁଡ଼ିକ ମୁଣ୍ଡଳି ଦୁଇଟିର ଉପରେ ଛନ୍ଦା ହୋଇଗଲେ ମୋଡ଼ା ପରି ଏହାର ଦୁଇ ମୁଣ୍ଡଳିକୁ ଦୁଇ ଜଣ ଦୁଇ ପାଖରୁ ଧରି ମୋଡ଼ି ଦେଲେ ଏହା ମୋଡ଼ା ପରି ମୋଡ଼ି ହୋଇ ରହିବ । ସେହିପରି ଅବସ୍ଥାରେ ଆଉ ଏକ ପରସ୍ତ କାଠି ଠିକ୍‌ ମୋଡ଼ା ପରି ବିପରୀତ ଦିଗରେ ଖଞ୍ଜି ବାନ୍ଧିଦେବ । ଦ୍ୱିତୀୟ ପରସ୍ତ କାଠି ବନ୍ଧା ହୋଇଗଲେ ଦୁଇ ମୁଣ୍ଡଳିର ମଧ୍ୟ ଭାଗରେ ଗୋଟିଏ ଏବଂ ତହିଁର ଦୁଇ ପାଖରେ ଆଉ ଦୁଇଗୋଟି ଏରୂପ ତିନି ଗୋଟି ଫାଳ ବେତ ଖଞ୍ଜି ଠିକ୍‌ ମୋଡ଼ା ପରି ବେତପାତିଆଦ୍ୱାରା ‘୫’ ଅଙ୍କ ଆକୃତିର ଗଣ୍ଠିଦେଇ ଫାଳ ବେତଟିର ଦୁଇ ପାଖର କାଠିର ଛକ ଗୁଡ଼ିକୁ ମିଶାଇ ଏକପାଖର ଛକରୁ ଅନ୍ୟ ପାଖର ଛକ ଓ ଅନ୍ୟ ପାଖର ଛକରୁ ଏ ପାଖର ଛକକୁ ସଂଯୁକ୍ତ କରି ତିନି ଧାଡ଼ି ଗଣ୍ଠି ବାନ୍ଧିଦେବ ।

 

ତା ପରେ ଛୋଟ ମୁଣ୍ଡଳିର ଉପରକୁ ଖଣ୍ଡିଏ ବେତ ଧରି ତାହାକୁ ବୁଲାଇ ତହିଁରେ ଗୋଟିଏ ମୁଣ୍ଡଳି କରିବ । ଏହି ମୁଣ୍ଡଳିଟି କାହାରି ସହିତ ସଂଯୁକ୍ତ ନ ରହି ଅଲଗା ଅଲଗା ରହିବ । ଏହି ମୁଣ୍ଡଳିକୁ ତଳ ମୁଣ୍ଡଳି ସଙ୍ଗେ ସମାନ ବା ତାହାଠାରୁ କିଛି ବଡ଼ ରଖିଲେ ଚଳିବ । ଏହି ମୁଣ୍ଡଳିଟିକୁ ବଳକା କାଠିଗୁଡ଼ିକର ଉପରେ କ୍ରମେ ଉପରକୁ ଉଠାଇବ କିମ୍ୱା ସମସ୍ତ ଫରମାଟି ଓଲଟାଇ ରଖିଦେଇ ମୁଣ୍ଡଳିଟି କ୍ରମେ ତଳକୁ ଖସାଇ ଦେବ । ତାହାହେଲେ ବନ୍ଧା ଅଂଶ ବାଦ୍‌ ଅଧିକ ବିସ୍ତୃତ ହୋଇ ରହିଥିବା ସବୁ କାଠିଗୁଡ଼ିକ ସହଜରେ କ୍ରମେ ଯାକି ହୋଇଯିବେ ।

Image

(୬ ନମ୍ବର ଚିତ୍ର)

ଏଥର ଚଉକିରେ ବସି ଆଉଯିବା ପାଇଁ ପିଠି ଅଂଶଟି ଯେପରି ଆକାରରେ ରଖିବାକୁ ଇଚ୍ଛା କରିବ, ସେହିପରି ଆକାର ହେଲେ ସେହିଠାରେ ମୁଣ୍ଡଳିଟି କାଠିଗୁଡ଼ିକ ସଙ୍ଗେ ଚାରି ପାଞ୍ଚ ଜାଗାରେ ଗୋଟିଏ ଗୋଟିଏ ଗଣ୍ଠି ଦେଇ ଅଟକାଇ ଦେବ ଏବଂ ତହିଁର ପିଠି ଯେଉଁ ଆକାରରେ ରଖିବାକୁ ଇଚ୍ଛା କରିବ, ତାହା ସ୍ଥିର କରି ସେହି ଅନୁସାରେ ସେହି କାଠି ଗୁଡ଼ିକରେ ଖଡ଼ି, ଗେରୁ ବା ଅନ୍ୟ କୌଣସି ରଙ୍ଗଦ୍ୱାରା ଦାଗ ଦେଇ ସେହି ଦାଗ ଉପରେ ଦୁଇ ପାଖରୁ ଦୁଇଖଣ୍ଡି ଫାଳ ବେତ ବା ସରୁ ବାଉଁଶକାଠି ଉତ୍ତମରୂପେ ବାନ୍ଧିଦେବ-। ତା ପରେ ସେହି ପିଠି ଅଂଶରେ କେବଳ ବାହାର ପାଖରୁ ଗୋଟିଏ ଲେଖାଏଁ ଫାଳ ବେତ ବା ସରୁ ବାଉଁଶକାଠି ତିନିଗୋଟି ସ୍ଥାନରେ ବସାଇ ଦୁଇ ଦୁଇଟି କାଠିର ଛକ ଗୁଡ଼ିକୁ ସଂଯୁକ୍ତ କରି ‘୫’ ଅଙ୍କ ଆକୃତିର ଗଣ୍ଠି ବାନ୍ଧିବା ପ୍ରଣାଳୀରେ ବାନ୍ଧିଦେବ-। ତା ପରେ ଆବଶ୍ୟକ ଅଂଶ ବାଦ୍‌ ବଳକା ବାହାରିଥିବା କାଠି ଗୁଡ଼ିକୁ କାଟି ପକାଇବ । ଅଲଗା ଲାଗିଥିବା ମୁଣ୍ଡଳିଟି ମଧ୍ୟ ଫିଟାଇଦେବ । ବସିବାର ସ୍ଥାନଟି ବେତର ପାତିଆଦ୍ୱାରା ବୁଣି ଦେବ । ବୁଣିବା ପ୍ରଣାଳୀ ପରେ ଦିଆ ଯାଇଅଛି । ୬ ନମ୍ୱର ଚିତ୍ର ଦେଖ ।

Image

(୭ ନମ୍ବର ଚିତ୍ର)

ତା ପରେ ବସିବା ସ୍ଥାନଟିର ଆଗ ଦାଢ଼, ଚେଆରର ଦୁଇ ପାଖରେ ଉଠିଥିବା ଓ ପିଠି ଉପରର ଦାଢ଼ ଏବଂ ଚେଆରର ତଳ ମୁଣ୍ଡଳି, ଏହି ସବୁ ସ୍ଥାନରେ ଯେଉଁଠାରେ ଆବଶ୍ୟକ, ସେଠାରେ ସେହିପରି ବେତଅନ୍ତି ବା କୁଟା ଆଦି ଦେଇ ମୋଡ଼ାର ଦାଢ଼ ବାନ୍ଧିବା ପ୍ରଣାଳୀରେ ଏହାର ଦାଢ଼ ସବୁଆଡ଼େ ବାନ୍ଧି ତହିଁରେ ବେତପାତିଆ ବୁଣିଦେବ । ତାହା ହେଲେ ସୁନ୍ଦର ମୋଡ଼ା ଚେଆର ଗୋଟିଏ ହେବ ।

Image

(୮ ନମ୍ବର ଚିତ୍ର)

ମୋଡ଼ା ଏବଂ ମୋଡ଼ା ଚେଆର ଛଡ଼ା ବାଉଁଶକାଠିରେ ଆଉ ଗୋଟିଏ ପ୍ରକାରର ଚେଆର କରିବାର ପ୍ରଣାଳୀ ଏଠାରେ ଦିଆଗଲା । ଏହାର ନିମ୍ନ ଅଂଶ ଠିକ୍‌ ମୋଡ଼ା ପରି ହୋଇଅଛି । ମାତ୍ର ଏହାର ଆଗ ପାଖ ସିଧା ଏବଂ ଆଉଜିବାର ପିଠି ମଧ୍ୟ ଭିନ୍ନ ପ୍ରକାର ଅଟେ । ୮ ନମ୍ୱର ଚିତ୍ର ଦେଖ ।

 

ଏହି ଚଉକିର ବସିବା ସ୍ଥାନର ଆକାର ୭ ନମ୍ୱର ଚିତ୍ରପରି ଅର୍ଦ୍ଧବୃତ୍ତ ଅପେକ୍ଷା କିଛି ବଡ଼ । ଏହାକୁ ସହଜରେ ବାନ୍ଧିବାପାଇଁ ଖଣ୍ଡିଏ କାଠର ଫରମା ବ୍ୟବହାର କଲେ ସୁବିଧା ହେବ । ଫରମା ଖଣ୍ଡିକ ପାଇଁ ୭ ନମ୍ୱର ଚିତ୍ର ପରି କେବଳ ଦୁଇଖଣ୍ଡି ପଟା କଟାଇ ନେବ । ପଟା ଦୁଇ ଖଣ୍ଡିକୁ ୧୪ ବା ୧୫ ଇଞ୍ଚ ଲମ୍ୱା, ୧ ଇଞ୍ଚ ମୋଟା ଓ ୧.୫ ଇଞ୍ଚ ଚଉଡ଼ାର ୩ ଖଣ୍ଡି କାଠଦ୍ୱାରା ସଂଯୁକ୍ତ କରିବ । ତହିଁ ମଧ୍ୟରୁ ଆଗ ପାଖରେ ଦୁଇ ଖଣ୍ଡ ଏବଂ ପଛରେ ଅର୍ଦ୍ଧବୃତ୍ତର ମଝିରେ ଏକଖଣ୍ଡ କାଠ ରହିବ । ଏହି ଫରମାଟି କେବଳ ଚଉକି ଖଣ୍ଡିକ ବସିବାର ସ୍ଥାନ ଅର୍ଥାତ୍‌ ଚଉକିଟିର ନିମ୍ନ ଭାଗର ଫରମା ଅଟେ । ଏହାକୁ ଯେତେ ସାନ ବା ଯେତେ ବଡ଼ କରିବାକୁ ଇଚ୍ଛା କରିବ, ତେତେ ବଡ଼ ବା ସାନ କରି ପାରିବ ।

 

ଦୁଇଖଣ୍ଡି ବତା ଉତ୍ତମରୂପେ ତାଞ୍ଛି ତାହାକୁ ଫରମା ଉପରେ ଆପେ ଖଣ୍ଡିଏ ଓ ତଳ ଆଡ଼େ ଖଣ୍ଡିଏ, ଏପରି ଦୁଇଖଣ୍ଡି ବତା ଫରମା ସଙ୍ଗେ ମିଶାଇ ଭିଡ଼ି ବାନ୍ଧିଦେବ । ବତା ଦୁଇଖଣ୍ଡିକୁ ଏପରି ଭାବରେ ବାନ୍ଧିଥିବ, ଯେପରି ତହିଁରେ କାଠିଗୁଡ଼ିକ ଛନ୍ଦା ହୋଇଗଲା ପରେ ଫରମାଟି ସହଜରେ ବାହାରିଯିବ । କାଠିଗୁଡ଼ିକ ବଙ୍କା କରି ତଳ ବତାରେ ଏକ ମୁଣ୍ଡ ଏବଂ ଉପର ବତାରେ ଏକ ମୁଣ୍ଡ ଖଞ୍ଜି ବରାବର ବାନ୍ଧିଯିବ । କାଠ ଗୁଡ଼ିକ ପ୍ରତ୍ୟେକ ଅଧଇଞ୍ଚ ଲେଖାଏଁ ଅନ୍ତରରେ ଛନ୍ଦିବ-। ପ୍ରଥମରେ ଆଗପାଖ ମାପର କାଠିଗୁଡ଼ିଏ ଖଞ୍ଜି ତା ପରେ ପଛଆଡ଼ ପାଇଁ ବଡ଼ ବଡ଼ କାଠି ଖଞ୍ଜିବ । ପ୍ରଥମେ ଏକପରସ୍ତ ବନ୍ଧା ଶେଷ ହୋଇଗଲେ ଆଉ ଏକପରସ୍ତ କାଠି ବିପରୀତ ଦିଗରେ ଛନ୍ଦି ବାନ୍ଧିଦେବ । ଦୁଇପରସ୍ତ କାଠି ଉତ୍ତମରୂପେ ବନ୍ଧା ହୋଇଗଲା ପରେ ଚେଆର ଉପରର ଦାଢ଼ରେ ଦୁଇପାଖରୁ ଦୁଇଖଣ୍ଡି ସରୁ ବତା ବା ବେତ ଦେଇ ୮ ନମ୍ୱର ଚିତ୍ର ପରି ଆକୃତିରେ ଦୁଇପାଖରୁ କାମଡ଼ା ପରି ଭିଡ଼ି ବାନ୍ଧିଦେବ ଏବଂ ପୂର୍ବବର୍ଣ୍ଣିତ ମୋଡ଼ା ଓ ମୋଡ଼ା ଚେଆରର ଦାଢ଼ରେ ଯେପରି ବେତ ଅନ୍ତି ଆଦି ଦେଇ ବାନ୍ଧିବାର ପ୍ରଣାଳୀ ବର୍ଣ୍ଣିତ ଅଛି, ସେହିପରି ବାନ୍ଧିଦେବ-। ବର୍ତ୍ତମାନ କାଠର ଫରମାଖଣ୍ଡିକ ତଳୁ ବାହାର କରିନେବ ।

 

ମୋଡ଼ାରେ ଏବଂ ମୋଡ଼ା ଚେଆରରେ ଯେପରି ଫାଳବେତ ବସାଇ ‘୫’ ଅଙ୍କ ଆକୃତିର ଗଣ୍ଠିଦ୍ୱାରା ଛକକୁ ଛକ ଧରି ଗୋଟିଏ ଲେଖାଏଁ ଧାଡ଼ି ବାନ୍ଧିବାର ପ୍ରଣାଳୀ ବର୍ଣ୍ଣିତ ହୋଇଅଛି, ଏଥିରେ ମଧ୍ୟ ସେହିପରି ନିମ୍ନଭାଗରେ ଦୁଇଗୋଟି ଏବଂ ଉପରେ ଦୁଇଗୋଟି ଧାଡ଼ି ଗଣ୍ଠି ବାନ୍ଧିଦେବ । ବସିବା ବ୍ୟକ୍ତିର ଆଉଜିବା ସ୍ଥାନରେ କେବଳ ବାହାର ପାଖରୁ ଫାଳବେତ ଖଞ୍ଜି ବାନ୍ଧିବ । ବସିବାର ସ୍ଥାନଟି ବେତରେ ବୁଣିବା ପ୍ରଣାଳୀରେ ବୁଣିଦେବ । ବୁଣିବା ପ୍ରଣାଳୀ ପରେ ବର୍ଣ୍ଣିତ ହୋଇଅଛି ।

•••

 

ଚାରିକୋଣିଆ ଚେଆର୍‌

Image

(୯ ନମ୍ବର ଚିତ୍ର)

(୧୦ ନମ୍ବର ଚିତ୍ର)

ପ୍ରଥମେ ବାଉଁଶର ଗୋଟିଏ ଗୋଟିଏ ଫରମା ପ୍ରସ୍ତୁତ କରି ନାନା ଆକାରର ଚେଆର ନିର୍ମାଣ କରାଯାଇ ପାରେ । ଚାରିକୋଣିଆ ଚେଆର କରିବାକୁ ହେଲେ ପ୍ରଥମେ ସମାନ ମୋଟର ୪ ଖଣ୍ଡି ବାଉଁଶକୁ ଚେଆରର ଗୋଡ଼ କରିବ । ପଛର ଦୁଇଖଣ୍ଡି ଗୋଡ଼ ଆଗର ଦୁଇଖଣ୍ଡି ଗୋଡ଼ଠାରୁ ବଡ଼ ହେବା ଆବଶ୍ୟକ । ଗୋଡ଼ମାନଙ୍କୁ ମାପ କରି ଲୋଡ଼ା ହେବା ସ୍ଥାନମାନ ଫୋଡ଼ି ତହିଁରେ ଆଡ଼ି ଖଞ୍ଜି ଦେବ । କେତେଗୁଡ଼ିଏ ସରୁ କାଠି ଓ କେତେଗୁଡ଼ିଏ ପାତିଆ ପ୍ରସ୍ତୁତ କରି ଯେଉଁଠାରେ ଯେପରି ଭାବରେ ଖଞ୍ଜିବାକୁ ଇଚ୍ଛା କରିବ, ସେହିପରି ଖଞ୍ଜିବ । ଯେଉଁଠାରେ ଆବଶ୍ୟକ ହେବ, ଦୁଇ ପାଖରେ ଦୁଇଖଣ୍ଡି ବତା ଭିଡ଼ିକରି ବାନ୍ଧିବ । ବସିବାର ଆସନ ମଧ୍ୟ ବାଉଁଶର ମୋଟ ପାତିଆରେ ସରଳବୁଣା ପ୍ରଣାଳୀରେ ବୁଣିବ । ପ୍ରତି ଗଣ୍ଠିରେ ବେତ ପାତିଆ ବା କୋରଟ କିମ୍ୱା ନାଳିଆର ପାତିଆଦ୍ୱାରା ଉତ୍ତମରୂପେ ଗୁଡ଼ାଇ ଶକ୍ତ କରି ଗୋଟିଏ ଗୋଟିଏ ଗଣ୍ଠି ଦେବ । ଗଣ୍ଠିଗୁଡ଼ିକ ଏପରି ଭାବରେ ବାନ୍ଧିବ, ଯେପରି ସମସ୍ତ ଗଣ୍ଠି ଏକା ରକମର ହେବ ଏବଂ ସୁନ୍ଦର ଦେଖାଯିବ । ଗୋଡ଼ ୪ ଗୋଟିରେ ଏବଂ ପିଠି ଉପରର ଆଡ଼ି ଖଣ୍ଡିକରେ, ଆହୁରି ମଧ୍ୟ ଚେଆରର ହାତରେ ବରାବର ବେତ ପାତିଆ ଗୁଡ଼ାଇ ଦେବ । ତା ହେଲେ ଚେଆର ଦେଖିବାକୁ ଆହୁରି ସୁନ୍ଦର ହେବ । ୯ ଓ ୧୦ ନମ୍ୱର ଚିତ୍ରମାନଙ୍କରେ ଉଦାହରଣସ୍ୱରୂପ ଦୁଇ ପ୍ରକାରର ଚେଆର୍‌ ଦେଖାଇ ଦିଆଗଲା । ଯେତେ ପ୍ରକାରର ଭିନ୍ନ ଭିନ୍ନ ଆଦର୍ଶରେ ଚେଆର କରିବାକୁ ଇଚ୍ଛା କରିବ, ତାହା ସବୁ ଏହି ପ୍ରଣାଳୀରେ କରି ପାରିବ ।

•••

 

ମୋଡ଼ା ଏବଂ ଚଉକି ବୁଣା

 

ମୋଡ଼ା ଏବଂ ଚଉକି (Chair) ଆଦି ବୁଣିବାର ପ୍ରଣାଳୀ ସବୁ ସମାନ । ଏହା ନାନା ପ୍ରକାରରେ ବୁଣାଯାଇ ପାରେ । ଏହା ଆଗରେ ତାଳପତ୍ର ଓ ନାଳିଆ ପାତିଆର ଚଟେଇ ବୁଣାରେ ଏବଂ ଖଟିଆ ବୁଣାରେ ଯେଉଁ ସବୁ ପ୍ରଣାଳୀ ଦେଖାଇ ଦିଆ ଯାଇଅଛି, ସେହି ସବୁ ପ୍ରଣାଳୀ ମୋଡ଼ା ଓ ଚଉକି ବୁଣା ପ୍ରତି ଖଟିବ । ସେହି ସବୁ ବୁଣାରେ ଟାଣି ଓ ଭରଣି ବିଷୟ ବୁଝାଇ ଦିଆ ଯାଇଅଛି । ଏଠାରେ ମୋଡ଼ା ଓ ଚଉକି ବୁଣାରେ ସେହିପରି ଗୋଟିଏ ଧାଡ଼ି ପାତିଆକୁ ଟାଣି କରି ପ୍ରଥମେ ଛନ୍ଦି ଦେବାକୁ ହେବ । ତାହା ପରେ ଆଉ ଗୋଟିଏ ଧାଡ଼ି ପାତିଆକୁ ଭରଣି କରି ତହିଁରେ ଆଡ଼ବାଗେ ବୁଣିବାକୁ ହେବ । ସାଧାରଣ ବୁଣିବାର ପ୍ରଣାଳୀ ଗୋଟିଏ ନିମ୍ନରେ ଦିଆଗଲା । ମୋଡ଼ା ଏବଂ ମୋଡ଼ା ଚଉକି ସବୁ ସାଧାରଣତଃ ଏହି ପ୍ରଣାଳୀରେ ବୁଣାଯାଏ । ଅଧିକ ମୂଲ୍ୟବାନ୍‌ ଚଉକି ଓ ଅନ୍ୟାନ୍ୟ ପଦାର୍ଥମାନ ଟୁଇଲ୍‌ ବା ଡାଇମଣ୍ଡ ଆଦି ପ୍ରଣାଳୀରେ ବୁଣାଯାଇ ଥାଏ । ସେସବୁ ପ୍ରଣାଳୀରେ ବୁଣିବାକୁ ହେଲେ ତହିଁରେ ମଧ୍ୟ ଠିକ୍‌ ଏହିପରି ଏକ ପରସ୍ତ ପାତିଆ ପ୍ରଥମେ ଟାଣି ସ୍ୱରୂପ ଛନ୍ଦିଲା ପରେ ତହିଁରେ ଭରଣି ପରସ୍ତ ପାତିଆଟି ବୁଣିବାବେଳେ ଟୁଇଲ୍‌ ବା ଡାଇମଣ୍ଡ ବୁଣାରେ ଯେପରି ଶାଖାଗୁଡ଼ିକ ଗଣନା କରି ପାତିଆ ଗୁଡ଼ିକର ତଳକୁ ଓ ଉପରକୁ ରଖି ବୁଣିବାକୁ ହୁଏ, ଏଥିରେ ମଧ୍ୟ ସେହିପରି ଟାଣିର ପାତିଆ ଗୁଡ଼ିକୁ ଗଣି ଗଣି ଭରଣି ପାତିଆ ବୁଣିଲେ ଟୁଇଲ୍‌ ଓ ଡାଇମଣ୍ଡ ଆଦି ଚିତ୍ର ବୁଣା ହୋଇଯିବ ।

 

ଏଠାରେ ଯେଉଁ ସାଧାରଣ ପ୍ରଣାଳୀ ବର୍ଣ୍ଣିତ ହେବ, ତହିଁରେ ଟାଣି ପାତିଆ କିପରି ପ୍ରଥମେ ଖଞ୍ଜିବାକୁ ହୁଏ ଏବଂ ତା ପରେ ଭରଣି ପାତିଆ କିପରି ବୁଣାଯାଏ, ତାହାର ଚାରିଗୋଟି ଅବସ୍ଥା ଚିତ୍ରରେ ଦେଖାଇ ଦିଆଗଲା । ତହିଁରୁ ଏହି ସରଳ ବୁଣା ପ୍ରଣାଳୀ ସହଜରେ ବୁଝିହେବ । ୧୧ ନମ୍ୱର ଚିତ୍ରରୁ ତାହା ବିଶଦଭାବରେ ବୁଝି ପାରିବ ।

Image

(୧୧ ନମ୍ବର ଚିତ୍ର)

ବୁଣିବା ପୂର୍ବରୁ ଗୋଟା ବେତଗୁଡ଼ିଏ ଚିରି ତହିଁରୁ ଅନ୍ତି କାଢ଼ି ପାତିଆଗୁଡ଼ିକ ସମାନ ସମାନ କରି ଚିରି ସଫା କରି ରଖିଥିବ । ଏହିପରି ବେତ ଚିରି ସଫା କରିବାକୁ ବେତ ‘ଧରିବା’ କହନ୍ତି । ଅର୍ଥାତ୍‌ ଆଗ କରି ବେତର ପାତିଆଗୁଡ଼ିକ ଧରାଇ କରି ରଖିଥିବ । ବୁଣିବା ସ୍ଥାନର ଯେ କୌଣସି ଗୋଟିଏ ଅଂଶରେ ଖଣ୍ଡିଏ ପାତିଆ ଗଣ୍ଠିଦେଇ ବାନ୍ଧି ଦେବ । ସେହି ପାତିଆକୁ ଠିକ୍‌ ତହିଁର ବିପରୀତ ପାଖରେ ସମ୍ମୁଖର କାଠିରେ ବୁଲାଇ ଫେରାଇ ଆଣିଲେ ସେଠାରେ ଦୁଇଗୋଟି ପାତିଆ ଲଗାଲଗି ହୋଇ ରହିଯିବ । ତାହାଠାରୁ ଅଳ୍ପ ଫାଙ୍କ ରଖି ଆଉ ଗୋଟିଏ ଜାଗାରୁ ପାତିଆ ଲଗାଇ ଆଉ ଥରେ ଠିକ୍‌ ସେହିପରି ପାତିଆ ବୁଲାଇ ଆଣି ଦୁଇପାଖର କାଠିକୁ କାଠି ଛନ୍ଦି ଦେଲେ ଆଉ ଗୋଟିଏ ସେହିପରି ଦୁଇଟି ପାତିଆର ଧାଡ଼ି ତାହା ପାଖେ ପାଖେ ହୋଇଯିବ । ଏହିପରି କ୍ରମାଗତ ପାତିଆ ଛନ୍ଦି ଛନ୍ଦି ସମସ୍ତ ସ୍ଥାନଟିରେ ୧୧ ନମ୍ୱର ଚିତ୍ରର ‘୧’ ଚିହ୍ନିତ ଅଂଶ ପରି ପାତିଆ ଛନ୍ଦି ଦେବ । ଏହି ପରସ୍ତଟି ‘ଟାଣି’ ହେଲା ।

Image

(୧୧ ନମ୍ବର ଚିତ୍ର)

ତା ପରେ ସେହି ଚିତ୍ର ‘୨’ ଚିହ୍ନିତ ଅଂଶ ପରି ତହିଁରେ ଭରଣି ପାତିଆ ବୁଣିବାକୁ ହେବ-। ଏହି ଭରଣି ପାତିଆ ଛନ୍ଦିବା ସମୟରେ ପାତିଆଗୁଡ଼ିକ ଟାଣି ପାତିଆରେ ଗୋଟିକ ତଳେ ଓ ଗୋଟିକ ଉପରେ ଦେଇ ବରାବର ବୁଣି ବୁଣି ଛନ୍ଦି ଦେବ । ଭରଣି ପାତିଆଗୁଡ଼ିକ ଯେପରି ଠିକ ସମାନ ଅନ୍ତରରେ ରହୁଥିବ ଏବଂ ଯୋଡ଼ା ଯୋଡ଼ା ହୋଇ ସବୁଠାରେ ଟାଣି ପାତିଆ ସଙ୍ଗେ ସମକୋଣରେ ବସୁଥିବ ଏବଂ ଶେଷକୁ ସମସ୍ତ ସ୍ଥାନଟିକୁ କେତେ ଗୁଡ଼ିଏ ଚତୁଷ୍କୋଣ କ୍ଷେତ୍ରରେ ବିଭକ୍ତ କରିଦେବ, ଏଥିପ୍ରତି ବରାବର ଦୃଷ୍ଟି ରଖିଥିବ । ସେହି ଚିତ୍ରର ‘୩’ ଓ ‘୪’ ଚିହ୍ନିତ ଅଂଶ ଦେଖିଲେ ବୁଝି ପାରିବ ଯେ, ସେହି ଚତୁଷ୍କୋଣ କ୍ଷେତ୍ରଗୁଡ଼ିକର ପ୍ରତି କୋଣକୁ ସ୍ପର୍ଶ କରି ଆଉ ଗୋଟିଏ ଲେଖାଏଁ ପାତିଆ ବୁଣାଯିବ । ଅର୍ଥାତ୍‌ ଚାରିଗୋଟି ପାତିଆ ଏପରି ଭାବରେ ବୁଣିବାକୁ ହେବ, ଯେପରି ପ୍ରତି ଚତୁଷ୍କୋଣ କ୍ଷେତ୍ରର ପ୍ରତି କୋଣକୁ ଗୋଟିଏ ଲେଖାଏଁ ପାତିଆ ସ୍ପର୍ଶ କରୁଥିବ-। ୧୨ ନମ୍ୱର ଚିତ୍ରରେ ଏହା ବିଶଦଭାବରେ ଦେଖାଇ ଦିଆଯାଇଅଛି । ଏହି ଚାରିଗୋଟି ପାତିଆ ବୁଣିବା ସମୟରେ ବରାବର ଦୁଇଗୋଟି ପାତିଆ ତଳକୁ ରଖି ଏବଂ ଦୁଇଗୋଟି ପାତିଆ ଉପରକୁ ରଖି ବୁଣିବ । ଶେଷକୁ ବୁଣା ଅଂଶ ଉପରେ ଏକଫାଳ ଫାଳ ବେତ କାଠିଗୁଡ଼ିକୁ ଲଗାଇ ଲଗାଇ ମୋଡ଼ା ବା ମୋଡ଼ା ଚଉକିରେ ବାନ୍ଧି ଦେଲେ ବୁଣା ଅଂଶଟି ଶକ୍ତ ହୋଇଯିବ ଏବଂ ଦେଖିବାକୁ ସୁନ୍ଦର ହେବ ।

 

ମୋଡ଼ା ବା ମୋଡ଼ା ଚଉକି ସାଧାରଣତଃ ଏହିପରି ବୁଣାଯାଏ । ଯେବେ ଏଥିରେ ଟୁଇଲ୍‌ ବା ଡାଇମଣ୍ଡ ଆଦି ବୁଣିବାକୁ ଇଚ୍ଛା କରିବ, ତେବେ ଟାଣି ପାତିଆଗୁଡ଼ିକ ଆଗେ ଏହି ପ୍ରଣାଳୀରେ ଆହୁରି ଲଗାଲଗି କରି ଏକଧାଡ଼ି ବାନ୍ଧି ଦେବ । ତା ପରେ ଯେଉଁ ପ୍ରଣାଳୀରେ ବୁଣିବାକୁ ଇଚ୍ଛା କରିବ, ସେହି ପ୍ରଣାଳୀ ଅନୁସାରେ ଯେତେ ଗୋଟି ପାତିଆ ଉପରକୁ ଓ ଯେତେ ଗୋଟି ପାତିଆ ତଳକୁ ଦେବାକୁ ହେବ, ତାହା ହିସାବ କରି ସେହି ଅନୁସାରେ ଭରଣି ପାତିଆ ଖଞ୍ଜି ତାହାକୁ ଟାଣି ପାତିଆରେ ବୁଣିବ ।

 

କାଠର ଚଉକି ଆଦିରେ ତହିଁର ଆଡ଼ିରେ ବୁଣିବା ପାଇଁ ଛିଦ୍ର କରା ଯାଇଥାଏ ସେହି ସବୁ ବୁଣିବାବେଳେ ବେତର ପାତିଆଗୁଡ଼ିକ ସେହି ଛିଦ୍ର ମଧ୍ୟରୁ ଗୋଟିଏ ଛିଦ୍ରରେ ପୂରାଇ ଅନ୍ୟ ଛିଦ୍ରରେ ବାହାର କରି ଆଣି ବୁଣିବାକୁ ପଡ଼େ । ତାହା ଛଡ଼ା ବୁଣିବାର ପ୍ରଣାଳୀ ଆଉ ସମସ୍ତ ସମାନ-। କାଠ ଚଉକିମାନଙ୍କରେ କାଠରେ ଫୋଡ଼ ହୋଇଥିବାରୁ ବାଉଁଶର ପଦାର୍ଥଠାରୁ ତହିଁରେ ବୁଣିବା ଆହୁରି ଅଧିକ ସୁବିଧାଜନକ ।

•••

 

ବାଉଁଶ ଟେବୁଲ ବା ଟିପାଇ (Teapoy)

 

ଟେବୁଲ୍‌ କଥାଟି ସାଧାରଣ ନାମ ହୋଇଗଲାଣି । ବାଉଁଶରେ ବଡ଼ ବଡ଼ ଟେବୁଲ୍‌ ହୋଇ ପାରିବ ନାହିଁ । କେବଳ ଛୋଟ ଛୋଟ ଟେବୁଲ୍‌ ହେବ । ତାହାକୁ ଟେବୁଲ୍‌ ନ କହି ଟିପାଇ (Teapoy) କହିଲେ ସହଜରେ ସମସ୍ତେ ବୁଝି ପାରିବେ । ବାଉଁଶର ଟିପାଇ କରିବା ପାଇଁ ପ୍ରଥମେ ଚାରିଖଣ୍ଡି ନିଦା ଓ ସରୁ ଏବଂ ସମାନ ମୋଟ ବାଉଁଶର ଗୋଡ଼ ବାଛି ନେବ । ପାହାଡ଼ିଆ ବା କଣ୍ଟା ବାଉଁଶ ହେଲେ ସୁବିଧା ହେବ । ଗୋଡ଼ଗୁଡ଼ିକ ୨ ଫୁଟ ୩ ଇଞ୍ଚ ବା ୨ ଫୁଟ ୪ ଇଞ୍ଚ କରି ଲମ୍ୱ ରଖିବ । ପ୍ରତି ଗୋଡ଼ର ମୁଣ୍ଡରେ ୧୩ ନମ୍ୱର ଚିତ୍ର ପରି ଉପର ପାଖରେ ୪ ଗୋଟି ଫୋଡ଼ କରିବ ଏବଂ ତହିଁର ତଳ ପାଖରେ ତଳୁ ପ୍ରାୟ ୫ ଇଞ୍ଚ ଛାଡ଼ି ଦେଇ ଆଉ ୪ ଗୋଟି ଫୋଡ଼ କରିବ-। ଫୋଡ଼ଗୁଡ଼ିକ ସମସ୍ତ ଗୋଡ଼ଟିର ଗୋଟିଏ ଫାଳ ବା ଏକଅର୍ଦ୍ଧାଂଶ ମଧ୍ୟରେ ଏପରି ମାପ ଅନୁସାରେ କରିବ, ଯେପରି ଅନ୍ୟ ଦୁଇଗୋଟି ଗୋଡ଼ ସହିତ ଆଡ଼ିଗୁଡ଼ିକ ଲଗାଇଲେ ତାହା ସମକୋଣରେ ଲାଗିଯିବ । ପ୍ରତି ଧାଡ଼ିରେ ଦୁଇଟି ଲେଖାଏଁ ଫୋଡ଼ ରହିବ । ପ୍ରଥମ ଧାଡ଼ିର ଫୋଡ଼ ଦୁଇଟି ଠାରୁ ଦ୍ୱିତୀୟ ଧାଡ଼ିର ଫୋଡ଼ ଦୁଇଟି ୩ ଇଞ୍ଚ ଅନ୍ତରରେ ରହିବ । ସେହିପରି ତଳଆଡ଼ୁ ୫ ଇଞ୍ଚ ଛାଡ଼ି ଯେଉଁ ଦୁଇଟି ଫୋଡ଼ ହେବ, ତାହାଠାରୁ ୩ ଇଞ୍ଚ ଛାଡ଼ି ତହିଁ ଉପରକୁ ଆଉ ଦୁଇଗୋଟି ଫୋଡ଼ ହେବ ।

 

ଆଡ଼ି ନିମନ୍ତେ ୧୬ ଖଣ୍ଡି ବତା ତାଞ୍ଛିବ । ୮ ଖଣ୍ଡି ୨ ଫୁଟ ୩ ଇଞ୍ଚ ଲମ୍ୱାର ଏବଂ ୮ ଖଣ୍ଡି ୧ ଫୁଟ ୬ ଇଞ୍ଚ ଲମ୍ୱାର । ଗୋଡ଼ଗୁଡ଼ିକରେ ଫୁଟା ହୋଇଥିବା ଫୋଡ଼ଗୁଡ଼ିକରେ ଆଡ଼ିଗୁଡ଼ିକ ଖଞ୍ଜି ୧୪ ନମ୍ୱର ଚିତ୍ର ପରି ଗୋଟିଏ ଫରମା ଭିଡ଼ି ଦେବ ।

Image

(୧୪ ନମ୍ବର ଚିତ୍ର)

ଗଜା ବାଉଁଶ ଗୋଟିଏ ବାଛି ଆଣି ତହିଁରୁ ପାତିଆ ବାହାର କରିବ । ସେହି ପାତିଆ ଗୁଡ଼ିକ ବେଶ୍‌ ନରମ ହେବ । ପାତିଆଗୁଡ଼ିକ ସମାନ ଚଉଡ଼ାରେ ଚିରି ତାହାକୁ ତାଞ୍ଛି ଦୁଇଗୋଟି ପାତିଆ ନେଇ ୧୫ ନମ୍ୱର ଚିତ୍ର ପରି ଉପରର ଓ ତଳର ବତା ଦୁଇଟିରେ ଛକ ପକାଇ ଗୁଡ଼ାଇ ଯିବ । ଶେଷକୁ କୌଣସି ଗୋଟିଏ ସ୍ଥାନରେ ବାନ୍ଧି ଅଟକାଇ ଦେବ । ଆଉ ଗୋଟିଏ ପାତିଆ ସେହି ଛକମାନଙ୍କ ମଧ୍ୟରୁ ଗୋଟିଏ ଛକର ଉପରକୁ ଓ ଗୋଟିଏ ଛକର ତଳକୁ ଦେଇ ଚାରିପାଖ ବୁଲାଇ ଆଣିଲେ ତାହା ଶକ୍ତ ହୋଇଯିବ ଏବଂ ଦେଖିବାକୁ ମଧ୍ୟ ସୁନ୍ଦର ହେବ ।

 

ଟିପାଇର ଉପର ନିମନ୍ତେ ଖଣ୍ଡିଏ ଚଟେଇ ବୁଣିବ । ଚଟେଇଖଣ୍ଡି ୨ ଫୁଟ ୭ ଇଞ୍ଚ ଲମ୍ୱା ଓ ୧ ଫୁଟ ୧୦ ଇଞ୍ଚ ଚଉଡ଼ାର ହେଲେ ଉପରେ ବର୍ଣ୍ଣିତ ମାପର ଫରମା ନିମନ୍ତେ ଉପଯୁକ୍ତ ହେବ । ଫରମାକୁ ଏହି ମାପରୁ ଛୋଟ ବା ବଡ଼ କଲେ ତଦନୁପାତରେ ଚଟେଇ ଖଣ୍ଡିକ କିଞ୍ଚିତ୍‌ ଛୋଟ ଓ ବଡ଼ କରିବାକୁ ହେବ ।

Image

(୧୫ ନମ୍ବର ଚିତ୍ର)

(୧୬ ନମ୍ବର ଚିତ୍ର)

ଚଟେଇ ଖଣ୍ଡିକ ସରୁ ବାଉଁଶ ପାତିଆ ବା ନାଳିଆ ପାତିଆ କିମ୍ୱା ଖରି ପାତିଆ ଅଥବା ଆଖୁଶରର ପାତିଆଦ୍ୱାରା ଟୁଇଲ୍‌ ବା ଡାଇମଣ୍ଡ ପ୍ରଣାଳୀରେ ବୁଣିଲେ ସୁନ୍ଦର ହେବ । ଚିତ୍ରରେ ଟୁଇଲ୍‌ ବୁଣା ହୋଇଅଛି । ଆଉ ଖଣ୍ଡିଏ ସାଧାରଣ ବାଉଁଶ ପାତିଆ ଦ୍ୱାରା ସେହି ଲମ୍ୱା ଓ ସେହି ଚଉଡ଼ାର ଚଟେଇ ସରଳ ବୁଣା ପ୍ରଣାଳୀରେ ବୁଣି ତାହାକୁ ତଳକୁ ରଖି ସରୁ ବୁଣା ଚଟେଇ ଖଣ୍ଡିକ ତହିଁ ଉପରେ ଦେଇ ଚଟେଇ ଦୁଇଖଣ୍ଡିର ଚାରି ଦାଢ଼ ମିଶାଇ ଦେବ ଏବଂ ଦାଢ଼ରେ ତଳୁ ଖଣ୍ଡିଏ ଓ ଉପରୁ ଖଣ୍ଡିଏ ଏରୂପ ଦୁଇଖଣ୍ଡି ଲେଖାଏଁ ବତା ଖଞ୍ଜି ତହିଁ ଉପରେ ଗଜା ବାଉଁଶରୁ ଚିରା ହୋଇଥିବା ସରୁ ପାତିଆ ଗୁଡ଼ାଇ ଦେବ । ଅଥବା ସରୁ ବେତ ପାତିଆ କିମ୍ୱା ନାଳିଆ ପାତିଆ କିମ୍ୱା ଆଖୁଶର ପାତିଆ ବା ଖରି ପାତିଆରେ ବୁଣି ଦେବ । ଏହି ଡାଲାଟିକୁ ଟିପାଇ (Teapoy)ର ଫରମା ଉପରେ ବସାଇ ଚାରି କୋଣରେ ଓ ଅନ୍ୟାନ୍ୟ କେତେକ ସ୍ଥାନରେ ଗୋଟିକେତେ ଗଣ୍ଠି ଦେଇ ଶକ୍ତ କରି ବାନ୍ଧି ଦେବ । ତାହା ହେଲେ ୧୬ ନମ୍ୱର ଚିତ୍ର ପରି ଗୋଟିଏ ପୂର୍ଣ୍ଣ ଟିପାଇ ହେବ ।

•••

 

ବାଉଁଶ ପଙ୍ଖା

 

ବାଉଁଶର ସରୁ ସରୁ ପାତିଆ ପ୍ରସ୍ତୁତ କରି ତଦ୍ଦ୍ୱାରା ନାନାପ୍ରକାର ବିଞ୍ଚଣା, ପଙ୍ଖା, ଡାଲା, ପାଛିଆ, ବାକ୍‌ସ, ପେଡ଼ି ଓ ସୁଟ୍‌କେସ୍‌ ଆଦି ପ୍ରସ୍ତୁତ କରାଯାଇ ପାରେ । ତାଳପତ୍ରରେ ଯେତେ ପ୍ରକାର ଚଟେଇ ବୁଣିବାର ପ୍ରଣାଳୀ ପ୍ରଥମ ଖଣ୍ଡରେ ବର୍ଣ୍ଣିତ ଅଛି, ଏହି ବାଉଁଶ ପାତିଆରେ ସେହି ସବୁ ପ୍ରଣାଳୀରେ ପଦାର୍ଥମାନ ବୁଣାଯାଇ ପାରିବ ।

 

ବାଉଁଶ ପାତିଆରେ ଭିନ୍ନ ଭିନ୍ନ ପ୍ରଣାଳୀରେ ଗୋଟିଏ ଗୋଟିଏ ପଦାର୍ଥର ଭିନ୍ନ ଭିନ୍ନ ଅଂଶ ବୁଣି ଯାହାକୁ ଯେଉଁଠାରେ ଖଞ୍ଜିଲେ ସୁନ୍ଦର ହେବ, ତାହାକୁ ସେଠାରେ ଖଞ୍ଜି ନାନାପ୍ରକାରର ପଦାର୍ଥ କରାଯାଇ ପାରେ ଏବଂ ତାହା ବିଶେଷ ମନୋରମ ଓ ଆଦରଣୀୟ ହେବ ।

Image

(୧୭ ନମ୍ବର ଚିତ୍ର)

ସାଧାରଣତଃ ଗଡ଼ଜାତ ମାନଙ୍କରେ ବାଉଁଶ ପାତିଆରେ ନାନା ପ୍ରଣାଳୀରେ ବୁଣି ଗୋଲ ଗୋଲ ବିଞ୍ଚଣାମାନ କରନ୍ତି । ୧୭ ନମ୍ୱର ଚିତ୍ରରେ ସେହିରୂପ ଗୋଟିଏ ବିଞ୍ଚଣାର ଉଦାହରଣ ଦେଖାଇ ଦିଆଗଲା । ଏହିପରି ନାନା ପ୍ରକାର ପ୍ରଣାଳୀରେ ବୁଣି ସେମାନେ ବିଞ୍ଚଣା କରନ୍ତି । ମଧ୍ୟ ସରଳ ବୁଣା ପ୍ରଣାଳୀରେ ବୁଣି ଦୁଇପରସ୍ତ ରଖି ତହିଁ ମଧ୍ୟରେ ବେଣାଚେର ଦେଇ ତହିଁର ଚାରିପାଖରେ ବାଉଁଶର କାଠି ଖଞ୍ଜି ତହିଁ ଉପରେ ଗଜା ବାଉଁଶର ସରୁ ପାତିଆ ଗୁଡ଼ାଇ ବେଣ୍ଟ ଏବଂ ନଳ ଲଗାଇ ଦେଇ ଥାଆନ୍ତି ।

•••

 

ପାନପତ୍ର ପଙ୍ଖା

 

ବାଉଁଶ ପାତିଆରେ ଆଉ ଏକ ପ୍ରକାର ହାତପଙ୍ଖା ପ୍ରସ୍ତୁତ କରିବାର ପ୍ରଣାଳୀ ଏଠାରେ ବର୍ଣ୍ଣିତ ହେଲା । ଏହା ଆକାରରେ ଗୋଟିଏ ପାନପତ୍ର ପରି । ଭିନ୍ନ ଭିନ୍ନ ରଙ୍ଗରେ ପାତିଆ ଗୁଡ଼ିଏ ରଙ୍ଗାଇ ଏହି ପଙ୍ଖା ବୁଣିଲେ ଅତି ସୁନ୍ଦର ହୁଏ । ପ୍ରଥମେ ସରୁ ସରୁ ପାତିଆ ଗୁଡ଼ିଏ ଏକା ମାପରେ ଚିରି ତାହାକୁ ଓଳାଇ ପରିଷ୍କାର କରି ରଖିବ । ପଙ୍ଖାଟିର ଆକାରକୁ ଅନୁମାନ କରି ପାତିଆର ପରିମାଣ ସ୍ଥିର କରିବ । ଗୋଟିଏ ସାଧାରଣ ପଙ୍ଖାରେ ପ୍ରାୟ ୬୫ ରୁ ୧୧୧ଟି ପର୍ଯ୍ୟନ୍ତ ପାତିଆ ଲାଗିଥାଏ । ତହିଁରୁ ସାନ ବା ତହିଁରୁ ବଡ଼ ପଙ୍ଖା କରିବାକୁ ହେଲେ ସେହି ଅନୁପାତରେ ପାତିଆର ପରିମାଣ କମ୍‌ ବା ବେଶୀ ଲାଗିବ । ଯେତେ ପାତିଆ ନେବ, ତହିଁର ସଂଖ୍ୟା ବିଯୋଡ଼ ହେବ । ପାତିଆ ଗୁଡ଼ିକୁ ଦୁଇ ତିନି ପ୍ରକାର ରଙ୍ଗରେ ରଙ୍ଗାଇ ନେଲେ ପଙ୍ଖାଟି ଆହୁରି ସୁନ୍ଦର ଦେଖାଯିବ । ଯେତେ ପ୍ରକାର ରଙ୍ଗ ବ୍ୟବହାର କରିବ, ପାତିଆଗୁଡ଼ିକୁ ତେତେ ଭାଗରେ ଭାଗ କରି ପ୍ରତି ଭାଗକୁ ଗୋଟିଏ ଗୋଟିଏ ରଙ୍ଗରେ ରଙ୍ଗାଇ ନେବ । ତା ପରେ ବୁଣିବାକୁ ଆରମ୍ଭ କରିବ ।

Image

(୧୮ ନମ୍ବର ଚିତ୍ର)

ପ୍ରଥମେ ଖଣ୍ଡିଏ ବାଉଁଶକାଠି ନେଇ ତାହାକୁ ମଝିରୁ ମୋଡ଼ି ଦୁଇ ଭାଗ କରି ଭାଙ୍ଗିବ ଯେପରି ତାହା ଲାଗି ରହିଥିବ । ୧୮ନମ୍ୱର ଚିତ୍ରପରି ସେହି କାଠିକୁ ଗୋଟିଏ ପାଦର ୨ଟି ଆଙ୍ଗୁଳି ମଧ୍ୟରେ ଚିପି ଧରିବ । ତାହା ଉପରକୁ ଦୁଇଖଣ୍ଡି କାଠି ପରି ଦେଖାଯିବ । ସେହି ଦୁଇଖଣ୍ଡି କାଠି ମଧ୍ୟରେ ଯେପରି ଚିତ୍ରରେ ସଜା ହୋଇଅଛି, ସେହିପରି ପାତିଆଗୁଡ଼ିକ ଗୋଟି ଗୋଟି କରି ଛକ ପକାଇ ଖଞ୍ଜି ବସାଇଦେବ । ଥରକେ ଗୋଟିଏ ଲେଖାଏଁ ପାତିଆ ଖଞ୍ଜିବ । ଗୋଡ଼ ପାଖକୁ ପ୍ରାୟ ୬ ଇଞ୍ଚ ଲମ୍ୱା ରଖି ଅବଶିଷ୍ଟ ଅଧିକ ଲମ୍ୱା ଅଂଶ ଅନ୍ୟ ପାଖକୁ ରଖିବ । ଯେତେବେଳେ ଯେଉଁ ରଙ୍ଗର ପାତିଆ ଖଞ୍ଜିବ ଦୁଇ ପାଖରେ ସେହି ରଙ୍ଗର ପାତିଆ ଗୋଟିଏ ଗୋଟିଏ ଖଞ୍ଜୁଥିବ । ପାତିଆର ସଂଖ୍ୟା ଦୁଇ ପାଖରେ ସମାନ ରଖିଥିବ । କେବଳ ଯେଉଁ ରଙ୍ଗର ଥାକଟି ମଝିରେ ରଖିବ, ସେହି ଥାକରେ ଗୋଟିଏ ପାତିଆ ଅଧିକ ରଖିବ ।

Image

(୧୯ ନମ୍ବର ଚିତ୍ର)

ତା ପରେ ତାକୁ ଗୋଡ଼ର ଆଙ୍ଗୁଳିରୁ କାଢ଼ିନେଇ କାଠିଖଣ୍ଡିକ ବାହାର କରିଦେବ । ସେହି କାଠି ସ୍ଥାନରେ ଆଉ ଗୋଟିଏ ସରୁ ଓ ଲମ୍ୱା ବାଉଁଶକାଠି ବା ଖଡ଼ିକା ଖଞ୍ଜି ତାହାକୁ ମୋଡ଼ି ଆଣି ଗୋଲ କରି ଦୁଇ ସନ୍ଧିରେ ୧୯ ନମ୍ୱର ଚିତ୍ରରେ ଯେପରି ଅଛି ସେହିପରି ରଖିବ ଏବଂ ଚିତ୍ରପରି ପାତିଆଗୁଡ଼ିକର ଛୋଟ ପାଖ ଦୁଇ କେରାକୁ ଏକାଠି କରି ତାହାକୁ ଖଣ୍ଡିଏ ସୂତୁଲିରେ ଭିଡ଼ି ବାନ୍ଧି ଦେବ । ସେହି ଅଂଶଟି ପଙ୍ଖାର ମୁଠା ବା ହତା ହେବ ।

 

୧୯ ନମ୍ୱର ଚିତ୍ରରେ ଯେଉଁ ପରି ଧରାଯାଇଅଛି, ସେହିପରି ତାହାକୁ ଧରିବ । ଏଥର ଦେଖିବ, ସେହି ସରୁକାଠି ବା ଖଡ଼ିକାର ଦୁଇ ପାଖରେ ଦୁଇ ପରସ୍ତ ପାତିଆ ରହିଯିବ । ଏକପରସ୍ତ ପାତିଆ ଖଡ଼ିକାର ଉପରେ ରହିବ ଏବଂ ଏକପରସ୍ତ ପାତିଆ ଖଡ଼ିକାର ତଳେ ରହିବ ।

Image

(୨୦ ନମ୍ବର ଚିତ୍ର)

ଯେଉଁ ପାତିଆଗୁଡ଼ିକ ତଳକୁ ଥିବ, ତହିଁରୁ ଗୋଟି ଗୋଟି କରି ପାତିଆ ଉପରକୁ ଉଠାଇନେବ ଏବଂ ଯେଉଁ ପାତିଆଗୁଡ଼ିକ ଉପରକୁ ଥିବ, ତହିଁରୁ ଗୋଟି ଗୋଟି କରି ପାତିଆ ତଳକୁ ନେଇ ସଜାଡ଼ି ବସାଇ ଦେବ । ଏହି ବ୍ୟବଧାନରେ ଆଉ ଗୋଟିଏ ଖଡ଼ିକା ଖଞ୍ଜି ତାହାକୁ ବୁଲାଇ ଆଣି ତହିଁର ଦୁଇ ମୁଣ୍ଡକୁ ପୂର୍ବ ଖଡ଼ିକାଟି ସଙ୍ଗେ ମୂଳରେ ଦୁଇପାଖକୁ ପୂରାଇ ଦେଇ ଭିଡ଼ିଦେବ । ପାତିଆଗୁଡ଼ିକ ସଜାଡ଼ି ସବୁଆଡ଼େ ବସାଇଦେବ । ତା ପରେ ଆଉ ଥରେ ଉପରର ପାତିଆଗୁଡ଼ିକ ତଳକୁ ଓ ତଳର ପାତିଆ ଗୁଡ଼ିକ ଉପରକୁ ଦେଇ ଏହି ବ୍ୟବଧାନରେ ଆଉ ଗୋଟିଏ ଖଡ଼ିକା ଅର୍ଥାତ୍‌ ତୃତୀୟ ଖଡ଼ିକାଟି ଖଞ୍ଜିବ । ପୁଣି ପାତିଆଗୁଡ଼ିକ ସବୁଆଡ଼େ ସଜାଇ ବସାଇ ଦେବ । ତା ପରେ ୨୦ ନମ୍ୱର ଚିତ୍ର ପରି ଖଣ୍ଡିଏ ବତା ତାଞ୍ଛି ତହିଁର ଅଗକୁ ଠିକ୍‌ ମଝି ପାତିଆଟି ସଙ୍ଗେ ମିଶାଇ ଧରି ଅନ୍ୟ ମୁଣ୍ଡକୁ ମୁଠାସଙ୍ଗେ ବାନ୍ଧିଦେବ । ଏହି ବତାଖଣ୍ଡିକୁ ଏଣିକି ମଝି ପାତିଆ ସଙ୍ଗେ ମିଶାଇ ବୁଣିବାକୁ ହେବ । ତାହାହେଲେ ପଙ୍ଖାଟି ଶକ୍ତ ହେବ ।

 

ତା ପରେ ବାମପାଖର ଶେଷ ପାତିଆଟି ମୋଡ଼ି ଆଣି ତାହାକୁ ତହିଁ ପାଖର ପାତିଆଗୁଡ଼ିକରେ ଦୁଇଟି ପାତିଆ ତଳକୁ ଓ ଦୁଇଟି ପାତିଆ ଉପରକୁ ଦେଇ ବୁଣିବ । ସେହିପରି ଡାହାଣ ପାଖର ଶେଷ ପାତିଆଟି ମୋଡ଼ି ଆଣି ତାହାକୁ ତହିଁ ପାଖର ପାତିଆଗୁଡ଼ିକରୁ ଦୁଇଟି ତଳକୁ ଓ ଦୁଇଟି ଉପରକୁ ଦେଇ ବୁଣି ଆଣିଲେ ସେମାନେ ଦୁହେଁ ଠିକ୍‌ ମଝିରେ ମିଶିଯିବେ । ସେହିଠାରେ ମିଶାଇ ଦେଇ ବଳକା ଅଂଶକୁ ଦୁଇ ପାଖରୁ କାଟିଦେବ । ତା ପରେ ଦୁଇପାଖରୁ ଆଉ ଦୁଇଟି ପାତିଆ ଠିକ୍‌ ସେହିପରି ବୁଣିନେଇ ସେ ଦୁଇଟିକୁ ମଧ୍ୟ ପୂର୍ବପରି ମଝିରେ ପୁନଶ୍ଚ ମିଳାଇ ଦେବ । ଏହିପରି ଦୁଇପାଖରୁ ଦୁଇଟି ଲେଖାଏଁ ପାତିଆ ମୋଡ଼ିନେଇ ଟୁଇଲ୍‌ ପ୍ରଣାଳୀରେ ପଙ୍ଖାର ଆକାର ଅନୁସାରେ ୫।୬ ଧାଡ଼ିରୁ ୮।୧୦ ଧାଡ଼ି ପର୍ଯ୍ୟନ୍ତ ବୁଣିଯିବ । ତା ପରେ ଅବଶିଷ୍ଟ ପାତିଆଗୁଡ଼ିକୁ ପ୍ରତି ଥର ଦୁଇ ପାଖରୁ ଦୁଇଟି ଲେଖାଏଁ ପାତିଆ ନେଇ ସରଳ ବୁଣା ପ୍ରଣାଳୀରେ ଅର୍ଥାତ୍‌ ଗୋଟିଏ ଛଡ଼ା ଗୋଟିଏ ଲେଖାଏଁ ପାତିଆ ଭାଗ କରି ଧାଡ଼ିଏ ଲେଖାଏଁ ବୁଣି ଶେଷ କରିବ-

 

ବୁଣିବା ସମୟରେ ବରାବର ଦୃଷ୍ଟି ରଖିବାକୁ ହେବ, ଯେପରି ପଙ୍ଖାଟିର ଆକାର ଗୋଟିଏ ସୁନ୍ଦର ପାନପତ୍ରର ଆକାର ଧାରଣ କରିବ ।

Image

(୨୧ ନମ୍ବର ଚିତ୍ର)

(୨୨ ନମ୍ବର ଚିତ୍ର)

ଶେଷକୁ ୨୨ ନମ୍ୱର ଚିତ୍ର ଅନୁକରଣରେ ମୁଠାରେ ବେତ ବା କୋରଟ ପାତିଆ କିମ୍ୱା ନାଳିଆ ପାତିଆ ଗୁଡ଼ାଇ ମୁଠା ବାନ୍ଧି ଶେଷ କରିବ ।

•••

 

ପାଛିଆ

 

ଆମ ଦେଶରେ ପ୍ରାୟ ସବୁ ସ୍ଥାନରେ ହାଡ଼ି, ପାଣ ବା ଡମମାନେ ସାଧାରଣତଃ ବାଉଁଶ ପାତିଆର ଡାଲା, କୁଲା, ବାଉଁଶିଆ ଓ ଭୋଗେଇ ପ୍ରଭୃତି ନାନାପ୍ରକାର ପାଛିଆ ବୁଣନ୍ତି । ସେସବୁ ବୁଣିବାର ପ୍ରଣାଳୀ ପ୍ରାୟ ସମସ୍ତେ ଦେଖିଛନ୍ତି । ପୂର୍ବେ ତାଳପତ୍ରର ଚଟେଇ ବୁଣିବାରେ ଯେଉଁସବୁ ପ୍ରଣାଳୀ ବର୍ଣ୍ଣିତ ହୋଇଅଛି, ସେହି ସମସ୍ତ ପ୍ରଣାଳୀ ଏହି ବାଉଁଶ ପାତିଆ ବୁଣିବାରେ ପ୍ରୟୋଗ ହୋଇ ପାରେ ।

Image

ପୁଣି ବାଉଁଶର ସରୁ ସରୁ କାଠି କରି ତହିଁରେ ମଧ୍ୟ ନାନାପ୍ରକାର ପାଛିଆ ବୁଣନ୍ତି । ଏହି ପୁସ୍ତକର ପ୍ରଥମ ଖଣ୍ଡରେ କେତେକ ପ୍ରକାର ବୁଣିବାର ପ୍ରଣାଳୀ ବର୍ଣ୍ଣିତ ହୋଇଅଛି । ଗୋଟିଏ ବାହିରେ ଓ ଦୁଇଟି ବାହିରେ ଏକଶାଖା, ଦୁଇଶାଖା, ତିନିଶାଖା ଓ ଚାରିଶାଖା ବୁଣିବାର ଓ ଟୁଇଲ ବୁଣିବାର ପ୍ରଣାଳୀମାନ ପୂର୍ବେ ଦେଖାଇ ଦିଆଯାଇଅଛି । ବାଉଁଶର ସରୁ ସରୁ କାଠି କରି ତଦ୍ଦ୍ୱାରା ସେହି ସବୁ ପ୍ରଣାଳୀରେ ନାନା ପଦାର୍ଥ ସହଜରେ ବୁଣାଯାଇ ପାରିବ ।

Image

(୨୩ ନମ୍ବର ଚିତ୍ର)

ଗ୍ରାମମାନଙ୍କରେ ହାଡ଼ି, ପାଣ ଓ ଡମମାନେ ସାଧାରଣତଃ ଯେଉଁ ସବୁ ଡାଲା ଓ ପାଛିଆ ଆଦି ବୁଣନ୍ତି ନାହିଁ, ସେହିପରି କେତେଗୋଟି ପାଛିଆର ନମୁନା ଏଠାରେ ଚିତ୍ରରେ ଦିଆଗଲା । ପୁସ୍ତକର ପ୍ରଥମଖଣ୍ଡରେ ମଧ୍ୟ କେତେଗୁଡ଼ିଏ ଚିତ୍ର ଦିଆଯାଇଛି । ସେହି ସବୁ ଅନୁକରଣରେ ଅଳିଆ ଟୋକେଇ ଓ ନାନାପ୍ରକାର ପାଛିଆ ଭିନ୍ନ ଭିନ୍ନ ପ୍ରଣାଳୀରେ ବୁଣାଯାଇ ପାରିବ ।

 

ଆଧୁନିକ ଲୋକରୁଚି ଅନୁସାରେ ଓ ବ୍ୟବହାରର ଉପଯୋଗିତାକୁ ଲକ୍ଷ୍ୟ କରି ଭିନ୍ନ ଭିନ୍ନ ପ୍ରକାରର ପଦାର୍ଥ ସବୁ ବୁଣିଲେ ସର୍ବତ୍ର ଆଦୃତ ହେବ ।

•••

 

ତନ୍ତର ପାନିଆ

 

ତନ୍ତର ଗୋଟିଏ ପ୍ରଧାନ ଅଙ୍ଗ ପାନିଆ । ପାନିଆ ବହୁପରିମାଣରେ ଆବଶ୍ୟକ ହୁଏ । ଓଡ଼ିଶାର ବାହାରେ ମଧ୍ୟ ଅନେକ ସ୍ଥଳରେ ସମୟ ସମୟରେ ଓଡ଼ିଶାରୁ ପାନିଆ ଯାଇ ବିକ୍ରୟ ହୁଏ-। ଅଧିକ ପରିମାଣରେ ପାନିଆ ପ୍ରସ୍ତୁତ କରାଯାଇ ବିଦେଶକୁ ଚାଲାଣ କରାଗଲେ ବିଦେଶରୁ କେତେକ ଧନ ଓଡ଼ିଶାକୁ ଆସି ପାରନ୍ତା ଏବଂ କେତେଗୁଡ଼ିଏ ଲୋକ ଲାଭବାନ୍‌ ହୁଅନ୍ତେ । ଯେଉଁ ପରିମାଣରେ ପାନିଆ ଆବଶ୍ୟକ, ସେ ପରିମାଣରେ ପାନିଆ ପ୍ରସ୍ତୁତ ହେଉ ନାହିଁ । ଜଗତ୍‌ସିଂହପୁରର ଅତି ଅଳ୍ପସଂଖ୍ୟକ ଲୋକ ଏହି ପାନିଆ ପ୍ରସ୍ତୁତ କରନ୍ତି । ସେମାନେ ମଧ୍ୟ ବିଦେଶକୁ ପଠାଇବା ଭଳି ଅଧିକ ପରିମାଣରେ ତିଆରି କରି ଜମା ରଖି ପାରନ୍ତି ନାହିଁ । ତେଣୁ ସେମାନଙ୍କର ମାଲ ବିଦେଶକୁ ପଠାଇବା ଭଳି ଜମା ହୋଇ ପାରେ ନାହିଁ କିମ୍ୱା ପଠାଇବାର ସୁବିଧା ହୁଏ ନାହିଁ ।

 

ପାନିଆ ପ୍ରସ୍ତୁତ କରିବାପାଇଁ ଯେଉଁ କାଠିଗୁଡ଼ିକ ବ୍ୟବହୃତ ହୁଏ, ତାହାକୁ କାଡ଼ି କହନ୍ତି । କାଡ଼ିକୁ କେହି କେହି ଦାନ୍ତ କହନ୍ତି । ଏହି କାଡ଼ିଗୁଡ଼ିକ ସାଧାରଣତଃ କାଣ୍ଡଶରରେ ଓ ଫୁଲଶରରେ ପ୍ରସ୍ତୁତ ହୋଇଥାଏ । କାଣ୍ଡଶର ଓ ଫୁଲଶର ଉଭୟ ଓଡ଼ିଶାରେ ମିଳେ । ବାଉଁଶରୁ ମଧ୍ୟ କେତେକ କାଡ଼ି ପ୍ରସ୍ତୁତ କରାଯାଇ ପାରେ । ମାତ୍ର ଶରର କାଡ଼ି ଏଥିନିମନ୍ତେ ଅଧିକ ଉପଯୋଗୀ । ଏହି କାଡ଼ିଗୁଡ଼ିକ ସମାନ ସମାନ କରି ଏବଂ ସରୁ ସରୁ କରି ତାଞ୍ଛି ତହିଁରେ ପାନିଆ ବାନ୍ଧିବାକୁ ହୁଏ । ଯେତେ ଲମ୍ୱାର ପାନିଆ ବାନ୍ଧିବାକୁ ଇଚ୍ଛା କରିବ, ସେହି ଅନୁସାରେ ଦୁଇଖଣ୍ଡି ବତା ଉତ୍ତମରୂପେ ତାଞ୍ଛି ପ୍ରସ୍ତୁତ କରିବ । ବତା ଦୁଇଟିକୁ ଏକପ୍ରାନ୍ତରୁ ସମାନଭାଗରେ ଚିରିବ, ଯେପରି ଅନ୍ୟ ପ୍ରାନ୍ତରେ ଦୁଇଖଣ୍ଡ ନ ହୋଇ ଲାଗି ରହିଥିବ । ୨୪ ନମ୍ୱର ଚିତ୍ରରେ ସେହିପରି ଚିରା ଖଣ୍ଡିଏ ବତା ଦେଖାଇ ଦିଆଯାଇଅଛି ।

Image

(୨୪ ନମ୍ବର ଚିତ୍ର)

ଖଣ୍ଡିଏ ଲମ୍ୱ ବାଉଁଶର ଦୁଇ ମୁଣ୍ଡରେ ଦୁଇଗୋଟି କାଠର ଫଳି ଲଗାଇ ଗୋଟିଏ ଫରମା ପ୍ରସ୍ତୁତ କରିବ । ପ୍ରଥମେ ଯେଉଁ ବତା ଦୁଇଖଣ୍ଡି ତଞ୍ଛା ହୋଇ ଚିରା ହୋଇଥିଲା, ସେହି ଦୁଇଟି ପାନିଆର ଦୁଇପାଖର ଦୁଇଟି ଆଡ଼ି ହେବ । ସେହି ବତା ଦୁଇ ଖଣ୍ଡିର ଦୁଇ ମୁଣ୍ଡରେ ଯେପରି ୨୪ ନମ୍ୱର ଚିତ୍ରରେ ଦେଖାଇ ଦିଆ ଯାଇଅଛି, ସେହିପରି ଆଉ ଦୁଇ ଖଣ୍ଡି ଛୋଟ ଛୋଟ କାଠି ଲଗାଇ ବାନ୍ଧିଦେବ । ପୁଣି ସେହି ଛୋଟ କାଠି ଦୁଇ ଖଣ୍ଡିରେ ଖଣ୍ଡିଏ ଖଣ୍ଡିଏ ଡୋର ଲଗାଇ ୨ ନମ୍ୱର ଚିତ୍ରରେ ଯେପରି ତାହାକୁ ଫରମାର ଦୁଇ ଫଳିର ଅଗରେ ବାନ୍ଧି ଝୁଲାଇ ଦିଆଯାଇଅଛି; ସେହିପରି ବାନ୍ଧି ଝୁଲାଇ ଦେବ । ପାନିଆଗୁଡ଼ିକ ସାଧାରଣତଃ ୩.୫ ଇଞ୍ଚ ଚଉଡ଼ାର କରାଯାଇ ଥାଏ । ପାନିଆଟି ଯେତେ ଚଉଡ଼ାର କରିବ, ସେହି ମାପରେ ଆଉ ଖଣ୍ଡିଏ ବାଉଁଶ କାଠିର ଦୁଇ ମୁଣ୍ଡରେ ଖାପ କରି ତାହାକୁ ପାନିଆର ସେହି ବତା ଦୁଇଟି ମଧ୍ୟରେ ଲଗାଇ ରଖିବ । ତାହାହେଲେ ପାନିଆ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସେହି ମାପରେ ସମାନ ଚଉଡ଼ାରେ ପ୍ରସ୍ତୁତ ହୋଇ ପାରିବ ।

 

ଦୁଇଗୋଟି ଶକ୍ତ ଡୋର ପ୍ରସ୍ତୁତ କରି ତାହାକୁ ପାନିଆର ସେହି ଦୁଇ ଆଡ଼ି ବତାରେ ଲଗାଇଦେବ । ଏହି ଡୋରକୁ ବାନ୍ଧୁଣି କହନ୍ତି । ବାନ୍ଧୁଣି ଦୁଇଟି ସମ୍ପୂର୍ଣ୍ଣରୂପେ ସମାନ ମୋଟା ହେବା ଆବଶ୍ୟକ । ପ୍ରଥମେ କାଡ଼ି ନ ଖଞ୍ଜି ଖଣ୍ଡିଏ ଅଳ୍ପ ଚଉଡ଼ା ପାତିଆ ମୂଳରେ ଖଞ୍ଜି ବାନ୍ଧିବ । ତା ପରେ ଗୋଟି ଗୋଟି କରି କାଡ଼ି ଖଞ୍ଜି ବାନ୍ଧିବାକୁ ପଡ଼ିବ । ପାନିଆର ପ୍ରତି ଇଞ୍ଚରେ ସମାନ ସଂଖ୍ୟାର କାଡ଼ି ରଖୁଥିବ ଏବଂ ପ୍ରତି କାଡ଼ିକୁ ସମାନ ଅନ୍ତରରେ ବସାଉଥିବ । ଗୋଟିଏ ଗୋଟିଏ କାଡ଼ି ଖଞ୍ଜି ସେହି ଡୋରଦ୍ୱାରା ଫାଶ ଦେଇ ବାନ୍ଧି ଯାଉଥିବ । ପ୍ରତିଥର ସମାନସଂଖ୍ୟାରେ ଫାଶ ଦୁଇପାଖରେ ବସାଇ ଗଲେ ପାନିଆର ଘର ଆପେ ସମାନ ହୋଇ ରହୁଥିବ । ଯେତେ କାଡ଼ି ବାନ୍ଧି ଯାଉଥିବ, ମାପକାଠି ଖଣ୍ଡିକ ତେତେ ଆଗକୁ ଚଳାଇ ଦେଉଥିବ । ଦରକାର ଅନୁସାରେ ଲମ୍ୱା ପର୍ଯ୍ୟନ୍ତ କାଡ଼ି ବନ୍ଧା ହୋଇଗଲେ ଶେଷରେ ଠିକ୍‌ ମୂଳର ପାତିଆ ଖଣ୍ଡିକ ସମାନରେ ଆଉ ଖଣ୍ଡିଏ ପାତିଆ ଖଞ୍ଜି ତାହାକୁ ବାନ୍ଧି ପାନିଆଟି ଶେଷ କରିଦେବ ।

Image

(୨୫ ନମ୍ବର ଚିତ୍ର)

ମୋଟ ସୂତା ବୁଣିବା ନିମନ୍ତେ ଯେଉଁ ପାନିଆ ବ୍ୟବହୃତ ହୁଏ, ତାହାକୁ ପାତଳ ପାନିଆ କହନ୍ତି ଏବଂ ସରୁ ସୂତା ବୁଣିବା ନିମନ୍ତେ ଯେଉଁ ପାନିଆ ବ୍ୟବହୃତ ହୁଏ, ତାହାକୁ ଘନ ପାନିଆ କହନ୍ତି । ପାତଳ ପାନିଆ ବାନ୍ଧିବା ନିମନ୍ତେ ମୋଟା ବାନ୍ଧୁଣି ଏବଂ ଘନ ପାନିଆ ବାନ୍ଧିବା ନିମନ୍ତେ ସରୁ ବାନ୍ଧୁଣି ବ୍ୟବହାର କରିବ । ପାନିଆ ଯେତେ ପାତଳ କରିବାକୁ ଇଚ୍ଛା କରିବ, ବାନ୍ଧୁଣି ସେହି ଅନୁପାତରେ ମୋଟ ସୂତାରେ ଅଧିକ ଖିଅ ଦେଇ ବଳିବ । ପାନିଆ ଯେତେ ଘନ କରିବାକୁ ଇଚ୍ଛା କରିବ ବାନ୍ଧୁଣି ସେହି ଅନୁପାତରେ ସରୁ ସୂତାରେ ବଳି ପ୍ରସ୍ତୁତ କରିବ । ୨୫ ନମ୍ୱର ଚିତ୍ରରେ ଗୋଟିଏ ପାନିଆ ଦିଆଗଲା ।

•••

 

ସୂତାକଟା

 

ଏକ ସମୟରେ ସୂତାକଟା ଓଡ଼ିଶାର ଗୋଟିଏ ପ୍ରଧାନ ଗୃହଶିଳ୍ପ ଥିଲା । ଓଡ଼ିଆ ତନ୍ତୀଙ୍କର ତନ୍ତବୁଣା ଲୁଗା ସେ ସମୟରେ ଜଗତରେ ଖ୍ୟାତିଲାଭ କରିଥିଲା । ଏହା କାହାରି କପୋଳକଳ୍ପନା ନୁହେଁ । ଏହା ଐତିହାସିକ ସତ୍ୟ । ସେ ସମୟରେ ଭାତ ଓ ଲୁଗାପାଇଁ ଓଡ଼ିଶା କାହାରିକୁ ଅପେକ୍ଷା କରୁ ନ ଥିଲା । ଓଡ଼ିଶାକୁ ଅନ୍ୟ ଦେଶମାନେ ଚାହିଁ ରହୁଥିଲେ । ଓଡ଼ିଶାରେ ଘରେ ଘରେ ଅରଟ ଚାଲୁଥିଲା । କପାଖାଇର କେଁ କେଁ ଶବ୍ଦରେ ଗାଆଁଦାଣ୍ଡ ଉଛୁଳି ପଡ଼ୁଥିଲା । ‘‘କୁଟି ଖାଇବା ଓ କାଟି ପିନ୍ଧିବା’’ ଓଡ଼ିଶାର ସେ ସମୟର ସମସ୍ତ ଘରକରଣା ବଂଶର ପ୍ରଧାନ ନୀତି ଥିଲା । ଯାହାର ଏତିକ ସଂସ୍ଥାନ ନ ଥିଲା, ସେ ସମାଜରେ ଖାନ୍ଦାନ୍‌ ଶ୍ରେଣୀରେ ଗଣ୍ୟ ହେଉ ନ ଥିଲା । ସମସ୍ତେ ଯେ ଯାହାର ପରିବାରଙ୍କ ପାଇଁ ବର୍ଷକର ଲୁଗାପଟା ନିମନ୍ତେ ସୂତା ଯୋଗାଇବା ଭଳି କପାଚାଷ କରୁଥିଲେ । ଯେଝା ଘରେ ସ୍ତ୍ରୀଲୋକମାନେ ଉକ୍ତ କପାକୁ ଅରଟରେ ସୂତା କାଟି ରଖି ଦେଉଥିଲେ । ଗ୍ରାମର ତନ୍ତୀମାନେ ସେହି ସୂତା ନେଇ ‘ବାଣ’ ବା ମୂଲରେ ଲୁଗା, ଗାମୁଛା, ପାଛୁଡ଼ା ଓ ମାଠମାନ ବୁଣି ଦେଉଥିଲେ । ପ୍ରତି ଏକହାତ ଲୁଗା ବୁଣିଦେବାପାଇଁ ତନ୍ତୀ ଯାହା ମଜୁରି ପାଉଥିଲା, ତାହାକୁ ‘‘ବାଣ’’ କୁହାଯାଉଥିଲା ।

 

ବିବାହ ଆଦି ଶୁଭକାର୍ଯ୍ୟରେ ଏବଂ କେତେକ ଔଷଧ ବ୍ୟବହାର ନିମନ୍ତେ ଆଜି ପର୍ଯ୍ୟନ୍ତ ବାଡ଼ୁଅ ସୂତା ଅର୍ଥାତ୍‌ ଅବିବାହିତା କନ୍ୟାମାନଙ୍କଦ୍ୱାରା କଟା ହୋଇଥିବା ସୂତାର ବ୍ୟବହାର ଚଳି ଆସୁଅଛି । ଏଥିରୁ ସାଫ୍‌ ଜଣାପଡ଼ୁଛି ଯେ, ସୂତାକଟା ଅଭ୍ୟାସ କରିବା ପରିବାରର ଅବିବାହିତା ବାଳିକାମାନଙ୍କ ପକ୍ଷରେ ବାଧ୍ୟତାମୂଳକ ଥିଲା ।

 

ଉତ୍କଳର ଯେଉଁ ସମୟର ବୟନଶିଳ୍ପକୁ ଐତିହାସିକମାନେ ପ୍ରଶଂସା କରିଅଛନ୍ତି, ସେ ସମୟରେ ଜଗତରେ ସୂତା କାଟିବା କଳ ଆଦୌ କଳ୍ପିତ ହୋଇ ନ ଥିଲା । ତହିଁର ବହୁକାଳ ପରେ ସୂତା କାଟିବା କଳ ସୃଷ୍ଟି ହେଲା । ତେତେବେଳେ ଉତ୍କଳରେ ଯେତେ ଲୁଗା ବୁଣା ହୋଇ ବିଦେଶକୁ ଯାଉଥିଲା, ସେ ସବୁ ଲୁଗାପାଇଁ ଲୋଡ଼ା ସୂତା ଏହି ଓଡ଼ିଆ ଜାତିର ପରିବାରର ରମଣୀମାନେ କାଟି ଦେଉଥିଲେ । ଲୁଗାର ଉତ୍କୃଷ୍ଟତା ସମ୍ପୂର୍ଣ୍ଣ ବାରିକ ସୂତା ଉପରେ ନିର୍ଭର କରେ । ଉତ୍କଳବାସୀ ସେ ସମୟରେ କେଡ଼େ ବାରିକ ସୂତା କାଟି ପାରୁଥିଲେ, ତାହା ସହଜରେ ଅନୁମାନ କରାଯାଇ ପାରେ । ମାତ୍ର ଆଜି ଆଉ ଓଡ଼ିଆ ରମଣୀଙ୍କ ହାତରେ ସେ ଶକ୍ତି ନାହିଁ । ଆଜି ଉତ୍କଳରେ ସେପରି ସୂତା କାଟିବା ବିରଳ ହୋଇଗଲାଣି । ଦକ୍ଷିଣ ଓଡ଼ିଶାର ପାଟସାଲିଆ ସେହିପରି ସରୁସୂତା କାଟୁଅଛି । ତାହା ଦେଖି ଏବେ ଓଡ଼ିଆଜାତି ଚମକି ଉଠୁଛନ୍ତି । ଆମରି ପୂର୍ବପୁରୁଷମାନେ ଯେ ସାଧାରଣତଃ ତାହାଠାରୁ ଅଧିକ ସରୁ ଓ ସମାନ ତନ୍ତୁବିଶିଷ୍ଟ ସୂତା କାଟୁଥିଲେ ଓ ତାଙ୍କରି ସେହି ସୂତାରେ ଲୁଗା ବୁଣାଯାଇ ବିଦେଶକୁ ପଠାଯାଉଥିଲା ଏବଂ ସେମାନେ ସୁଦୂର ପ୍ରଦେଶମାନଙ୍କରୁ ଖ୍ୟାତି ଓ ଅର୍ଥ ଉପାର୍ଜ୍ଜନ କରୁଥିଲେ, ଏହା ସହଜରେ ଆମେ ବିଶ୍ୱାସ କରି ପାରୁ ନ ଥାଇଁ ।

 

କଳସୂତା ସଙ୍ଗେ ଟକ୍କର ଦେବାକୁ ପଡ଼ିବାରୁ ଏବଂ ଅନ୍ୟାନ୍ୟ କାରଣମାନଙ୍କରୁ ଓଡ଼ିଶାରେ ସୂତାକଟା ଶିଳ୍ପର ବିଶେଷ ଅବନତି ଘଟିଅଛି । ଆଧୁନିକ ଶିକ୍ଷାର ବିସ୍ତାର ସଙ୍ଗେ ସଙ୍ଗେ ଶିକ୍ଷିତ ସମାଜରୁ ପ୍ରଥମେ ସୂତାକଟା ଲୁପ୍ତ ହେବା ଆରମ୍ଭ ହେଲା । ଯେଉଁ ସୂତାକଟାଦ୍ୱାରା ଉତ୍କଳ ଏକ ସମୟରେ ସମଗ୍ର ଜଗତରେ ଗୌରାବାନ୍ୱିତ ହୋଇଥିଲା, ଶିକ୍ଷିତ ସମାଜ ଆଗେ ତାହାକୁ ଗୋଟିଏ ନୀଚକାମ ବୋଲି ଘୃଣା କଲେ । ସୂତାକଟାକୁ ଦୁଃଖ ଓ ଦୂରବସ୍ଥାର ଚିହ୍ନ ବୋଲି ମଣି ନେଲେ । ଶିକ୍ଷିତ ସମାଜରୁ ସୂତାକଟା ଏକାବେଳକେ ମୂଳପୋଛ ହୋଇ ଲୋପ ପାଇଗଲା । ସହରମାନଙ୍କରୁ ଅତି ଦୂରବର୍ତ୍ତୀ କେତେକ ସ୍ଥାନରେ ଏବଂ ଓଡ଼ିଶାର ଗଡ଼ଜାତମାନଙ୍କରେ ଆଧୁନିକ ଶିକ୍ଷା ପଶିବାକୁ ବିଳମ୍ୱ ହୋଇଥିବାରୁ ସେ ସବୁ ସ୍ଥାନରୁ ସୂତାକଟା ଲୋପ ହୋଇ ନ ଥିଲା । ସେହି ସବୁ ସ୍ଥାନରେ ବିଶେଷତଃ ଗଡ଼ଜାତର ସାଧାରଣ ଲୋକଙ୍କ ଘରେ ଏବଂ ଅନାର୍ଯ୍ୟଜାତିମାନଙ୍କ ମଧ୍ୟରେ ପୂର୍ବପରି ବରାବର ସୂତାକଟା ଚାଲୁଥିଲା ଏବଂ ଅନେକ ସ୍ଥଳରେ ଆଜି ପର୍ଯ୍ୟନ୍ତ ଚାଲି ଆସୁଅଛି । ହାତକଟା ସୂତାରେ ଯେଉଁ ସବୁ ଲୁଗା ହେଉଥିଲା, ତାହା ଶିକ୍ଷିତ ସମାଜ ବ୍ୟବହାର କରିବାକୁ ଲଜ୍ଜାବୋଧ କରୁଥିଲେ । ସେମାନେ ଅଧିକରୁ ଅଧିକ ସରୁ କଳସୂତାର କଳବୁଣା ଲୁଗା ପିନ୍ଧିବାକୁ ପସନ୍ଦ କରୁଥିଲେ ।

 

ଏଥି ମଧ୍ୟରେ ଅସହଯୋଗ ଆନ୍ଦୋଳନ ସଙ୍ଗେ ସଙ୍ଗେ ମହାତ୍ମା ଗାନ୍ଧି ନିଜେ ସୂତା କାଟିବାକୁ ଆରମ୍ଭ କଲେ ଏବଂ ସୂତା କାଟିବାପାଇଁ ସମସ୍ତଙ୍କୁ ଉପଦେଶ ଦେଲେ । ସେହି ଫଳରେ ପ୍ରାୟ ୧୯୨୨।୨୩ ସାଲରେ ଭାରତର ନାନା ସ୍ଥାନରେ ତଥା ଓଡ଼ିଶାରେ ହଠାତ୍‌ ଗୋଟାଏ ସୂତାକଟାର ଚହଳ ଉଠିଲା । ମଫସଲର ଗ୍ରାମରେ, ସହରମାନଙ୍କରେ, ବାଟରେ, ଘାଟରେ, ହାଟରେ ସବୁଆଡ଼େ ତାକୁଡ଼ି ଧରି ଓ କେହି କେହି ଘରେ ଅରଟ ଧରି ଏପରି ଶହ ଶହ ଲୋକେ ସୂତା କାଟିବାରେ ଲାଗିଗଲେ । ଗ୍ରାମମାନଙ୍କରୁ କପାଚାଷ ଉଠିଯାଇ ଥିବାରୁ ସୂତା କାଟିବାପାଇଁ ଏଠାରେ ତୁଳା ମିଳିଲା ନାହିଁ । ବିଦେଶରୁ ତୁଳା ଓ ବଳଣା ଆସି ଏଠାରେ ହାଟ ଓ ବଜାରମାନଙ୍କରେ ବିକ୍ରୟ ହେଲା । ଗ୍ରାମର ବଢ଼େଇମାନେ ଅରଟ କରିବା ଭୁଲି ଯାଇଥିଲେ । ଦେଶକର୍ମୀମାନେ ବଢ଼େଇମାନଙ୍କୁ ଅରଟ ତିଆରି କରିବାକୁ ନୂତନ କରି ଶିକ୍ଷା ଦେଲେ । କମାର ତାକୁଡ଼ି କରି ପାରିଲା ନାହିଁ । ପୁନରାୟ ତାହାକୁ ତାକୁଡ଼ି କରିବା ଶିକ୍ଷା କରିବାକୁ ପଡ଼ିଲା । ମନେ ହେଲା ଯେ, ଓଡ଼ିଶା ଯେବେ ସୂତାକଟାରେ ଏହିପରି ଆଗ୍ରହର ସହିତ ଲାଗିପଡ଼ିବ, ତେବେ ଓଡ଼ିଶାର ସୂତାକଟାରେ ପୂର୍ବଗୌରବ ସହଜରେ ଫେରି ଆସିବ । କିନ୍ତୁ ସେ ଆଗ୍ରହ ଓ ଉତ୍ତେଜନା ଅଧିକ କାଳ ରହି ପାରିଲା ନାହିଁ । ବରଡ଼ାପତ୍ରର ନିଆଁ ଭଳି ବରଷ କେଇଟାରେ ସୂତାକଟାର ହପ୍ପା ମାନ୍ଦା ହେଲା ଓ ଶେଷକୁ ବନ୍ଦ ହୋଇଗଲା । ସେମାନଙ୍କ ମଧ୍ୟରୁ ଓଡ଼ିଶାର କେବଳ କେତେ ଜଣ ନିଷ୍ଠାପର କର୍ମୀ ଏପର୍ଯ୍ୟନ୍ତ ସୂତାକଟା ଛାଡ଼ି ନାହାନ୍ତି । ସେମାନେ ସୂତାକଟାକୁ ଗୋଟିଏ ବ୍ରତ ମଣି ସୂତା କାଟୁଅଛନ୍ତି । ସେମାନଙ୍କର ସଂଖ୍ୟା ଅତି ଅଳ୍ପ । ଆଉ ସମସ୍ତେ କିଏ କୁଆଡ଼େ ଛାଡ଼ିଦେଇ ବସିଲେଣି । ଯାହା ହେଉ, ସେହି ଚହଳ ସମୟରେ ଅନେକ ଲୋକଙ୍କର ସୂତାକଟା ସମ୍ୱନ୍ଧେ କିଛି କିଛି ଜ୍ଞାନ ଜନ୍ମିଗଲା ।

 

ଓଡ଼ିଶାରେ ସୂତାକଟା ଶିଳ୍ପଟି ପୁରୁଷାନୁକ୍ରମେ ଘରେ ଘରେ ଚାଲି ଆସୁଥିବାରୁ ପୂର୍ବେ ତାହାକୁ ନୂଆ କଥା ପରି କିଛି ଶିକ୍ଷା କରିବା ଭଳି କାହାରିକୁ ଲାଗୁ ନ ଥିଲା । ପରିବାରର ଝିଅ ଓ ବୋହୂମାନେ ତାହାକୁ ଦୈନନ୍ଦିନ କାର୍ଯ୍ୟ କରି ଆପେ ଆପେ ଶିଖି ଯାଉଥିଲେ । ବର୍ତ୍ତମାନ ଏହା ଶିକ୍ଷା କରିବା ଆବଶ୍ୟକ ହେଲା । ସ୍କୁଲମାନଙ୍କରେ ଶିକ୍ଷା ଦେବାପାଇଁ ଶିକ୍ଷକ ଲୋଡ଼ା ହେଲେ । ବର୍ତ୍ତମାନ ଚରଖାସଂଘ ସ୍ଥାନେ ସ୍ଥାନେ କେନ୍ଦ୍ର ଖୋଲି ସୂତାକଟା ଶିକ୍ଷାର ବ୍ୟବସ୍ଥା କରିଅଛନ୍ତି ଏବଂ ଅନେକ ସ୍ଥଳରେ ଅନେକ ଲୋକ ସୂତା କାଟି ସଂଘଙ୍କୁ ସୂତା ଯୋଗାଉଅଛନ୍ତି । ଆଶା କରାଯାଏ ଯେ, କଂଗ୍ରେସକର୍ମୀ ଓ କଂଗ୍ରେସ ସରକାରଙ୍କ ଦୃଷ୍ଟିରେ ଓଡ଼ିଶା ସୂତାକଟା ଶିଳ୍ପରେ ପୁନରାୟ ଉନ୍ନତି କରି ପାରିବ ।

 

ଓଡ଼ିଶାରେ ଯେତେ ପ୍ରକାର ଗୃହଶିଳ୍ପ ଅଛି, ତହିଁ ମଧ୍ୟରେ ସୂତାକଟା ସର୍ବପ୍ରଧାନ ଶିଳ୍ପ ଥିଲା । ଏହି ପୁସ୍ତକରେ ସୂତାକଟା ସମ୍ୱନ୍ଧରେ ଉଲ୍ଲେଖ ନ ରହିବା ଅସୁନ୍ଦର ହେବ । ସୂତାକଟାର ପ୍ରଣାଳୀ ବର୍ଣ୍ଣନା କରିବାକୁ ହେଲେ କପା ତୋଳାଠାରୁ କପା ସୁଆଁରିବା, ତୁଳା ପ୍ରସ୍ତୁତ କରିବା, ତୁଳା ଭିଣିବା, ତୁଳାରୁ ବଳଣା ବଳିବା ଏବଂ ବଳଣାରୁ ସୂତା କାଟିବା ପର୍ଯ୍ୟନ୍ତ ସମସ୍ତ ପ୍ରଣାଳୀ ଉଲ୍ଲେଖ କରିବାକୁ ହେବ । ତାହା ଛଡ଼ା କପାଖାଇ, ଭିଣା ନାଠି, ବଳଣାକାଠି, ନଟେଇ, ଅରଟ, ତାକୁଡ଼ି, ମାଲ ସୂତା, ଅରଟର ଅଖ, ଖୁଣ୍ଟି, ହତା, ଚକ ପ୍ରଭୃତି ପ୍ରତ୍ୟେକ ବିଷୟରେ କିଛି କିଛି ଉପଦେଶ ଲେଖାଯିବା ଆବଶ୍ୟକ । ମାତ୍ର ସୂତାକଟା ସମ୍ୱନ୍ଧରେ ଶ୍ରୀଯୁକ୍ତ ଗୋପବନ୍ଧୁ ଚଉଧୁରୀ ‘‘ସୂତାକଟା ଶିକ୍ଷା’’ ନାମକ ଖଣ୍ଡିଏ ପୁସ୍ତକ ଛପାଇଅଛନ୍ତି । ତହିଁରେ ସମସ୍ତ ବିଷୟ ବିଶଦଭାବେ ବର୍ଣ୍ଣିତ ହୋଇଅଛି । ସୂତା କାଟିବା ଯନ୍ତ୍ର, ଉପକରଣ ଏବଂ ଭିନ୍ନ ଭିନ୍ନ ପ୍ରଣାଳୀର ଚିତ୍ର ମଧ୍ୟ ସେହି ପୁସ୍ତକରେ ଅଛି । ଏଠାରେ ପୁନରାୟ ସେ ସବୁ ବର୍ଣ୍ଣନା କରିବା ଅନାବଶ୍ୟକ । ଯେଉଁମାନେ ସୂତାକଟା ଶିଳ୍ପ ଶିକ୍ଷା କରିବାପାଇଁ ପୁସ୍ତକର ସାହାଯ୍ୟ ଲୋଡ଼ିବେ, ସେମାନେ ଗୋପବନ୍ଧୁ ବାବୁଙ୍କର ଉକ୍ତ ‘‘ସୂତାକଟା ଶିକ୍ଷା’’ ପୁସ୍ତକ ପାଠ କଲେ ଯଥେଷ୍ଟ ହେବ ।

 

ସୂତାକଟା ଶିଳ୍ପର ଉନ୍ନତି ନିମନ୍ତେ ଦେଶରେ କପାଚାଷର ପୁନଃପ୍ରଚଳନ ପ୍ରଥମେ ଆବଶ୍ୟକ । କପାଚାଷ ପ୍ରତି ସମସ୍ତେ ମନୋଯୋଗୀ ନ ହେଲେ ସୂତାକଟା ଶିଳ୍ପ ଉନ୍ନତି ଲାଭ କରି ପାରିବ ନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରାୟ ୮ହଜାର ଏକର ଜମିରେ କପାଚାଷ ହୋଇଅଛି । ତହିଁରୁ ବର୍ଷକେ କେବଳ ୫ ହଜାର ମହଣ ପର୍ଯ୍ୟନ୍ତ ତୁଳା ଆମଦାନି ହୋଇ ପାରୁଅଛି-। ବର୍ତ୍ତମାନ ଓଡ଼ିଶାକୁ ବର୍ଷରେ ପ୍ରାୟ ଦେଢ଼ ଲକ୍ଷ ମହଣ କପାସୂତା ଓ ଏକ ଲକ୍ଷ କୋଡ଼ିଏ ହଜାର ମହଣ କପା ସୂତାରେ ବୁଣା ଲୁଗାପଟା ବାହାରରୁ ଆସି ଖରଚ ହେଉଅଛି । ଏ ସବୁ ପାଇଁ ଓଡ଼ିଶା ବିଦେଶକୁ କେତେ ଧନ ତଣ୍ଡ ଦେଉଅଛି, ତାହା ଏଥିରୁ ସାଫ୍‌ ଜଣା ପଡ଼ୁଅଛି ।

•••

 

ଅନୁଶୀଳନ

 

ଏହି ପୁସ୍ତକର ତୃତୀୟ ଖଣ୍ଡ ଶେଷ ହେଲା । ଏଥିରେ ମଧ୍ୟ କେତେଗୋଟି ଛୋଟ ଛୋଟ ଶିଳ୍ପର ନିର୍ମାଣପ୍ରଣାଳୀ ବର୍ଣ୍ଣିତ ହେଲା । ଆମ ଦେଶରେ ଶିଳ୍ପୋପଯୋଗୀ ନାନା ଉପକରଣ ଥାଇ ମଧ୍ୟ ଆମ ଦେଶ ଲୋକଙ୍କର ଗୋଟାଏ ସାଧାରଣ ଧାରଣା ଏହି ଯେ, ଯେଉଁ ପଦାର୍ଥଟି ତିଆରି କରିବେ, ତାହା ବିକ୍ରୟ ହେବ କେଉଁଠାରେ ? ଆଉ କେତେକଙ୍କର ଧାରଣା ଏହି ଯେ, ପଦାର୍ଥଟି ବିକ୍ରୟ ହେଲେ ମଧ୍ୟ ତହିଁର ତିଆରିରେ ଯେତେ ପରିଶ୍ରମ ଲାଗେ, ତହିଁର ତୁଳନାରେ ମୂଲ୍ୟ ମିଳେ ନାହିଁ । ଏହିପରି ନାନା ପ୍ରକାର ଭ୍ରାନ୍ତ ଧାରଣାରେ ଲୋକେ ବସି ବସି ସମୟ କଟାନ୍ତି, କାମ ନାହିଁ ବୋଲି ନିଷ୍କର୍ମା ହୋଇ ବସନ୍ତି; କିନ୍ତୁ କୌଣସି ଗୋଟିଏ କାର୍ଯ୍ୟ କରିବାକୁ ମନ ଦିଅନ୍ତି ନାହିଁ ।

 

ଯେଉଁମାନେ ଭାବନ୍ତି, ‘‘ପଦାର୍ଥ ନିର୍ମାଣ କଲେ ବିକ୍ରୟ ହେବ କେଉଁଠାରେ ?’’ ସେମାନଙ୍କର ବୁଝିବା ଉଚିତ ଯେ, ଆଗେ ପଦାର୍ଥଟି ନିର୍ମାଣ ନ କରି ଗ୍ରାହକଙ୍କ ବିଷୟ ଚିନ୍ତା କରିବା ଉଚିତ ନୁହେଁ । ପୁଣି ଯେ କୌଣସି ପଦାର୍ଥ ନିର୍ମାଣ କରିବ, ତାହା ଗୋଟିଏ ଦୁଇଗୋଟି ନିର୍ମାଣ କରି ବିକ୍ରୟ ନ ହେବାର ଅଭିଯୋଗ କରିବା ଉଚିତ ନୁହେ । ଗୋଟିଏ ପଦାର୍ଥ ବାରମ୍ୱାର ନ କରିବା ପର୍ଯ୍ୟନ୍ତ କୌଣସି ଶିଳ୍ପୀ କେବେ ଗ୍ରାହକଙ୍କ ଦୃଷ୍ଟି ଆକର୍ଷଣ କରିବା ଭଳି ପଦାର୍ଥ ତିଆରି କରିବାକୁ ସମର୍ଥ ହୁଅନ୍ତି ନାହିଁ ।

 

ଯେ କୌଣସି ପଦାର୍ଥ ବାରମ୍ୱାର ତିଆରି କରିବ, ଅଭ୍ୟାସଦ୍ୱାରା ତାହା କ୍ରମେ ସୁନ୍ଦର ହେବ, ହାତ ଚଞ୍ଚଳ ହେବ, ଅଳ୍ପ ସମୟ ମଧ୍ୟରେ ଅଧିକ ପଦାର୍ଥ ତିଆରି ହୋଇ ପାରିବ, ପଦାର୍ଥ ନିର୍ମାଣ କରିବାର ନୂଆ ନୂଆ ବାଟ ଛାଏଁ ଛାଏଁ ବାହାରି ପଡ଼ିବ-ଲୋକଙ୍କର ଦୃଷ୍ଟି ସେହି ପଦାର୍ଥ ପ୍ରତି ବଳେ ଆକୃଷ୍ଟ ହେବ । ଛୋଟ ହେଉ ବା ବଡ଼ ହେଉ, ପ୍ରତ୍ୟେକ ଶିଳ୍ପକର୍ମରେ ଧୈର୍ଯ୍ୟ ସହିତ ଲାଗିବା ହେଉଛି ମୂଳ କଥା । ଗ୍ରାହକଙ୍କ ଦୃଷ୍ଟି ଆକର୍ଷଣ କରିବା ଭଳି ପଦାର୍ଥ ତିଆରି ନ କରିବା ପର୍ଯ୍ୟନ୍ତ ଗ୍ରାହକ ମିଳିବେ ନାହିଁ ବୋଲି ଅଭିଯୋଗ କରିବା ନ୍ୟାୟସଙ୍ଗତ ନୁହେ । ଯେ କୌଣସି ପଦାର୍ଥ କରିବ, ତାହା ବଜାରରେ ବିକ୍ରୟ ହେଉଥିବା ପଦାର୍ଥ ସଙ୍ଗେ ସମାନ ହେବା ପର୍ଯ୍ୟନ୍ତ, ବରଞ୍ଚ ବଜାରରେ ମିଳୁଥିବା ପଦାର୍ଥ ଅପେକ୍ଷା ଅଧିକ ସୁନ୍ଦର ନ ହେବା ପର୍ଯ୍ୟନ୍ତ ଧୈର୍ଯ୍ୟ ସହିତ ସେ ପଦାର୍ଥ ତିଆରି କରିବାରେ ଲାଗିବା ଆବଶ୍ୟକ ।

 

ଯେଉଁମାନେ କହନ୍ତି, ପରିଶ୍ରମ ତୁଳନାରେ ମୂଲ୍ୟ ମିଳେ ନାହିଁ, ସେମାନଙ୍କର ବୁଝିବା ଉଚିତ ଯେ, ତୁଚ୍ଛାରେ ବସି ବସି ଯେଉଁ ସମୟ କଟାଇଦିଅନ୍ତି, ସେହି ସମୟ ପାଇଁ କୌଣସିଠାରୁ ତାଙ୍କୁ କିଛି ହେଲେ ମୂଲ୍ୟ ମିଳେ କି ? ଅଳ୍ପ ମୂଲ୍ୟ ମିଳିବ ବୋଲି କିଛି ପଦାର୍ଥ ତିଆରି ନ କରିବା କଦାଚ ସୁବିବେଚନାର କାର୍ଯ୍ୟ ନୁହେଁ । ଶିଳ୍ପଜାତ ପଦାର୍ଥର ମୂଲ୍ୟ କମ୍‌ ପାଇବା ବା ଅଧିକ ପାଇବା ଶିଳ୍ପଜ୍ଞ ବ୍ୟକ୍ତିଙ୍କ ହାତସଫେଇ ଉପରେ ନିର୍ଭର କରେ । କେଉଁ ପଦାର୍ଥଟି କିପରି ଭାବରେ କଲେ ମୂଲ୍ୟ ଅଧିକ ମିଳିବ, ତାହା ମଧ୍ୟ ନିଜର ବିବେଚନା ଉପରେ ନିର୍ଭର କରେ ।

 

ଏଠାରେ ଗୋଟିଏ ଉଦାହରଣ ଉଲ୍ଲେଖ କରାଯାଉଅଛି । ତହିଁରୁ ନିଜର ହାତ ପରିଚାଳନଦ୍ୱାରା ପଦାର୍ଥର ମୂଲ୍ୟ ବୃଦ୍ଧି ହେବା ବିଷୟ ସହଜରେ ବୁଝାଯିବ । ଜଣେ ଯୁବକକୁ ଆମ୍ଭେ ମାସିକ ନିତି ଟଙ୍କା ଦରମାରେ ଆମର ପାଚକକାର୍ଯ୍ୟ କରିବା କାରଣ ନିଯୁକ୍ତ କଲୁଁ । ଅଳ୍ପକାଳ ମଧ୍ୟରେ ତାହାର ଶିଳ୍ପଆଡ଼କୁ ପ୍ରବୃତ୍ତି ଦେଖି ତାକୁ ଆମ ଶିଳ୍ପାଗାରରେ ଶିଳ୍ପ ଶିକ୍ଷା କରିବାର ସୁଯୋଗ ଦେଲୁଁ । ସେ କେତେଗୁଡ଼ିଏ ପଦାର୍ଥ ନିର୍ମାଣ କରିବାକୁ କ୍ଷମ ହେବାରୁ ତା ଉପରେ ଗୋଟିଏ ମାତ୍ର ପଦାର୍ଥ ନିର୍ମାଣ କରିବାର ଭାର ଦେଇ ପଦାର୍ଥର ପରିମାଣ ଅନୁସାରେ ଠିକାରେ ତାହାର ମଜୁରୀ ସ୍ଥିର କରିଦେଲୁଁ । ୫।୭ ଦିନ କାର୍ଯ୍ୟ କରିବାରେ ଦେଖାଗଲା ଯେ, ତାହାର କାର୍ଯ୍ୟର ପରିମାଣ ଅନୁସାରେ ୭ ଦିନରେ ତାହାର ମଜୁରୀ ହିସାବ କରିବାରେ ୧୫ ଅଣା ହେଲା; ଅର୍ଥାତ୍‌ ସେ ଦିନକୁ ୨ ଅଣାରୁ କିଛି ଅଧିକ ପାଇଲା । ସେହି ପଦାର୍ଥକୁ ଲାଗିପଡ଼ି ଆହୁରି ଅଧିକ ନିର୍ମାଣ କରିବାପାଇଁ ତାହାକୁ ସୁଯୋଗ ଦିଆଗଲା । ସେ ମଧ୍ୟ ଧୈର୍ଯ୍ୟ ସହିତ ସେହି ପଦାର୍ଥ ନିର୍ମାଣ କରିବାରେ ଲାଗିଗଲା । ପ୍ରାୟ ଦେଢ଼ ମାସ ପରେ ସେ ଦିନକେ ସେହି ପଦାର୍ଥ ଯେତେ ନିର୍ମାଣ କଲା, ତହିଁର ମଜୁରୀ ସେହି ପୂର୍ବ ରେଟରେ ଦିନକୁ ଟ୨୩ ଅଣା କରି ପଡ଼ିଲା । ସେହି ଯୁବକର ନାମ ଗୋପୀନାଥ ଦାଶ । ସେ ବର୍ତ୍ତମାନ ପର୍ଯ୍ୟନ୍ତ ଆମ କୁଟୀରଶିଳ୍ପ କାରଖାନାରେ କାର୍ଯ୍ୟ କରୁଅଛି ।

 

ଏଥିରୁ ସହଜରେ ବୁଝାଯାଉଅଛି ଯେ, ଗୋପୀନାଥ ଯେଉଁ କାର୍ଯ୍ୟ ୭ଦିନ ଲାଗି ପ୍ରଥମେ ଦିନକୁ ଟ ୦୯ ମଜୁରୀ ରୋଜଗାର କରି ପାରିଥିଲେ, ସେହି କାର୍ଯ୍ୟରେ ସେ ଧୈର୍ଯ୍ୟର ସହିତ ଲାଗିପଡ଼ିବାରେ ଦେଢ଼ମାସ ପରେ ତାଙ୍କ ହାତ ଏତେ ଚଞ୍ଚଳ ହୋଇ ପାରିଥିଲା ଯେ, ସେ ସେହି କାର୍ଯ୍ୟ କରି ସେହି ରେଟ ମଜୁରୀରେ ଦିନକୁ ଟ ୨୩ ର କାର୍ଯ୍ୟ କରି ପାରିଥିଲେ ।

 

ଶିଳ୍ପଦ୍ୱାରା ଲାଭବାନ ହେବାକୁ ଇଚ୍ଛା କଲେ ଅଧ୍ୟବସାୟ ସଙ୍ଗେ ସଙ୍ଗେ ଆହୁରି ଅନେକ ବିଷୟ ପ୍ରତି ମନୋଯୋଗ ଆବଶ୍ୟକ । କାର୍ଯ୍ୟ କରିବା ସମୟରେ କିପରି ବସିଲେ ହାତ ଦୁଇଟି ସହଜରେ ପରିଚାଳିତ ହେବ ଏବଂ କାର୍ଯ୍ୟ ଶୀଘ୍ର ଶୀଘ୍ର ହୋଇ ପାରିବ; କେଉଁ କାର୍ଯ୍ୟଟି କିପରି କଲେ ଅଧିକ ସମୟ ବ୍ୟୟ ହେବ ନାହିଁ; ପଦାର୍ଥଟିରେ କେଉଁ ଉପକରଣ ଲଗାଇଲେ ଏବଂ କିପରିଭାବରେ ଲଗାଇଲେ ତାହା ଅଧିକ ସୁନ୍ଦର ହେବ; ଲୋକଙ୍କର ରୁଚି ଏବଂ ଅଭ୍ୟାସ ପ୍ରତି ଦୃଷ୍ଟି ଦେଇ ପଦାର୍ଥଟିର ଆକାର କିପରି କଲେ ତାହା ଅଧିକ ବ୍ୟବହାର ଉପଯୋଗୀ ହେବ ଅଥବା କୌଣସି ଅଂଶ ବଢ଼ାଇ ଦେଲେ ବ୍ୟବହାର ନିମନ୍ତେ ଅଧିକ ସୁବିଧାଜନକ ହେବ; ଏହିପରି ଅନେକ ବିଷୟ ଚିନ୍ତା କରି ପଦାର୍ଥ ନିର୍ମାଣ କରିବାକୁ ପଡ଼ିବ । ଉଦାହରଣସ୍ୱରୂପ କୁହାଯାଇ ପାରେ ଯେ, ଏହି ପୁସ୍ତକର ପ୍ରଥମ ଖଣ୍ଡରେ ବର୍ଣ୍ଣିତ ପୂର୍ବପ୍ରଚଳିତ ଫୁଲଛାଞ୍ଚୁଣିର ବେଣ୍ଟକୁ ଟିକିଏ ଅଧିକ ଲମ୍ୱା କରି ଦେବାରୁ ଏବଂ ତହିଁର ଅଗର ଫୁଲକୁ କିଞ୍ଚିତ୍‌ ବଙ୍କାଇ ଦେବାରୁ ତାହା ବର୍ତ୍ତମାନ ସମୟରେ ଲୋକଙ୍କର ଅଭ୍ୟାସ ଓ ରୁଚି ଅନୁସାରେ ଅଧିକ ଆଦରଣୀୟ ହୋଇଅଛି । ସେହିପରି ପେନ୍‌ସିଲ୍‌ ସମସ୍ତେ ବ୍ୟବହାର କରି ଆସୁଥିଲେ ଏବଂ ପକେଟରେ ରଖୁଥିଲେ । ତହିଁରେ କ୍ଳିପ୍‌ (Clip) ଖଣ୍ଡିଏ ଲଗାଇ ଦେବାରେ ପେନ୍‌ସିଲ ରଖିବା ପାଇଁ ଅଧିକ ସୁବିଧାଜନକ ହେବାରୁ ସେ କ୍ଳିପ୍‌ ଖଣ୍ଡିକ ଯଥେଷ୍ଟ ଆଦୃତ ହେଲା । ଏହିପରି ଚିନ୍ତା କରି କାର୍ଯ୍ୟ କଲେ ଯାହାଙ୍କର ଶିଳ୍ପରେ ଦକ୍ଷତା ଜନ୍ମିବ, ସେ ଅକ୍ଳେଶରେ ନାନା ପଦାର୍ଥ ଉଦ୍ଭାବନ କରି ପାରିବେ ଏବଂ ଇଚ୍ଛାକ୍ରମେ ଅଧିକ ଅର୍ଥ ମଧ୍ୟ ଉପାର୍ଜ୍ଜନ କରି ପାରିବେ ।

Image